କନକ ବ୍ୟୁରୋ : ଲୋକଙ୍କ ମଧ୍ୟରେ ସ୍ୱଦେଶୀ ଦ୍ରବ୍ୟର ଚାହିଦା ବଢ଼ାଇବା ନେଇ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ୱଦେଶୀ ମେଳା ଆଜି ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ ପଡ଼ିଆରେ ଉଦ୍‌ଘାଟିତ ହୋଇଛି । ଏଥିରେ ଓଡ଼ଶା ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟର ବ୍ୟବସାୟୀମାନେ ୨୦୦ଟି ସ୍ୱଦେଶୀ ଦ୍ରବ୍ୟର ଷ୍ଟଲ ଖୋଲିଛନ୍ତି । ଏହିସବୁ ରାଜ୍ୟର ହସ୍ତତନ୍ତ ସାମଗ୍ରୀ, ପେଷାକପତ୍ର, ଖାଦ୍ୟ ଦ୍ରବ୍ୟ, ଜଡ଼ିବୁଟି ଆଦି ସୁଲଭ ମୂଲ୍ୟରେ ମିଳୁଛି । ମେଳା ଆରମ୍ଭରୁ ବିଭିନ୍ନ ସ୍ୱଦେଶୀ ସାମଗ୍ରୀ କ୍ରୟ କରିବା ନେଇ ଗ୍ରାହକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି ।

ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ପ୍ରାନ୍ତ ସଂଗଠକ ନିର୍ମଳ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଡ. ସୁଧାକର ପଣ୍ଡା ଯୋଗ ଦେଇଥିଲେ। ଚାଇନା ଦ୍ରବ୍ୟକୁ ବର୍ଜନ କରି ସ୍ୱଦେଶୀ ଦ୍ରବ୍ୟକୁ ଆପଣାଇବାକୁ ଅତିଥିମାନେ ଆହ୍ଵାନ ଦେଇଥିଲେ । ମେଳାର ଆୟୋଜନ କିମିଟି ସହ ସଂଯୋଜକ ପ୍ରଶାନ୍ତ ରାଉତ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଶେଷରେ ମଞ୍ଚର ମହାନଗର ସଂଯୋଜକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ ।

ଏହି ମେଳା ପ୍ରତ୍ୟେକ ଦିନ ଅପରାହ୍ଣ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ । ପ୍ରତି ସନ୍ଧ୍ୟାରେ ମେଳା ପରିସରରେ ଥିବା ମଞ୍ଚରେ ଅର୍ଥନୀତି ସଂପର୍କିତ ଆଲୋଚନା ସହ ଭାରତୀୟ ସଂସ୍କୃତି ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମେଳା ପରିସରରେ ଓଡ଼ିଆ ଖାଦ୍ୟର ଏକ ଷ୍ଟଲ ରହିଛି । ଯେଉଁଠି ଗ୍ରାହକମାନେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ଆସନ୍ତା ୧୬ ତାରିଖରେ ମେଳା ଉଦ୍‌ଯାପିତ ହେବ । ଉଦଯାପନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।