ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିବା ସହ ମଙ୍ଗଳ କାମନା କରିଥାଏ ଭଉଣୀ, ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗହ୍ମାପୂର୍ଣ୍ଣିମା ସ୍ୱତନ୍ତ୍ର ନୀତି

148

କନକ ବ୍ୟୁରୋ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଜିର ଦିନରେ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରୀ ମଜବୁତ କରିଥାନ୍ତି । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣମୀ । ଏହି ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳନ ହୋଇ ଆସୁଛି । ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଲେ ଭଉଣୀର ସବୁ ଦୁଃଖ ବିପଦରେ ସାହା ହେବ ବୋଲି ଆଶାରଖି ଥାଏ । ଭାଇ ମଧ୍ୟ ସେହି ଦିନ ପ୍ରତିଜ୍ଞା ବଦ୍ଧ ହୁଏ, ଭଉଣୀକୁ ସୁରକ୍ଷା ଦେବା ପାଇଁ ।

ସେପଟେ ଆଜି ଶ୍ରୀମନ୍ଦିରରେ ବି ଗହ୍ମାପୂର୍ଣ୍ଣିମା ପାଳନ କରାଯିବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରାକ୍ଷୀ ଲାଗି କରାଯିବ । ପାରମ୍ପରିକ ପାଟରାସେବକଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ ବି ହେବ । ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଛି ।

ସେପଟେ, ଭାଇ ସବୁଦିନ ଭଉଣୀର ରକ୍ଷା କରିବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିବା ବେଳେ ରକ୍ଷାସୂତ୍ର ଭାବେ ଭଉଣୀ ମଧ୍ୟ ଭାଇକୁ ରାକ୍ଷୀ ବାନ୍ଧିଥାଏ । ତେବେ ଆଜିବି ଏଭଳି କିଛି ଭାଇ ଭଉଣୀ ଅଛନ୍ତି ଯେଉଁମାନେଏହି ପର୍ବକୁ ପାଳନ କରିପାରୁନାହାନ୍ତି । ସୀମାରେ ମୁତୟନ ଥିବା ସେନା ଦେଶର ରକ୍ଷା କରିବା ପାଇଁ ସବୁ ପର୍ବପର୍ବାଣୀକୁ ତ୍ୟାଗ କରିଥାନ୍ତି । ତେବେ ଏଭଳି ଯବାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଦେହରାଦୁନ ସଂସ୍କାର ସଂଗଠନ ଓ ଜୀବିକା ଇନଷ୍ଟିଚ୍ୟୁଟ ପକ୍ଷରୁ ଉଦ୍ୟମ କରାଯାଇଛି । ସଂସ୍କାର ସଂଗଠନ ଓ ଜୀବିକା ଇନଷ୍ଟିଚ୍ୟୁଟର ଯୁବତୀମାନେ ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହାସହ ତାଙ୍କ ଦୀର୍ଘୀୟୁ କାମନା କରିଛନ୍ତି । ସେହିପରି ଜମ୍ମୁରେ ମଧ୍ୟ ବିସଏଫ୍ ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ପିଲା । ବିଏସଏଫ୍ ଯବାନଙ୍କୁ ଆଳତି କରି ରାକ୍ଷୀ ବାନ୍ଧିବା ପରେ ମିଠା ଖୁଆଇ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଏହି କୁନି ଭଉଣୀମାନେ । ଏନେଇ ଯବାନଙ୍କ ମଧ୍ୟରେ ବହୁ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।