ପେସାରେ ଇଞ୍ଚିନିୟର, କିନ୍ତୁ କାମ ଜୋତା ପଲିସି ! ଜାଣନ୍ତୁ କୋଟିପତି ସନ୍ଦୀପ ଗଜକସଙ୍କ କାହାଣୀ

142

‘କୋଇ ଧନ୍ଧା ଛୋଟା ନେହିଁ ହୋତା ଓର ଧନ୍ଧା ସେ ବଡା କୋଇ ଧର୍ମ ନେହିଁ ହୋତା’ ରଇସ ଫିଲ୍ମର ଏହି ହିଟ୍ ଡାଇଲଗ ନିଶ୍ଚୟ ସମସ୍ତେ ଶୁଣିଥିବେ । ଏହି ଡାଇଲଗ ହିଁ ସୂଚାଇ ଦେଉଥିଲା କି କୌଣସି ବ୍ୟବସାୟକୁ ଛୋଟ ଭାବିବା ଉଚିତ୍ ନୁହେଁ । ଯେ କୌଣସି କାର୍ଯ୍ୟକୁ ଯଦି ସଠିକ୍ ରୂପେ ପରିଚାଳନା କରାଯାଏ ତେବେ ସଫଳତା ନିଶ୍ଚୟ ମିଳିବ । ସେ ଘୋଡା ଚଢିବା ହେଉ ଅବା ଘାସ କାଟିବା । ପ୍ରତ୍ୟେକ କାମରେ ଉପଯୂୁକ୍ତ ବୁଦ୍ଧି ଖଟାଇ ସଫଳତା ହାସଲ କରିବା ସମ୍ଭବ । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ମୁମ୍ବାଇର ‘ସନ୍ଦୀପ ଗଜକସ’ । ଜୋତା ପଲିସିକୁ ବ୍ୟବସାୟ ଭାବେ ଗ୍ରହଣ କରି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ଏବଂ ଯୁବଗୋଷ୍ଠୀ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କର ସଂର୍ଘଷମୟ କାହାଣୀ ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ ନିଶ୍ଚୟ ।

shoe laundryଜୋତା ପଲିସି ଅଥାର୍ତ ଅନ୍ୟର ଜୋତା ସଫା କରିବା । ଏହି କାମକୁ ଅନେକ ଲୋକ ହେୟ ଜ୍ଞାନ କରିଥାନ୍ତି । ସାଧାରଣତଃ ଗରିବ ଓ ରାସ୍ତାକଡରେ ବାସ କରୁଥିବା ଲୋକ ପେଟ ପୋଷିବା ପାଇଁ ଏହି କାମକୁ ଆପଣାଇ ନେଇଥାନ୍ତି । କିନ୍ତୁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯଦି ଏହି କାମକୁ ଆପଣାଇଥାଏ ତେବେ ଦୁନିଆ ତାଙ୍କ ଉପରେ ହସିବାଟା ସ୍ୱାଭାବିକ । କିନ୍ତୁ ନିଜ ଦୃଢ ଇଚ୍ଛାଶକ୍ତି ଓ କିଛି ନୂଆ କରିବାର ପ୍ରେରଣା ହିଁ ସନ୍ଦୀପଙ୍କୁ ଏକ ନୂଆ ପରିଚୟ ଦେଇଛି । ହାତରେ ଇଞ୍ଚିନିୟରିଙ୍ଗ ଡିଗ୍ରୀ । ଆଉ ପାଖରେ ଉଚ୍ଚ ବେତନର ଚାକିରି । କିନ୍ତୁ ଏସବୁକୁ ତୁଚ୍ଛ କରି ଜୋତା ପଲିସି ଓ ରିପ୍ୟାରିଙ୍ଗର ବ୍ୟବସାୟକୁ ଆପଣାଇ ନେଇଥିଲେ ସନ୍ଦୀପ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫାୟାରିଙ୍ଗ ଇଞ୍ଜିନିୟରିଙ୍ଗରୁ ପାଠପଢା ଶେଷ କରିବା ପରେ ଆରବ ଦେଶରେ ଚାକିରି କରିବାକୁ ମନ ବଳାଇଥିଲେ ସନ୍ଦୀପ । କିନ୍ତୁ ୨୦୦୧ ମସିହାରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେ ବିଦେଶ ଯିବା ପ୍ଲାନ ଡ୍ରପ୍ କରିଥିଲେ । ଏଇଠୁ ହିଁ ଆରମ୍ଭ ହୋଇଥିଲା ସନ୍ଦୀପଙ୍କ ସଂର୍ଘଷମୟ କାହାଣୀ । ବିଦେଶ ନ ଯାଇ ସ୍ୱପ୍ନର ସହର ମୁମ୍ବାଇରେ କୌଣସି ବ୍ୟବସାୟ କରିବାକୁ ସ୍ଥିର କରିଥିଲେ । ସେତେବେଳେ ଜୋତା ପଲିସି ବ୍ୟବସାୟ କରିବାକୁ ମନ ବଳାଇଥିଲେ ସେ । ଏହି ନିଷ୍ପତି ତାଙ୍କ ଜୀବନରେ ପରିବର୍ତ୍ତ ନ ଆଣିଥିଲା । ପ୍ରଥମେ ୧୨ ହଜାର ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲେ ସନ୍ଦୀପ ।

