ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ଗଣେଶ । ହେଲମେଟ ପିନ୍ଧାଇଲେ , ସଚେତନ କଲେ

32

ଦିନକୁ ଦିନ ଟ୍ରାଫିକ ସମସ୍ୟା ଦେଶରେ ବଢିବାରେ ଲାଗିଛି । ଲୋକମାନଙ୍କ ଭିତରେ ଟ୍ରାଫିକ୍ ସଚେତନତା ସୃଷ୍ଟି କରିବା ନେଇ ବେଙ୍ଗାଲୁର ପୁଲିସ୍ ଗୋଟିଏ ପରେ ଗୋଟିଏ ନିଆରା ଢଙ୍ଗ ଆପଣେଇବାରେ ଲାଗିଛି। ନିକଟ ଅତୀତରେ ଯମରାଜଙ୍କ ବେଶ, ତା’ପରେ ଶାହାରୁଖ ଖାନଙ୍କ ସିଗ୍ନେଚର୍ ପୋଜକୁ ବ୍ୟବହାର କରି ବେଙ୍ଗାଲୁର ପୁଲିସ୍ ଟ୍ରାଫିକ୍ ସଚେତନତା ବାର୍ତ୍ତା ପ୍ରଦାନ କରି ସାରିଛି। ଏବେ ପୁଣି ଭଗବାନ ଗଶେଣଙ୍କ ରୂପରେ ସଜ ହୋଇ ଲୋକଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ପରାମର୍ଶ ଦେଉଥିବାର ଦୃଶ୍ୟ ବେଶ୍ ଚିତାକର୍ଷକ।

ବେଙ୍ଗାଲୁର ପୁଲିସର ଏହି ଅଭିଯାନରେ ଜଣେ ହିନ୍ଦୁ ଭଗବାନ ଗଣେଶଙ୍କ ରୂପ ହୋଇଛନ୍ତି। ଯେଉଁମାନେ ରାସ୍ତାରେ ହେଲମେଟ୍ ପିନ୍ଧି ଯାଉନାହାନ୍ତି ସେମାନଙ୍କୁ ହେଲମେଟ୍ ପିନ୍ଧାଇବା ସହ ହେଲମେଟ୍ ନପିନ୍ଧିଲେ ମୃତ୍ୟୁ ତାଙ୍କର ଅତି ନିକଟର ହୋଇପାରେ ବୋଲି ଚେତାବନୀ ଦେଉଛନ୍ତି। ଟ୍ରାଫିକ ସଚେତନତା ପାଇଁ ବିଘ୍ନନାଶକ ଗଣେଶଙ୍କୁ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଏହା ପୂର୍ବରୁ ବେଙ୍ଗାଲୁର ପୋଲିସ ଟ୍ରାଫିକ ସଚେତନତା ସୃଷ୍ଟି କରିବା ପାଇଁ ଯମରାଜଙ୍କୁ ରାସ୍ତାକୁ ଓହ୍ଲାଇଥିଲା । ଏହି ଯମରାଜ ଥରେ ପଛରେ ପଡିଲେ ଏତେ ସହଜରେ ଛାଡନ୍ତି ନାହିଁ । ଯେ ପର୍ଯ୍ୟନ୍ତ ଭାଙ୍ଗିଥିବା ବ୍ୟକ୍ତି ତା ଭୁଲର ଅନୁତାପ ନକରିଛି ସେପର୍ୟ୍ୟନ୍ତ ଯମରାଜ ତା ପିଛା ଛାଡନ୍ତି ନାହିଁ ।


ପ୍ରକୃତରେ କହିବାକୁ ଗଲେ ଯାତାୟତର ନିୟମ ଭଙ୍ଗ କଲେ ଦୁର୍ଘଟଣାର ଶିକାର ହୋଇପାରନ୍ତି ବୋଲି ଲୋକମାନଙ୍କୁ ସଚେତନ କରିବା ପାଇଁ ବାଙ୍ଗାଲୋର ପୋଲିସ ଏପରି ଏକ ପଦକ୍ଷେପ ଗ୍ରହଣ କରିଛି । କେବଳ ସେତିକି ନୁହେଁ ଗାଡି ଚଲାଇବା ବେଳେ ହେଲମେଟ ଧାରଣ କରିନଥିବା ବ୍ୟକ୍ତିଙ୍କ ପଛରେ ମଧ୍ୟ ଯମରାଜ ଗଦା ଧରି ଗୋଡାଉଥିବାର ଦେଖାଯାଇଛି ।

ସୂଚନା ଅନୁଯାୟୀ, ରାସ୍ତାରେ ଯମରାଜଙ୍କୁ ମୁତୟନ କରିବାର ଆଇଡିଆ ହଲାପୁର ଗେଟ ଯାତାୟତ ପୁଲିସର ଥିଲା । ସେଥିପାଇଁ ସେ ଜଣେ କଳାକାରଙ୍କୁ ଯମରାଜାଙ୍କ ପୋଷାକ ପିନ୍ଧାଇ ସଡକ ଉପରେ ମୁତ୍ତୟନ କରିଥିଲେ । ଯଦି କୌଣସି ବ୍ୟକ୍ତି ଟ୍ରାଫିକ ରୁଲ ଭାଙ୍ଗୁଥିଲା କିମ୍ବା ହେଲମେଟ ଧାରଣ ନକରି ରାସ୍ତାରେ ଗାଡି ଚଲାଉଥିବାର ନଜର ଆସୁଥିଲା ସେହି ସମୟରେ ଯମରାଜ ତାର ପିଛା କରି ତାଙ୍କୁ ଚେତାବନି ଦେଉଥିଲେ । ସେ କେବଳ ଚେତାବନି ଦେଉନଥିଲେ, ଲୋକମାନଙ୍କ ବେପରୁଆ ମନଭାବ ପାଇଁ କେତେ ଲୋକଙ୍କ ଜୀବନ ଯାଉଛି ତାହା ମଧ୍ୟ ଲୋକମାନଙ୍କୁ ଅବଗତ କରାଇଥିଲେ ।

ପୋଲିସର କହିବା ଅନୁସାରେ, ଦେଶରେ ସଡକ ଦୁର୍ଘଟଣା କାରଣରୁ ହେଉଥିବା ଅପମୃତ୍ୟୁକୁ ରୋକିବା ଏବଂ ଲୋକମାନଙ୍କୁ ସଚେତନ କରାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେଣୁ ଆଶା କରାଯାଉଛି କି ଲୋକମାନେ ଏହାକୁ ଠିକ ଭାବେ ବୁଝି ଆଗକୁ ସଚେତନ ହୋଇପାରିବେ ।