ଦିଲ୍ଲୀ ଦରବାରରେ ମୋଦିଙ୍କ ରାଜ୍ୟାଭିଷେକ ପାଇଁ ସମାରୋହ । ସେପଟେ ଗୁଜୁରାଟରେ ଷଡଯନ୍ତ୍ର ରଚୁଛି ପାକିସ୍ତାନ ।

753

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଦିଲ୍ଲୀରେ ହେବ ନରେନ୍ଦ୍ର ମୋଦିଙ୍କ ରାଜ୍ୟଭିଷେକ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି । ଅନ୍ୟପଟେ ନିଜ କୁଟ ଚକ୍ରାନ୍ତ ଜାରି ରଖିଛି ପାକିସ୍ତାନ । ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟର କଚ୍ଛ ବୋର୍ଡର ଠାରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । କିନ୍ତୁ ଏହି ଦୁଇ ପାକିସ୍ତାନୀଙ୍କ ସମେତ ଏକ ପାକ୍ ଜାହାଜକୁ ବିଏସଏଫ ଯବାନ କାବୁ କରିବାରେ ସଫଳ ହୋଇଛନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି, ଏହା ପୂର୍ବରୁ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଆତଙ୍କୀ ସମୁଦ୍ରପଥ ଦେଇ ଭାରତରେ ପ୍ରବେଶ କରିଥିଲେ । ସୂଚନା ଅନୁଯାୟୀ, ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଆଉ ଏହି ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ପାଖାପାଖି ୬,୫୦୦ ଅତିଥି ସାମିଲ ହେବେ । ତେବେ ଏହି ଉତ୍ସବକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ତେବେ କୁହାଯାଉଛି, ପାକିସ୍ତାନକୁ ନିମନ୍ତ୍ରଣ ନକରି ମୋଦି ଏହି ସଙ୍କେତ ଦେଇଛନ୍ତି ଯେ, ଯଦି ଆତଙ୍କାବାଦୀଙ୍କ ବିରୋଧରେ ପାକିସ୍ତାନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଭାରତ ପାକିସ୍ତାନ ସହ କୌଣସି ସମ୍ପର୍କ ରହିବ ନାହିଁ ।