ଜୟପୁର ଥାନାରେ ତାରା ପ୍ରସାଦ ବାହିନୀପତିଙ୍କ ହଙ୍ଗାମା ! ଅଭିଯୁକ୍ତର ଗିରଫ ଦାବିରେ ଦେଲେ ଧାରଣା

201

କନକ ବ୍ୟୁରୋ : ତାରାଙ୍କ ଆକ୍ରୋଶ ରୂପ । ଥାନା ଭାଙ୍ଗିବା ସହ ପୋଲିସକୁ ଥାନା ଭିତରେ ଦେଲେ ଗାଳି । ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ପୋଲିସ ଅଫିସରକୁ ବିଦା କରିବାକୁ ଧମକ ଦେଇଛନ୍ତି ଜୟପୁର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରଦାସ ବାହିନୀପତି । ଆଜି ଜୟପୁର ସଦର ଥାନାରେ ଧସେଇ ପସିଥିଲେ ତାରା । ପୋଲିସର ବୁଝାସୁଝାକୁ ମଧ୍ୟ ଖାତିର କରି ନଥିଲେ ।

ଗତ ସୋମବାର ଦିନ ଜୟପୁର ବ୍ଳକ ଅନ୍ତର୍ଗତ କୁର୍ନ୍ତଖାଲ ଓ ନିଳାଗୁଡ଼ା ଗ୍ରାମ ମଧ୍ୟରେ ହୋଇଥିବା ଗୋଷ୍ଠୀ କନ୍ଦୋଳକୁ ନେଇ ବିବାଦ ଉଠିଥିଲା । ଗାଁରେ ଚାଲିଥିବା ଫୁଟବଲ ମ୍ୟାଚକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦରେ ନିଳାଗୁଡ଼ା ଗ୍ରାମର କୁଖ୍ୟାତ ଅପରାଧି ଟୁରୁକୁ ହରିଜନ କୁନ୍ତରଖାଲ ଗ୍ରାମରେ ପଶି ଲୁହା ରଡ଼ ଧରି ଲୋକଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ଗ୍ରାମବାସୀ ଟୁରୁକୁକୁ ଧରି ପୋଲିସ ଜିମା ଦେଇଥିଲେ ।

ପୋଲିସ ତାକୁ କୋର୍ଟଚଲାଣ କରିବା ବଦଳରେ ଥାନାରୁ ଛାଡ଼ିଦେଇଥିଲା । ତେବେ ଟୁରୁକୁ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧ ମାମଲା ରହିଥିବା ବେଳେ ପୋଲିସ କିପରି ଛାଡ଼ିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । କୁନ୍ତତରଖାଲ ଗ୍ରାମବାସୀଙ୍କ ଜୀବନ ବିପଦରେ ଥିବା କହି ବିଧାୟକ ତାରା ପ୍ରସାଦ ବାହିନୀପତି ଥାନାରେ ପଶି ହଙ୍ଗାମା କରିଛନ୍ତି । ଅଭିଯୁକ୍ତକୁ ନ ଧରିବା ଯାଏଁ ଥାନାରୁ ହଟିବୁ ନାହିଁ ବୋଲି କହିଛନ୍ତି ।