ଚକ୍ରବ୍ୟୁହରେ ସୁନ୍ଦରୀ ! ବାଘୁଣୀକୁ ନିସ୍ତେଜ କରି ଏନକ୍ଲୋଜରକୁ ଆଣିବା ପାଇଁ ପ୍ରସ୍ତୁତି,କୁମୁରି ଗାଁକୁ ଘେରି ରହିଛନ୍ତି ଟ୍ରାଙ୍କୁଲାଇଜର ଟିମ

40

କନକ ବ୍ୟୁରୋ : ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ଖୁବଶୀଘ୍ର ଧରାପଡିବ । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଘଂଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ତିନିଟି ବିଶେଷଜ୍ଞ ଟିମ୍ । ଯେ କୌଣସି ସମୟରେ ସୁନ୍ଦରୀକୁ କାବୁ କରିବାକୁ ଆବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ପ୍ରସ୍ତୁତ ଅଛନ୍ତି ଏହି ଟିମ୍ । ରେଡିଓ କଲାର ଦ୍ୱାରା ତାର ଅବସ୍ଥିତି ଜାଣିବାକୁ ଚେଷ୍ଟା କରାଯାଉଛି । ବାଘୁଣୀ ଏବେ କୁମୁରୀ ଗାଁରୁ ପ୍ରାୟ ୨୦୦ ମିଟର ଅଂଚଳରେ ଥିବା ଅନୁମାନ କରୁଛି ଟ୍ରାଙ୍କୁଲାଇଜ୍ ଟିମ୍ ।

ସାତକୋଶିଆର ଘଂଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ନିଶ୍ଚେତକ ଦଳ । କଡା ସୁରକ୍ଷା ଭିତରେ ଚାଲିଛି ବାଘ ଖୋଜା । ବାଘୁଣୀ ବେକରେ ଲାଗିଥିବା ରେଡିଓ କୋଲାରକୁ ଟ୍ରାକ୍ କରି ତାକୁ ଠାବ କରାଯାଉଛି । ଆଉ ମିଳିବା ମାତ୍ରେ ଟ୍ରାଙ୍କୁଲାଇଜ୍ କରିବାକୁ ପ୍ରସ୍ତୁତ ଅଛନ୍ତି ଟିମ୍ । ବାଘ ଧରିବାକୁ ବଛା ବଛା ଅଧିକାରୀଙ୍କୁ ନେଇ ତିଆରି ହୋଇଛି ୩ ଟି ଟିମ୍ । ଓୟୁଏଟି ଓ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞଙ୍କ ସହ ସାମିଲ ହୋଇଛନ୍ତି ଶିମିଳିପାଳର ବରିଷ୍ଠ ଅଧିକାରୀ ।

ସାତକୋଶିଆର କୋର୍ ଅଂଚଳରେ ଥିବା କୁମୁରି ଗାଁର ୨୦୦ ମିଟର ଭିତରେ ବାଘୁଣୀ ସୁ୍ନ୍ଦରୀ ଥିବା ଅନୁମାନ କରାଯାଉଛି । ସୋମବାର, ସୁନ୍ଦରୀ ଏହି ଗାଁରେ ବଳଦ ଶିକାର କରିଥିଲା । ତେଣୁ ଟ୍ରାଙ୍କୁଲାଇଜ୍ର ଟିମ୍ ଗାଁକୁ ଘେରି ରହିଛନ୍ତି । କିଛି ଅଧିକାରୀ ଜଙ୍ଗଲ ଭିତରେ ପଶି ବାଘର ପାଦ ଚିହ୍ନ ଓ ଗତିବିଧି ଅନୁଧ୍ୟାନ କରୁଛନ୍ତି । ବାଘୁଣୀ ଠାବ ହେବା ମାତ୍ରେ ଘଂଚ ଜଙ୍ଗଲ ଭିତରେ ନିଶ୍ଚେତକ ଦେଇ ତାକୁ ଅଚେତ କରାଯିବ । ପରେ ସାଙ୍ଗରେ ଆଣିଥିବା ଏନକ୍ଲୋଜରରେ ସୁନ୍ଦରୀକୁ ନେବାକୁ ବ୍ୟବସ୍ଥା କରାଯାଇଛି ।

ବାଘ ଧରିବାକୁ ଟ୍ରାଙ୍କୁଲାଇଜ୍ ଟିମ୍ ଜଙ୍ଗଲରେ ଡେରା ପକାଇଥିବା ବେଳେ କୁମୁରି ଗାଁରେ ଆତଙ୍କ ଖେଳିଯାଇଛି । ବାଘ ଭୟରେ ଏବେବି ଗାଁରେ ତାଟି କବାଟ ବନ୍ଦ ରହିଛି । ତେବେ ଗାଁ ଲୋକଙ୍କ ମନରେ ଟିକେ ଖୁସି ବି ରହିଛି , ହୁଏତ ବାଘ ଆଜି ଧରା ହେବ ଏବଂ ଗାଁରୁ ହଟିବ ଆତଙ୍କ । ଦିନତମାମ ବାଘ ଖୋଜା ଚାଲିଥିବା ବେଳେ ରାତିରେ ବି ଅଭିଯାନ ଜାରି ରହିବ ବୋଲି ଜଣାପଡିଛି । ଆଶା କରାଯାଉଛି, ଖୁବଶୀଘ୍ର ଆୟତକୁ ଆସିବ ସାତକୋଶିଆରେ ଆତଙ୍କ ଖେଳାଇଥିବା ସୁନ୍ଦରୀ ।