ରାଜଧାନୀ ଉପକଣ୍ଠରେ ମାତିଛି ଜଙ୍ଗଲି ବାଘ : ୪ରାତି ଅନିଦ୍ରା ଗାଁ ଲୋକ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗାଁ ଲୋକଙ୍କୁ ୪ ଦିନ ହେଲା ଘାରିଛି ବାଘ ଭୟ । ରାଜଧାନୀ ଉପକଂଠ ବାଲିପାଟଣାରେ ରାତି ଶୋଇ ପାରୁନାହାଁନ୍ତି ଲୋକେ । ଭୟ ଓ ଆଶଙ୍କାରେ ସଂଧ୍ୟା ହେଲେ ପଡି ଯାଉଛି ତାଟି କବାଟ । ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ବାଲିପାଟଣା ସୋମଣା ଶାସନ ଅଂଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ଲୋକେ ଆଶଙ୍କା କରୁଛନ୍ତି । ଗାଁରେ ପଶି ଗାଈ ଓ କୁକୁରକୁ ଆକ୍ରମଣ କରିଛି ବାଘ । ଏତେ ଦିନ ଧରି ବନ ବିଭାଗ, ବାଘଟିକୁ ଠାବ କରିବାରେ ବିଫଳ ହୋଇଛି । ଫଳରେ ଆତଙ୍କିତ ହୋଇପଡିଥିବା ଗାଁ ଲୋକ ନିଜ ସୁରକ୍ଷା ନିଜେ କରିବାକୁ ଆଗେଇ ଆସିଛନ୍ତି । ଗାଁର କିଛି ସାହସୀ ଯୁବକ ହାତରେ ନିଆଁ ହୁଳା, ଠେଙ୍ଗା ଓ ମାରଣାସ୍ତ୍ର ଧରି ଗାଁ ପାଖ, ବିଲ, ବୁଦା, ଜଙ୍ଗଲରେ ଖୋଜି ବୁଲୁଛନ୍ତି । କିଛି ଲୋକ ବାଘକୁ ଦେଖିଥିବା ପ୍ରକାଶ କରିଛନ୍ତି । ଗୋରୁ ଗୁହାଳରେ ପଶି ଗାଈକୁ ଆକ୍ରମଣ କରିଥିଲା ବାଘ । ରକ୍ତାକ୍ତ ଗାଈକୁ ଦେଖି ଆହୁରି ଆତଙ୍କିତ ହୋଇପଡିଛନ୍ତି ଲୋକ । ଛୋଟ ପିଲାଙ୍କୁ ଧରି ଘରୁ ବାହାରିବାକୁ ଭୟ କରୁଛନ୍ତି । ବନ ବିଭାଗ କର୍ମଚାରୀ ଗାଁରେ ରହି ବାଘକୁ ଖୋଜୁଛନ୍ତି । ହେଲେ ଅଧିକ କର୍ମଚାରୀ ନିୟୋଜିତ କରି ବାଘକୁ ତୁରନ୍ତ କାବୁ କରିବାକୁ ଗାଁ ଲୋକେ ଦାବି କରିଛନ୍ତି ।