ଆଉ ମାତ୍ର ୧୦ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ତିନି ଠାକୁରଙ୍କ ରଥନିର୍ମାଣ ସମ୍ପର୍କିତ କିଛି ତଥ୍ୟ ବିଷୟରେ ଜାଣନ୍ତୁ . . .

170

ଆଉ ମାତ୍ର ୧୦ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥକାମ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତ୍ୟନ୍ତ ରହସ୍ୟମୟ । ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା । ତେବେ ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ଆସନ୍ତୁ ଜାଣିବା ତିନି ଠାକୁରଙ୍କ ରଥନିର୍ମାଣ ସମ୍ପର୍କିତ କିଛି ତଥ୍ୟ ବିଷୟରେ . .

  1. ନନ୍ଦିଘୋଷ:

‘ନନ୍ଦିଘୋଷ’ ବା ‘ଗରୁଡ଼ଧ୍ଵଜ’ ବା ‘କପିଳଧ୍ଵଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି ।ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୬ ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ଵସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ।

  • ସାରଥି : ମାତଳୀ
  • ରଥର ଦଉଡ଼ି : ଶଙ୍ଖଚୂଡ଼

ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ଵେତ ଓ ହରିଦ୍ଵାଶ) ସ୍ଥାପନ କରାଯାଏ । ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

  1. ତାଳଧ୍ଵଜ:

‘ତାଳଧ୍ଵଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି। ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।

  • ସାରଥି :   ଦାରୁକ ।
  • ରଥର ଦଉଡ଼ି :   ବାସୁକୀ ।

ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ଶଙ୍ଖ, ସୁଚିତ୍ର, ଅଙ୍ଗଦ, ମେଘନାଦ) ସ୍ଥାପନ କରାଯାଏ । ନାଲି ଓ ସବୁଜ ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର , କାର୍ତ୍ତିକେଶ୍ଵର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ଵବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

rathajatra

  1. ଦର୍ପଦଳନ:

‘ଦର୍ପଦଳନ’ ବା ‘ପଦ୍ମଧ୍ଵଜ’ ବା ‘ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ ।ଏହି ରଥରେ ୧୨ ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ ।

  • ସାରଥି : ଅର୍ଜୁନ ।
  • ରଥର ଦଉଡ଼ି :  ସ୍ଵର୍ଣ୍ଣଚୂଡ଼ ।

ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ । ନାଲି ଓ କଳା ରଙ୍ଗର କପଡ଼ା ରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ , ହରଚଣ୍ଡୀ, ରାମଚଣ୍ଡୀ , ଅଘୋରା ପାର୍ଶ୍ଵଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।