ରାବଣ ପୋଡ଼ି ପାଇଁ କମିସନରେଟ୍ ପୋଲିସ୍ ପକ୍ଷରୁ ଆଡ଼ଭାଇଜରି ଜାରି : ଭିଡ଼ ଏଡ଼ାଇବା ପାଇଁ ଜାଣନ୍ତୁ କେଉଁ ରାସ୍ତା ଆପଣାଇବେ ? ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ଜୋରିମାନା

300

କନକ ବ୍ୟୁରୋ : ଆଜି ବିଜୟା ଦଶମୀ । ଅଧର୍ମ ଉପରେ ଧର୍ମର ବିଜୟର ଦିବସ । ପୂଜା ମଣ୍ଡପରେ ମହିଷାମର୍ଦ୍ଦିନୀ, ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଚାଲିଛି ଆରାଧନା । ଦଶହରା ପାଇଁ ଘରେଘରେ ଜମିଛି ପିଠାପଣାର ଆସର । ଅସତ୍ୟ ଉପରେ ସତ୍ୟର ବିଜୟକୁ ସମଗ୍ର ଦେଶରେ ଆଜି ବିଜୟାଦଶମୀ ଭାବେ ପାଳନ କରାଯାଉଛି । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ସେ ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା  ହୋଇଛି ।

ରାବଣ ପୋଡ଼ିରେ ଭିଡ଼କୁ ଦୃଷ୍ଟିରେ ରଖି ଆଡ଼ଭାଇଜରି ଜାରି କରିଛି କମିସନରେଟ୍ ପୋଲିସ୍ । କଟକରୁ ଭୁବନେଶ୍ୱର ବରମୁଣ୍ଡା ଅଭିମୁଖେ ଆସୁଥିବା ବସ୍ ଜୟଦେବ ବିହାରରୁ ସିଧାସଳଖ ସିଆରପି ଛକକୁ ଯାଇପାରିବେ ନାହିଁ । କଟକରୁ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ବିହାରରୁ ଭାୟା ବେହେରା ସାହି ଛକ, ପାୱାର ହାଉସ୍ ଛକ, ୟୁନିଟ୍-୮ ଡିଏଭି ସ୍କୁଲ ଛକ ଏବଂ ଷ୍ଟିୱାର୍ଡ଼ ସ୍କୁଲ ଛକ ଦେଇ ସିଆରିପିରେ ପହଞ୍ଚିବାକୁ ପରାମର୍ଶ ଦେଇଛି କମିସନରେଟ୍ ପୋଲିସ୍ । ଅନ୍ୟପଟେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ଗୁଡ଼ିକ କୋଳଥିଆ ଛକରୁ ଚନ୍ଦକା, କଳିଙ୍ଗ ଷ୍ଟୁଡିଓ ଦେଇ ଭରତପୁର ଛକକୁ ଯିବ   । ରେଳଷ୍ଟେସନ୍ ଏବଂ ଏୟାରପୋର୍ଟ ଯିବାକୁ ଚାହୁଥିବା ବ୍ୟକ୍ତି ଉପରୋକ୍ତ ନିର୍ଦ୍ଦେଶକୁ ଧ୍ୟାନରେ ରଖି ଯିବା ପାଇଁ ପରାମର୍ଶ ଦିଆଯାଇଛି । 

ଅପରାହ୍ନ ୪ଟାରୁ ରାତି ୧ଟା ଯାଏଁ ଏହି କଟକଣା ଜାରି ରହିବ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ଦେଖି ଏପରି ନିଦ୍ଦେଶ ଦେଇଛି କମିସନରେଟ୍ ପୋଲିସ୍ । କେବଳ ଏତିକି ନୁହେଁ, ନିୟମ ଉଲ୍ଲଂଘନକାରୀଙ୍କୁ ଉପରେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା  ଲାଗିବ ।