ବାତ୍ୟାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ସୂଚନା, ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ । ସେପଟେ ‘ତିତଲି’କୁ ନେଇ ତେଜିଲା ରାଜନୈତିକ କନ୍ଦଳ

41

କନକ ବ୍ୟୁରୋ: ତିତଲି ଚାଲିଯାଇଛି, ହେଲେ ଏହାକୁ ନେଇ ରାଜନୀତି ଥମୁନାହିଁ । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସରକାର ମାନିଛନ୍ତି, ବର୍ତମାନ ପର୍ଯ୍ୟନ୍ତ ୬୧ ଜଣଙ୍କର ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତରେ ରିଲିଫ ଓ ପୁର୍ନବାସ କାର୍ଯ୍ୟ ଚାଲିଥିବା କହିଛନ୍ତି ରାଜ୍ୟ ସରକାର । ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ସ୍ଥିତି । ତେବେ ବାତ୍ୟା ଓ ଏହାର ପରବର୍ତି ସ୍ଥିତିକୁ ମୁକାବିଲା କରିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେଡି ଆକ୍ଷେପ କରି କହିଛି, ବାତ୍ୟାର ୭ ଦିନ ପରେ ପ୍ରଭାବିତ ଅଂଚଳରେ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ ।

ତିତଲି ଚାଲିଯାଇଛି, ହେଲେ ପଛରେ ଛାଡିଯାଇଛି ଦୁର୍ଦ୍ଦଶା । ଆଉ ସରକାର ମାନିଛନ୍ତି, ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟା ନେଇଯାଇଛି ୬୧ ଲୋକଙ୍କ ଜୀବନ । ସମୀକ୍ଷା ପରେ ମୁଖ୍ୟଶାସନ ସଚିବ କହିଛନ୍ତି, ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ଛାଡି ଦେଲେ ରାସ୍ତା ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ବନ୍ୟାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି ଗଂଜାମ ଜିଲ୍ଲାରେ । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଯାଇଛି ।

ତିତଲିରେ ମୋଟ ୨ଲକ୍ଷ ୭୦ ହଜାର ହେକ୍ଟର ଚାଷ ଜମି ଉଜୁଡି ଯାଇଛି । ଗଜପତିର ୧ ଲକ୍ଷ ୨୦ ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ୬୦ ହଜାର ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ସ୍ୱାଭାବିକ ହୋଇଛି । ରିଲିଫ, ପିଇବା ପାଣି ଓ ରାସ୍ତାଘାଟର ମରାମତିକୁ ଦିଆଯାଉଛି ପ୍ରାଥମିକତା । ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସରକାର କହୁଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ନା ଲୋକଙ୍କ ଜୀବନ ରକ୍ଷା କରିପାରିଲେ ନା ବିପର୍ଯ୍ୟୟ ପରେ ଥଇଥାନ ଓ ପୁନର୍ବାସ କାର୍ଯ୍ୟକୁ ଠିକ୍ ଭାବେ ତୁଲାଇ ପାରିଛନ୍ତି ସରକାର ।

ସେପଟେ ଧର୍ମେନ୍ଦ୍ରଙ୍କ ସମାଲୋଚନାର କଡ଼ା ଜବାବ ରଖିଛି ବିଜେଡି । ବିପର୍ଯ୍ୟୟର ୭ ଦିନ ପରେ ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପହଁଚିଥିବା ନେଇ କଟାକ୍ଷ କରିଛନ୍ତି ଦଳର ମୁଖପାତ୍ର ସମୀର ଦାଶ । ତିତଲିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବାତ୍ୟାକୁ ଜୋର ଧରିଛି ରାଜନୀତି ।