ଆତଙ୍କବାଦୀଙ୍କ ପଣବନ୍ଦୀ ଯୋଜନାକୁ ଭଣ୍ଡୁର କଲେ ୨ ସେନା ଅଧିକାରୀଙ୍କ ପତ୍ନୀ

20

କନକ ବ୍ୟୁରୋ : ମଙ୍ଗଳବାର ଜମ୍ମୁ ଓ କଶ୍ମୀରର ନଗରୋଟା ଆର୍ମି କ୍ୟାଂପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଆକ୍ରମଣ କରି ଅଫିସର୍ସ ମେସ ଭିତରେ ପଶିଯାଇଥିଲେ । ତେବେ ୨ ଅଫିସରଙ୍କ ପତ୍ନୀଙ୍କ ସାହସିକ ପଦକ୍ଷେପ ଯୋଗୁଁ ପଣବନ୍ଦୀ ସଙ୍କଟକୁ ଏଡାଇ ଦିଆଯାଇଛି । ସେନା ପୋଷାକରେ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଅଫିସର୍ସ ମେସରେ ପ୍ରବେଶ କରି ଅଧିକାରୀଙ୍କ ପରିବାରକୁ ବନ୍ଧକ ରଖିବା ପାଇଁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ତେବେ ଏଠାରେ ରହୁଥିବା ୨ ଅଧିକାରୀଙ୍କ ପତ୍ନୀ ସାହସିକତାର ସହ ନିଜ କ୍ୱାର୍ଟରର ପ୍ରବେଶ ଦ୍ୱାରରେ ଆସବାବ ପତ୍ର ରଖି ବ୍ଲକ କରିଦେଇଥିଲେ । ଯାହାଫଳରେ ଆତଙ୍କବାଦୀ ମାନେ ଘର ଭିତରକୁ ପ୍ରବେଶ କରିବାରେ ବିଫଳ ହୋଇଥିଲେ । ମହିଳାମାନେ ନିଜର ୧୮ମାସ ଓ ଦୁଇ ମାସର ଶିଶୁକୁ ଧରି ଏପରି ସାହସିକ ପଦକ୍ଷେପ ନେବା ଯୋଗୁଁ ବଡ ଧରଣର ସଙ୍କଟକୁ ଏଡାଇ ଦିଆଯାଇଛି । ଆତଙ୍କବାଦୀମାନେ ସେଠାରୁ ଚାଲିଯିବା ପରେ ୨ମହିଳା ଓ ୨ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।

ସେପଟେ ଜମ୍ମୁ ଓ କଶ୍ମୀରର ସାମ୍ବା ସେକ୍ଟରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଲସ୍କର-ଏ-ତୋଏବାର ଯୋଜନା ପଦାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସାମ୍ବାରେ ଚଳନ୍ତା ଟ୍ରେନ ଉପରେ ବ୍ଲାଷ୍ଟ ଓ ପଠାଣକୋଟ ପରି ଆକ୍ରମଣ କରିବା ଯୋଜନା କରିଥିଲେ ଆତଙ୍କବାଦୀ । ଟ୍ରେନ ଓ ଆର୍ମି କ୍ୟାମ୍ପରେ କେମିକାଲ ଦ୍ୱାରା ଆକ୍ରମଣ କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିଲେ ଲସ୍କର-ଏ-ତୋଏବା ଆତଙ୍କବାଦୀ । ଏହି ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ସୁସାଇଡ ବେଲ୍ଟ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ କରାଯାଇଛି ।