ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ : ମାଲକାନଗିରି ଓ ନୂଆପଡା ବାଦ୍ ୨୮ଟି ଜିଲ୍ଲାରେ ହେବ ମତଦାନ

65

କନକ ବ୍ୟୁରୋ : ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ମାଲକାନଗିରି ଓ ନୂଆପଡା ଛାଡିଦେଲେ ୨୮ଟି ଜିଲ୍ଲାରେ ନିର୍ବାଚନ ହେବ । ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଯୋଗୁଁ ନୂଆପଡା ଓ ମାଲକାନଗିରିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରହିବ । ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇଛି ।

ଓଡିଶା ଜିଲ୍ଳାପରିଷଦ ଆଇନ ୧୯୯୪ରେ ରାଜ୍ୟ ସରକାର ସଂଶୋଧନ କରିଥିବାରୁ ଗୁପ୍ତ ମତଦାନ ହୋଇପାରିବ ନାହିଁ । ରାଜନୈତିକ ଦଳର ଏଜେଂଟମାନେ ସେଠାରେ ଉପସ୍ଥିତ ରହିବ । ଏଜେଂଟ ନିଯୁକ୍ତି ପାଇଁ କମିଶନଙ୍କ ପକ୍ଷରୁ ଦଳ ମାନଙ୍କୁ ନିର୍ଦ୍ଧାରିତ ଫର୍ମ ଯୋଗାଇ ଦିଆଯାଇଛି । ଅନ୍ୟପଟେ ଏହି ସଂଶୋଧନକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।

୧୬ଟି ଜିଲ୍ଲାରେ ବିଜେଡିର ବହୁମତ ରହିଛି । ୮ଟି ବିଜେପିକୁ ସ୍ପଷ୍ଟ ମତ ମିଳିସାରିଛି । କେବଳ ଝାରସୁଗୁଡାରେ କଂଗ୍ରେସ ଜିଲ୍ଲାପରିଷଦ ଗଠନକରିବ । ତେବେ ୫ଟିଜିଲ୍ଲାରେ କୌଣସି ଦଳକୁ ସ୍ପଷ୍ଟ ବହୁତମ ମିଳି ନାହିଁ । ତେଣୁ ସେଠାରେ କିଏ ଜିଲ୍ଲା ପରିଷଦ ଗଠନ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଜିଲ୍ଲା ପରିଷଦ ଗଠନ ନେଇ ଝୁଲା ସ୍ଥିତି ଥିବା ୫ଟି ଜିଲ୍ଲା ହେଉଛି ଗଜପତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା ଓ ସୁନ୍ଦରଗଡ । ବିଜେଡି, ବିଜେପି କିମ୍ବା କଂଗ୍ରେସକୁ ଏସବୁ ଜିଲ୍ଲାରେ ସ୍ପଷ୍ଟ ବହୁମତ ମିଳି ନାହିଁ । ତେଣୁ ଏସବୁ ଜିଲ୍ଲାରେ ଘୋଡାବେପାର ହେବା ସମ୍ଭାବନା ଥିବା ଚର୍ଚ୍ଚା ହେଉଛି ।