ଚଳିତ ବର୍ଷ କେନ୍ଦ୍ରରେ ଆସିବ କାମଚଳା ବଜେଟ । ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟକୁ କରିବେ ଉପସ୍ଥାପନ

ବଜେଟ୍କୁ ନେଇ ରହିଥିବା ଦ୍ବନ୍ଦ୍ବକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦୂର କରାଯାଇଛି

51

କନକ ବ୍ୟୁରୋ : ବଜେଟ୍କୁ ନେଇ ରହିଥିବା ଦ୍ବନ୍ଦ୍ବକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦୂର କରାଯାଇଛି। ଫେବ୍ରୁଆରି ୧ରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦୀ ସରକାରଙ୍କ ଶେଷ ବଜେଟ୍। ନିର୍ବାଚନ ବର୍ଷରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ରହିଛି। ସେହି ପରମ୍ପରାକୁ ମୋଦୀ ସରକାର ଭାଙ୍ଗିବାକୁ ବସିଛନ୍ତି ବୋଲି ଚର୍ଚା ହେଉଥିଲା। ବାଣିଜ୍ୟ ମନ୍ତ୍ରଣାଳୟର ଏକ ହ୍ବାଟସ୍ଆପ୍ ମେସେଜ୍ ବଜେଟ୍କୁ ନେଇ ରହିଥିବା ଦ୍ବନ୍ଦ୍ବକୁ ବଢ଼ାଇ ଦେଇଥିଲା।

ଗଣମାଧ୍ୟମକୁ ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ଏକ ବାର୍ତାରେ ୨୦୧୯-୨୦ ବଜେଟ୍କୁ ଅନ୍ତରୀଣ ବଜେଟ୍ ବିଚାର ନକରି ତାହାକୁ ସାଧାରଣ ବଜେଟ୍ ୨୦୧୯-୨୦ ଭାବେ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ବଜେଟ୍କୁ ନେଇ ଦ୍ବନ୍ଦ୍ବ ବଢ଼ିବାରୁ ଅର୍ଥ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ସହ ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରାଯିବ ବୋଲି ସ୍ପଷ୍ଟ କରିଛି। ବଜେଟ୍କୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଯଦି ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ତେବେ ଦଳ ପକ୍ଷରୁ ତାହାକୁ ଉଭୟ ସଂସଦ ଭିତରେ ଓ ବାହାରେ ବିରୋଧ କରାଯିବ।

ଚିକିତ୍ସା ପାଇଁ ଆମେରିକା ଯାଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ଥାନରେ ପୀୟୂଷ ଗୋୟଲଙ୍କୁ କାମଚଳା ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଗତ ସପ୍ତାହରେ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଜେଟଲୀ ପାଞ୍ଚ ଥର ବଜେଟ୍ ଉପସ୍ଥାପନ କରିସାରିଛନ୍ତି। ପ୍ରଚଳିତ ପ୍ରଥା ଅନୁସାରେ ଲୋକସଭା ନିର୍ବାଚନ ହେବାକୁ ଥିବା ବର୍ଷରେ ସରକାର ଏକ ନିର୍ଦିଷ୍ଟ ଅବଧିର ଖର୍ଚ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଥାନ୍ତି ଏବଂ ନିର୍ବାଚନ ପରେ ନୂତନ ସରକାରଙ୍କ ତରଫରୁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଥାଏ। ୨୦୧୪ର ଲୋକସଭା ନିର୍ବାଚନ ପୂର୍ବରୁ ସେହି ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିବା ପି ଚିଦମ୍ବରମ୍ ଫେବ୍ରୁଆରି ମାସରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ନିର୍ବାଚନରେ ମୋଦୀ ସରକାର ବିଜୟୀ ହେବା ପରେ ସେହି ବର୍ଷ ଜୁଲାଇ ମାସରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ପୂର୍ବରୁ ଫେବ୍ରୁଆରି ମାସର ଶେଷ ତାରିଖରେ ବଜେଟ୍ ଉପସ୍ଥାପନ କରାଯାଉଥିଲା। ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ସେହି ପରମ୍ପରାକୁ ବଦଳାଇ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।