ସନ୍ଧ୍ୟାରେ ଶପଥ ନେବେ ମୋଦି, ସୁରକ୍ଷା ଦେବେ ଏନଏସଜି କମାଣ୍ଡୋ । ବିଦେଶୀ ଅତିଥିଙ୍କ ସୁରକ୍ଷା ପାଇଁ ଦିଲ୍ଲୀରେ ହାଇ ଆଲର୍ଟ । 

151

ପ୍ରାୟ ୮ ହଜାର ଅତିଥିଙ୍କ ଗହଣରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ୮ ହଜାର ଅତିଥିଙ୍କ ମଧ୍ୟରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ଏପରିକି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ । ସେହିଭଳି ଦେଶର ବିଶିଷ୍ଟ ଶିଳ୍ପପତି ଓ ଭିଭିଆଇପି ମାନେ ମଧ୍ୟ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ । ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଖାସକରି ନୂଆଦିଲ୍ଲୀ, ମଧ୍ୟ ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀକୁ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି ।

ଏହି ୩ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀ ପୋଲିସ ସହ ପାରାମିଲିଟାରୀ ଫୋର୍ସକୁ ମଧ୍ୟ ଏହି ୩ ଅଞ୍ଚଳରେ ମୁତୟନ କରାଯାଇଛି । ପ୍ରତିଟି ଗତିବିଧି ଉପରେ ସୁରକ୍ଷାକର୍ମୀଙ୍କ ତୀକ୍ଷ୍ମ ନଜର ରହିଛି ।  ଏପରିକି କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ପୂରା ବନ୍ଦୋବସ୍ତ କରାଯାଇଛି । ଏପରିକି ସମ୍ବେଦନଶୀଳ ସ୍ଥାନାରେ ସାର୍ପସୁଟରଙ୍କୁ ମଧ୍ୟ ମୁତୟନ କରାଯାଇଛି । ଯେଉଁମାନେ ପୂରା ଅଞ୍ଚଳ ଉପରେ ନଜର ରଖିଛନ୍ତି । ଏନଏସଜି କମାଣ୍ଡୋଙ୍କ ରାଡାରରେ ରହିବ ପୂରା ଅଞ୍ଚଳ । ଖାସକରି ଶପଥଗ୍ରହଣ ଉତ୍ସବ ହେଉଥିବା ରାଷ୍ଟ୍ରପତି ଭବନରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ପାସଧାରୀ ବ୍ୟକ୍ତି ମାନେ ରାଷ୍ଟ୍ରପତି ଭବନ ମାର୍ଗରେ ଯାତାୟତ କରିପାରିବେ ସାଧାରଣ ଲୋକଙ୍କ ପାଇଁ ଏହି ମାର୍ଗ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।