ବିଜେପି ନେତାଙ୍କ ଗାଡିରେ ୨୦ ହଜାର କୋଟି ! ଭାଇରାଲ ଫଟୋର ସତ ଜାଣନ୍ତୁ

69

ଗତ କିଛି ଦିନ ଧରି ଫେସବୁକରେ ଗୋଟିଏ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ତିନୋଟି ଫଟୋ ଥିବା ଏକ ପୋଷ୍ଟକୁ ଅନେକ ଲୋକ ସେୟାର କରିବାରେ ଲାଗିଛନ୍ତି । ତିନୋଟି ଫଟୋ ମଧ୍ୟରୁ ପ୍ରଥମ ଫଟୋରେ କିଛି ଲୋକ ଗାଡି ସହ ପୋଲିସ ପାଖରେ ଛିଡା ହୋଇଥିବା ବେଳେ ବାକି ଦୁଇଟି ଫଟୋରେ ଗୋଲାପୀ ରଙ୍ଗର ନୂଆ ୨୦୦୦ ଟଙ୍କିଆ ନୋଟର ବିଡା ଦେଖିବାକୁ ମିଳୁଛି । ତେବେ ସବୁଠୁ ବଡ କଥା ହେଲା ଏହି ଭାଇରାଲ ପୋଷ୍ଟରେ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛନ୍ତି ।ଯାହା ଭାଇରାଲ ପୋଷ୍ଟକୁ ଆହୁରି ଚର୍ଚ୍ଚିତ କରିଛି ।

ଭାଇରାଲ ପୋଷ୍ଟରେ କଣ ରହିଛି:
ଭାଇରାଲ ପୋଷ୍ଟର ତିନୋଟି ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ପ୍ରଥମ ଫଟୋରେ ଦୁଇଟି ଗାଡି ସହ କିଛି ଲୋକ ଛିଡା ହୋଇଛନ୍ତି । ପାଖରେ ଜଣେ ପୋଲିସ ବାବୁ ଛିଡା ହୋଇଥିବା ଦେଖାଯାଉଛି । ଏପରିକି ଗୋଟିଏ ଗାଡି ମଧ୍ୟରେ କିଛି ବସ୍ତା ରହିଥିବାର ଫଟୋରେ ଦେଖାଯାଉଛି । କିନ୍ତୁ ବାକି ଦୁଇଟି ଫଟୋ କୌଣସି ଘର ମଧ୍ୟରେ ଉଠାଯାଇଛି । ଗୋଟିଏ ଫଟୋ ଅତି ପାଖରୁ ଉଠାଯାଇଥିବା ବେଳେ ଅନ୍ୟ ଫଟୋଟି ଟିକଏ ଦୂରରୁ ଉଠାଯାଇଛି । କିନ୍ତୁ ଦୁଇଟି ଫଟୋରେ ଗୋଲାପୀ ରଙ୍ଗର ନୂଆ ୨୦୦୦ ଟଙ୍କିଆ ନୋଟର ବିଡା ଦେଖିବାକୁ ମିଳୁଛି । ଏହି ତିନୋଟି ଫଟୋକୁ ଏକାଠି କରି ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଲେଖାଯାଇଛି, ଏହି ସମସ୍ତ ୨୦୦୦ ଟଙ୍କିଆ ନୋଟ ବିଜେପି ନେତା ସୁଧୀର ଗାଡଗିଲଙ୍କ ଠାରୁ ଜବତ କରାଯାଇଛି । ପ୍ରାୟ ୨୦ ହଜାର କୋଟି ଟଙ୍କା ସୁଧୀରଙ୍କ ଠାରୁ ଜବତ କରାଯାଇଛି ଯାହାକୁ କର୍ଣ୍ଣାଟକ ନିର୍ବାଚନ ସମୟରେ ବ୍ୟବହାର କରାଯାଇଥାନ୍ତା । ଆଉ କିଛି ୟୁଜର୍ସ ଏହି ପୋଷ୍ଟ ପାଇଁ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକୃତ ସତ କଣ :
ବିଭିନ୍ନ ରାଜ୍ୟର ଫେସବୁକ ୟୁଜର୍ସ ଏହାକୁ ସେୟାର କରୁଥିବା ବେଳେ କିଛି ଲୋକ ଏହି ଖବର ପ୍ରସାରଣ କରୁନଥିବାରୁ ଗଣମାଧ୍ୟମକୁ ମଧ୍ୟ ଦୋଷ ଦେଇଛନ୍ତି । କିନ୍ତୁ ଏହି ଭାଇରାଲ ପୋଷ୍ଟ ପଛରେ କଣ ରହିଛି ସତ୍ୟତା । ତାହା ହୁଏତ ଅଧିକାଂଶ ଲୋକ ନ ବୁଛି ଏହାକୁ ବହୁଳ ମାତ୍ରାରେ ସେୟାର କରିଛନ୍ତି । ଏହି ପୋଷ୍ଟଟି ଫେସବୁକରେ ଅନେକ ଦିନ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୧୬ ମସିହାରେ ମୋଦି ବିମୁଦ୍ରାକରଣର ଘୋଷଣା ପରେ ଏହି ପୋଷ୍ଟଟି ଭାଇରାଲ ହୋଇଥିଲା । କିନ୍ତୁ ଏହି ଭାଇରାଲ ପୋଷ୍ଟର ଦେଢ ବର୍ଷ ପରେ ପୁଣିଥରେ ଏହାକୁ ଜୀବନ୍ୟାସ ଦେଇଛନ୍ତି ସୋସିଆଲ ମିଡିଆର କିଛି ୟୁଜର୍ସ । ଏହାକୁ ଏବେ କର୍ଣ୍ଣାଟକ ନିର୍ବାଚନ ସହ ଯୋଡି ଦିଆଯାଇଛି । ଯେହେତୁ ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତେଣୁ ଏହି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏଭଳି ଭାଇରାଲ ପୋଷ୍ଟକୁ ବାଛିଛନ୍ତି ୟୁଜର୍ସ ।

ଏହି ଭାଇରାଲ ପୋଷ୍ଟ ପଛର ପ୍ରକୃତ ସତ ହେଲା, ଏହି ପୋଷ୍ଟରେ ଯେଉଁ ଗାଡି ଦେଖାଯାଉଛି ତାହା ପ୍ରକୃତରେ ସାଙ୍ଗାଲୀ ଅର୍ବାନ ବ୍ୟାଙ୍କର ଗାଡି । ଯାହାକୁ ପୋଲିସ ଧରିଥିଲା । ଓସମ୍ନାନାବାଦ-ତୁଲଜାପୁର ରାସ୍ତାରେ ଏହି ଗାଡିକୁ ନିର୍ବାଚନ ସମୟରେ ପୋଲିସ ଧରିଥିଲା । ପାଖାପାଖି ୬ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଏହି ଗାଡିରେ ରହିଥିଲା । କିନ୍ତୁ ଏହାକୁ ଏମିତି ଭାବେ ଭାଇରାଲ ପୋଷ୍ଟ ସହ ଯୋଡା ଯାଇଛି ଯେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ପୋଷ୍ଟରେ ଯେଉଁ ବିଜେପି ନେତା ସୁଧୀର ଗାଡଗିଲଙ୍କ ନାଁ ସାମ୍ନାକୁ ଆସୁଛି ସେ ହେଉଛନ୍ତି ସାଙ୍ଗାଲୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ।ସବୁଠୁ ବଡ କଥା ହେଲା ଯେଉଁ ସାଙ୍ଗଲୀ ଅର୍ବାନ ବ୍ୟାଙ୍କ ଗାଡିରେ ୬ କୋଟି ଟଙ୍କାର ପୁରୁଣା ନୋଟ ରହିଥିଲା ସେହି ବ୍ୟାଙ୍କର ଚେୟାରମ୍ୟାନ ଥିଲେ ବିଜେପି ନେତା ସୁଧୀରଙ୍କ ଭାଇ ଗଣେଶ ଗାଡଗିଲ । ଯେତେବେଳେ ଗଣେଶଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ ସବୁ ଟଙ୍କା ବ୍ୟାଙ୍କର । ବିମୁଦ୍ରାକରଣ ପରେ ବିଭିନ୍ନ ଶାଖାରୁ ପୁରୁଣା ଟଙ୍କା ମୁଖ୍ୟ ବ୍ରାଞ୍ଚକୁ ପଠାଯାଉଥିଲା । ବ୍ୟାଙ୍କ ପକ୍ଷରୁ ଏହି ଘଟଣାରେ ସ୍ପଷ୍ଟିକରଣ ରଖିବା ପରେ ଗଣେଶଙ୍କୁ କ୍ଲିନଚିଟ୍ ମିଳିଥିଲା ।

ବିଭିନ୍ନ ସମୟରେ ଏହି ପୋଷ୍ଟ ଭାଇରାଲ ହେଉଥିବାର ନଜରକୁ ଆସୁଛି । ଦୀର୍ଘ ଦେଢ ବର୍ଷ ଧରି ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଏହାକୁ ବିମୁଦ୍ରାକରଣ ସମୟରେ ଭାଇରାଲ କରାଯାଇଛି । ଆଉ ଏବେ କର୍ଣ୍ଣାଟକ ନିର୍ବାଚନରେ ଏହାକୁ ପୁନଃଜନ୍ମ ଦେଇଛନ୍ତି କିଛି ଅନ୍ଧ ଫେସବୁକ ବ୍ୟବହାରକାରୀ । ଯେଉଁମାନେ ପ୍ରକୃତ ସତ ନ ଜାଣି ଏହି ପୋଷ୍ଟକୁ ବାରମ୍ବାର ସେୟାର କରିବା ସହ ଏହା ଭିତରକୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାଣିବାକୁ ପଛାଉନାହାନ୍ତି । ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ଲୋକପ୍ରିୟ ତାରକାଙ୍କୁ ମଧ୍ୟ ଅକାଳରେ ମାରି ଦେଇଛନ୍ତି କିଛି ୟୁଜର୍ସ । ସତ ନ ଜାଣି ମିଛ ଖବର ସୋସିଆଲ ମିଡିଆରେ ପ୍ରସାରିତ କରିବା ମଧ୍ୟ ଏକ ଅପରାଧ । ତେଣୁ ସୋସିଆଲ ମିଡିଆରେ ଆସୁଥିବା ପ୍ରତ୍ୟେକ ଖବରର ସତ ଜାଣିବା ପରେ ଏହାକୁ ସେୟାର କରନ୍ତୁ ।