-sandeep-gajakasକିନ୍ତୁ ସନ୍ଦୀପ ଏଭଳି ନିଷ୍ପତିକୁ ଆଦୌ ଗ୍ରହଣ କରିନଥିଲେ ତାଙ୍କ ବାପା ମା’ । ଇଞ୍ଜିନିୟର ପୁଅ ପୁଣି ଅନ୍ୟ କାହାର ଜୋତା ପଲିସି କରିବ ଏଥିରେ ଆଦୌ ଖୁସି ନଥିଲେ ପରିବାର ଲୋକ । କିନ୍ତୁ ସେତେବେଳେ ସନ୍ଦୀପ ଅନ୍ୟ କାହା କଥା ନଶୁଣି ନିଜ ବ୍ୟବସାୟରେ ମନୋନିବେଶ କରିଥିଲେ । ବାଥରୁମକୁ ୱାର୍କସପ କରି ନିଜର ସାଙ୍ଗସାଥୀ ଓ ପରିବାର ଲୋକଙ୍କ ଜୋତା ପଲିସି ଓ ରିପ୍ୟାରିଙ୍ଗ କରି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । କେବଳ ଜୋତା ପଲିସି ନୁହେଁ ପୁରୁଣା ଜୋତାକୁ କିପରି ନୂଆ ଜୋତାର ଲୁକ୍ ଦେଇହେବ ସେନେଇ ଅନେକ ରିସର୍ଚ୍ଚ କରିଥିଲେ ସନ୍ଦୀପ । ଏହି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ସେଭଳି ସଫଳତା ପାଇନଥିଲେ ସେ । କିନ୍ତୁ ସମୟ ବିତିବା ସହ ୨୦୦୩ ମସିହାରେ ସେ ‘ଦ ସୁ ଲଣ୍ଡ୍ରୀ’ ନାମରେ ଦେଶର ପ୍ରଥମ ଜୋତା ପଲିସି ଓ ରିପ୍ୟାରିଙ୍ଗ କମ୍ପାନି ଆରମ୍ଭ କରିଥିଲେ । ବହୁ ବାଧାବିଘ୍ନ ପରେ ସେ ସଫଳତାର ସ୍ୱାଦ ଚାଖିଥିଲେ । ଆଉ ଆଜି ଫଳସ୍ୱରୂପ ତାଙ୍କର ଏହି କମ୍ପାନି ଦେଶର ବଡ ବଡ ସହରରେ ଦେଖିବାକୁ ମିଳୁଛି । ଏବେ ସନ୍ଦୀପଙ୍କ କମ୍ପାନୀର ଫ୍ରାଞ୍ଚାଇଜ ବିଭିନ୍ନ ସହରରେ ଦେଖିବାକୁ ମିଳୁଛି । ୧୨ ହଜାର ଟଙ୍କାରେ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟବସାୟ କରୁଛି । ସନ୍ଦୀପ ନିଜର କାଯ୍ୟଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ଏଭଳି ସଫଳତା ହାସଲ କରି ପାରିଛନ୍ତି ।