ହକି ବିଶ୍ୱକପ ଉଦଘାଟନୀ ଉତ୍ସବ : ଆଜି ଅନଲାଇନରେ ବିକ୍ରି ହେବ ଟିକେଟ, ଜାଣନ୍ତୁ କେଉଁ ସାଇଟକୁ ଯାଇ କିଣିବେ ଟିକେଟ

424

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ବିକ୍ରି ହେବ ଟିକେଟ । ଦିନ ୧୨ଟା ସମୟରେ ଅନଲାଇନରେ ଟିକେଟ ବିକ୍ରି ହେବ । ଆଉ ଏହି ସମୟକୁ ଅପେକ୍ଷା କରି ବସିଛନ୍ତି ହକି ପ୍ରେମୀ ।୨୭ ଓ ୨୮ ଦୁଇଦିନ ଧରି ଭୁବନେଶ୍ୱର ଓ କଟକରେ ଆୟୋଜିତ ହେଉଥିବା ଉଦଘାଟନୀ ଉତ୍ସବ ପାଇଁ ଟିକେଟ ବିକ୍ରି କରାଯିବ । ଏନେଇ ହକି ଇଣ୍ଡିଆ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା । ହକିପ୍ରେମୀ ମାନେ www.ticketgenie.in ସାଇଟକୁ ଯାଇ ଅନଲାଇନରେ ଟିକେଟ କିଣିପାରିବେ । ପରେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରୁ ଟିକେଟ ନେଇପାରିବେ ହକିପ୍ରେମୀ ।

HOCKEYକଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ଥିବା ବେଳେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସର ବ୍ୟବସ୍ଥା ରହିନାହିଁ । କଳିଙ୍ଗ ଷ୍ଟାଡିୟମ ପାଇଁ ପ୍ରାୟ ୧୨୦୦୦ ଟିକେଟ ବିକ୍ରି ହେବାକୁ ଥିବା ବେଳେ ବାରବାଟୀ ଷ୍ଟାଡିୟମ ପାଇଁ ୩୦୦୦୦ ଟିକେଟ ବିକ୍ରି ହେବାକୁ ରହିଛି ।

ଗତକାଲି ହକି ଇଣ୍ଡିଆର ସିଇଓ ଏଲାନା ନରିମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ଦେଇଥିଲେ । ଏଥିପାଇଁ ନବୀନ ୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା ଏ.ଆର ରେହମାନ ଯୋଗ ଦେଉଥିବାରୁ ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଛି । ବଲିଉଡ ତାରକାଙ୍କୁ ଏତେ ପାଖରୁ ଦେଖିବାର ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି କ୍ରୀଡାପ୍ରେମୀ । ଏହାଛଡା ଭାରତ ଖେଳିବାକୁ ଥିବା ମ୍ୟାଚ୍ ଗୁଡିକର ଟିକେଟ ଶେଷ ହୋଇଯାଇଛି ।