ଶ୍ରମିକଙ୍କ ପାଇଁ ‘ସୁପ୍ରିମ୍’ ଫୈସଲା । ପ୍ରବାସୀ ଶ୍ରମିକଙ୍କ ଠାରୁ ନିଆଯିବନି କୌଣସି ବାଟ ଖର୍ଚ୍ଚ, ପଦଚାରୀ ଶ୍ରମିକ ଯେଉଁବାଟ ଦେଇ ଯିବେ ସବୁ ବ୍ୟବସ୍ଥା କରିବେ ଉକ୍ତ ରାଜ୍ୟର ସରକାର ।

738

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଅଶ୍ୱସ୍ତି । ଶ୍ରମିକଙ୍କ ଠାରୁ ନିଆଯିବନାହିଁ ବସ୍ କି ରେଳଯାତ୍ରା ଖର୍ଚ୍ଚ । ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଖାଦ୍ୟ ବ୍ୟବସ୍ଥାରୁ ଆରମ୍ଭ କରି ପାନୀୟ ବ୍ୟବସ୍ଥା ପର୍ଯ୍ୟନ୍ତ, ଯେଉଁ ରାଜ୍ୟ ଦେଇ ଶ୍ରମିକ ଯିବେ ସେହି ରାଜ୍ୟର ସରକାର ତାଙ୍କ କଥା ବୁଝିବେ ବୋଲି ‘ସୁପ୍ରିମ୍’ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚନ୍ୟାୟାଳୟ ।

ସବୁଠାରୁ ବଡ଼କଥା ହେଲା କି, ରେଳ ଓ ବସରେ ଫେରୁଥିବା ଶ୍ରମିକ ମାନଙ୍କ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଉପଯୁକ୍ତ ପରିମାଣରେ କରିବାକୁ କଡ଼ା ନିର୍ଦ୍ଦେଶ । ତୁରନ୍ତ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପ୍ରତି ଠିକ୍ ବ୍ୟବସ୍ଥା ହେଉନଥିବା ନେଇ ଚିନ୍ତାବ୍ୟକ୍ତ କଲେ କୋର୍ଟ ।

ମାମଲାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି କି, ପଞ୍ଜୀକରଣ ଠୁ ପରିବହନରେ ସଂଘାତିକ ତ୍ରୁଟି ଥିବା ଦେଖାଯାଉଛି । ଏପରିକି ସେମାନଙ୍କୁ ଠିକ୍ ଭାବେ ଖାଦ୍ୟ ଏବଂ ପିଇବା ପାଣି ବି ମିଳୁନଥିବା ଦେଖାଯାଉଛି । ତେଣୁକରି ତୁରନ୍ତ ଏନେଇ ପ୍ରତି ରାଜ୍ୟର ସରକାରମାନେ ଗୁରୁତ୍ୱଦେଇ ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ସୁବିଧା ଯୋଗାଇଦେବେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ।