ଫାଟକ ଆସିଲେ ପକେଟ୍ ଖାଲି

69

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବସ୍ ଯାତ୍ରୀଙ୍କ ଉପରେ ଟିକସ ପାହାର । କେନ୍ଦ୍ର ଓ ରାଜ୍ୟ ସରକାର ଯାତ୍ରୀଙ୍କ ଉପରେ ଲଦିଛନ୍ତି ଟୋଲ୍ ଟିକସ । ୨୦ କିଲୋମିଟରରୁ ଅଧିକ ଦୂର ଯାତ୍ରା କରୁଥିବା ଯାତ୍ରୀ ମାନେ ଏହି ଟିକସ ଦେବେ । ଥରେ ଯାଆସ କଲେ ଟୋଲଗେଟରେ ବସ୍ ପିଛା ଆଦାୟ ହେବ ୫ ଶହ ଟଂକା । ବସ୍ ମାଲିକ ଦେବେ ୧୭୦ ଟଂକା । ଯାତ୍ରୀ ଦେବେ ୩୩୦ ଟଂକା । ଟୋଲଗେଟ୍ ଫି ନେଇ ରାଜ୍ୟ ସରକାର ଜାରି କରିଛନ୍ତି ଏହି ବିଜ୍ଞପ୍ତି । ଆଉ ସରକାରଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଲେ କିଲୋମିଟର ପିଛା ବସ୍ ଭଡା ୫ ରୁ ୬ ପଇସା ବଢିବ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ ।

ରାଜ୍ୟର ୮ଟି ଟୋଲଗେଟରୁ ଆଦାୟ ହେବ ଟିକସ । ସେଗୁଡିକ ହେଲା କଟକ ଓ ଚଣ୍ଡିଖୋଲର ୫ ନମ୍ବର ଜାତୀୟ ରାଜପଥରେ ଥିବା ମଙ୍ଗୁଳି, ଭଦ୍ରକ ଓ ଚଣ୍ଡିଖୋଲ ମଧ୍ୟରେ ଥିବା ପାଣିକୋଇଲି, ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ ଥିବା ଶେରଗଡ, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ୨୦୩ ନମ୍ବର ଜାତୀୟ ରାଜପଥରେ ପିପିଲି, ଚଣ୍ଡିଖୋଲ ଓ ପାରାଦୀପ ମଧ୍ୟରେ ଥିବା ଶ୍ରୀରାମପୁର, ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ୫ ନମ୍ବର ଜାତୀୟ ରାଜପଥର ଗୁଡିପଡା, ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ଥିବା ଗୁରାପାଲ୍ଲୀ ଏବଂ ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବାହାରଗୋଡା ।

ଭୁବନେଶ୍ୱରରୁ ପୁରୀ ଯାତ୍ରା ପାଇଁ ପିପିଲି ଟୋଲଗେଟରେ ଆଦାୟ ହେବ ଟିକସ । ଏଠାରେ ବସ୍ ମାଲିକ ଦେବେ ୧ ଟଂକା ୩୦ ପଇସା ଏବଂ ଯାତ୍ରୀ ଦେବେ ୨ ଟଂକା ୬୦ ପଇସା । ଭୁବନେଶ୍ୱରରୁ ପୁରୀ ଯାତ୍ରା ପାଇଁ ବର୍ତମାନ ଭଡା ରହିଛି ୬୦ ଟଂକା । ଏଥିରେ ଟୋଲ୍ ଟିକସ ମିଶାଇଲେ ଏବେ ଯାତ୍ରୀଙ୍କୁ ୬୩ ଟଂକା ଦେବାକୁ ପଡିବ ।

ରାଜ୍ୟ ସରକାରଙ୍କ ଟିକସ ବୋଝ ନିଷ୍ପତିକୁ ବିରୋଧ କରିଛି ଘରୋଇ ବସ୍ ମାଲିକ ସଂଘ । ଆଉ ଧର୍ମଘଟର ଚେତାବନୀ ଦେଇଛି । ବିଜ୍ଞପ୍ତି ପ୍ରତ୍ୟାହାର ନକଲେ ବସ୍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛି । ସେପଟେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର ।