ବଲିଉଡରେ ଉଠିଲା ଝଡ ! ଅସଦାଚରଣ ଅଭିଯୋଗକୁ ନେଇ ତନୁଶ୍ରୀଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ନାନା ପାଟେକର ।

37

ଅଭିଯୋଗକୁ ଖଣ୍ଡନ କରିବା ସହ ତନୁଶ୍ରୀଙ୍କୁ ଲିଗାଲ ନୋଟିସ ଦେଇଛନ୍ତି ନାନା ପାଟେକର । ଅନ୍ୟପଟେ ଲିଗାଲ ନୋଟିସ ନେଇ ପ୍ରତିକ୍ରିୟା ରଖିଛନ୍ତି ତନୁଶ୍ରୀ । କହିଛନ୍ତି ହାରସମେଣ୍ଟ, ହ୍ୟୁମିଲିଏସନ ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାରୁ ତାଙ୍କୁ ମୂଲ୍ୟ ଦେବାକୁ ପଡିଛି । ଏଇ କିଛି ଦିନ ହେବ ତାଙ୍କ ବୟାନକୁ ନେଇ ଚାଡିଆଡେ ଚହଳ ସୃଷ୍ଟି ହୋଇଥିବାବେଳେ ସାମ୍ନାକୁ ଆସିଛି ତାଙ୍କର ଆଉ ଏକ ବୟାନ । ସେ କହିଛନ୍ତି ତାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଧମକ ଦିଆଯାଉଛି । ଦୀର୍ଘ ୧୦ ବର୍ଷ ଧରି ଚୁପ୍ ରହିଥିବା ତନୁଶ୍ରୀ ନିକଟରେ ନାନା ପାଟେକରଙ୍କ ଉପରେ ଆଣିଥିଲେ ଯୌନ ଶୋଷଣ ଭଳି ଆରୋପ । ଏହା ପରେ ବିବାଦ ବଢିଥିଲା ।

ଏହା ଭିତରେ ସାମନାକୁ ଆସିଛି ଦଶ ବର୍ଷ ତଳେ ଫିଲ୍ମ ସୁଟିଂ ବେଳେ ସେହି ଅସଦାଚାରଣ ଅଭିଯୋଗ ପରେ କ’ଣ ଘଟିଥିଲା । ୨୦୦୮ ମସିହାରେ ଫିଲ୍ମ “ହର୍ଣ୍ଣ ଓକେ ପ୍ଲିଜ୍” ସୁଟିଂ ସମୟରେ ନାନାଙ୍କ ସହ ଏକ ଅନ୍ତରଙ୍ଗ ସିନ୍ କରିବାକୁ ବିରୋଧ କରି ସୁଟିଂ ସେଟ୍ ଛାଡି ବାହାରକୁ ଚାଲିଆସିଥିଲେ ତନୁଶ୍ରୀ ଏବଂ ନିଜ କାର ଭିତରେ ବସିଯାଇଥିଲେ । ତେବେ କାରକୁ ଚାରିପଟୁ ଶତାଧିକ ଲୋକ ଘେରି ଯାଇଥିଲେ । ଏବଂ ତାଙ୍କ କାର ଉପରେ ଆକ୍ରମଣ କରିଦେଇଥିଲେ । ସେମାନେ ନାନା ପାଟେକରଙ୍କ ସମର୍ଥକ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀ ବୋଲି ଅଭିଯୋଗ କରିଛନ୍ତି ତନୁଶ୍ରୀ । ତନୁଶ୍ରୀଙ୍କ ଅଭିଯୋଗ ଆଣିବା ପରେ ବଲିଉଡ୍ ଜଗତରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।