ରାଜଧାନୀରେ ପୂଜାର ମଜା ନିଅନ୍ତୁ ହେଲେ ତା’ ଆଗରୁ ଜାଣିନିଅନ୍ତୁ କ’ଣ ରହିଛି ଟ୍ରାଫିକ କଟକଣା ! ନହେଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା

161

କନକ ବ୍ୟୁରୋ : ଭୁବନେଶ୍ୱରରେ ପୂଜା ପାଇଁ ଟ୍ରାଫିକ୍ କଟକଣା । ଶାରଦୀୟ ଦୁର୍ଗାପୂଜା ସମୟରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନେଇ କମିସନରେଟ୍ ପୁଲିସ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଟ୍ରାଫିକ୍ କଟକଣା ଜାରିକଲା କମିସନରେଟ୍ ପୁଲିସ । କାଲିଠାରୁ ୧ ଯାଏଁ ଟ୍ରାଫିକ ଜାରି ରହିବ କଟକଣା । ସନ୍ଧ୍ୟା ୪ରୁ ରାତି ୨ ଯାଏଁ କଟକଣା ଲାଗି ରହିବ । ଦୁର୍ଗାପୂଜା (୨୬.୯.୨୦୧୭ ରୁ ୧.୧୦.୨୦୧୭) ଉପଲକ୍ଷେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାବଣପୋଡ଼ି, ଭସାଣୀ ଉତ୍ସବ ଯେପରି ଶାନ୍ତି ଶୃଙ୍ଖଳା ହେବ ସେଥିପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅପରପକ୍ଷରେ ଏହି ଦୁର୍ଗାପୂଜା ଉପଲକ୍ଷେ ସାଧାରଣ ଲୋକଙ୍କର ସୁରକ୍ଷା ଏବଂ ସୁବିଧା ପାଇଁ ଉଭୟ ଦ୍ୱୈତନଗରୀରେ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥାରେ କଟକଣା ଜାରି କରାଯାଇଛି । କୌଣସି ବଡ଼ ବଡ଼ ଗାଡ଼ି ଏହି ସମୟରେ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି । କୌଣସି ପ୍ରକାର ଭାରିଯାନ ନିମ୍ନଲିଖିତ ସଡ଼କ ଗୁଡ଼ିକରେ ଉପରୋକ୍ତ ଦିନ ଓ ସମୟସୀମା ଭିତରେ ଚଳପ୍ରଚଳ କରିବା ନିସେଦ୍ଧ –

– ଖଣ୍ଡଗିରି ଛକଠାରୁ ଜାଗମରା , ଗଣ୍ଡମୁଣ୍ଡା ମଧ୍ୟ ଦେଇ ପୋଖରୀପୁଟ୍ ପର୍ଯ୍ୟନ୍ତ

– ଫାୟାର ଟ୍ରେନିଂ ଛକ ଠାରୁ ପାଇକ ନଗର, ସିରିପୁର, ଗଙ୍ଗନଗର ମଧ୍ୟ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ

– ସିଆରପି ଛକଠାରୁ ଷ୍ଟିୱାର୍ଡ଼ ସ୍କୁଲ, ଡିଏଭି ସ୍କୁଲ ୟୁନିଟ୍ -୮ ମଧ୍ୟ ଦେଇ ପାୱାର ହାଉସ ପର୍ଯ୍ୟନ୍ତ

– ଜୟଦେବ ବିହାର କ୍ରସିଂ ଠାରୁ ରାଜଭବନ ଯାଇଥିବା ରାସ୍ତା ଭାୟା ବେହେରା ସାହି, ଶାସ୍ତ୍ରୀ ନଗର କ୍ରସିଂ ପର୍ଯ୍ୟନ୍ତ

– ଜୟଦେବ ବିହାର ଛକଠାରୁ ନନ୍ଦନକାନନ, ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ କ୍ରସିଂ ପର୍ଯ୍ୟନ୍ତ

– ଆଚାର୍ଯ୍ୟ ବିହାର ଛକଠାରୁ ନିକୋ ପାର୍କ, ପଟେଲ ମାର୍ଗ ହାଉସିଂ ବୋର୍ଡ଼, ରବୀନ୍ଦ୍ର ମଣ୍ଡପ ଏବଂ ଏଜି ଛକ ଦେଇ ନୂଆ ଏୟାରପୋର୍ଟ ପର୍ଯ୍ୟନ୍ତ ବଡ଼ ଗାଡ଼ି ଯିବ ନାହିଁ

– ଆଚାର୍ଯ୍ୟ ବିହାର ଛକଠାରୁ ସୈନିକ ସ୍କୁଲ ଦେଇ କଳିଙ୍ଗ ହସପିଟାଲ ପର୍ଯ୍ୟନ୍ତ

– ବାଣୀବିହାର ଛକଠାରୁ ରୂପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଂଟିନ, ରାମ ମନ୍ଦିର ଓ ରାଜମହଲ ଛକ ଦେଇ ଶିଶୁଭବନ ପର୍ଯ୍ୟନ୍ତ

– ରସୁଲଗଡ଼ ଛକଠାରୁ ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ, ସାମନ୍ତରାପୁର ମଧ୍ୟଦେଇ ଲିଙ୍ଗିପୁର ପର୍ଯ୍ୟନ୍ତ

– ବରମୁଣ୍ଡା ଠାରୁ ପଳାଶୁଣି ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥ ୧୬ ନମ୍ବରକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ମଧ୍ୟ ଏହି ବଡ଼ ଗାଡ଼ି ଚାଲିବ ନାହିଁ ।

ଏହା ବ୍ୟତୀତ ପୁରୀ-ଭୁବନେଶ୍ୱର ଚଳ ପ୍ରଚଳ କରୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ଲିଙ୍ଗିପୁର ଠାରୁCommissionerate-Police ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଭାୟା ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାର ଟ୍ରେନିଂ ସ୍କୁଲ ଦେଇ ଯିବା ଆସିବା କରିବ । ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ ଗୁଡ଼ିକ ଶିଶୁ ଭବନ କ୍ରସିଂ, ମାଉସୀମା ଛକ, ମ୍ୟୁଜିୟମ, ସାମନ୍ତରାପୁର ଠାରୁ ଲିଙ୍ଗିପୁର ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରିବ । ଏହି କଟକଣାକୁ ଜନସାଧାରଣଙ୍କ ସୁରକ୍ଷା ନିମେନ୍ତ ଜାରି କରାଯାଇଛି । ଏହି କଟକଣାକୁ ଯିଏ ଉଲ୍ଲଂଘନ କରିବ ତାଙ୍କ ଉପରୁ ଜୋରିମନା ବାବଦରେ ସର୍ବନିମ୍ନ ୫ ଶହ ଟଙ୍କାରୁ ୧ ହଜାର ଟଙ୍କା ଆଦାୟ କରାଯିବ । ଏହି ଫାଇନ୍ ଆଦାୟ ପାଇଁ ପୋଲିସ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି ।