କିଏ ହେବେ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ? ସାମ୍ନାକୁ ଆସିଲା ସର୍ଭେ ରିପୋର୍ଟ, ଜାଣନ୍ତୁ କାହା ସପକ୍ଷରେ ରହିଛି କେତେ ଜନମତ ।

964

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ଉଷ୍ମତା ବଢି ବଢି ଚାଲିଛି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ସମସ୍ତ ରାଜନୈତିକ ଦଳ । ଯେଉଁଠି ବିଜେପି ପୁଣି ଥରେ ନିଜର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାରାରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ସେପଟେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କରିବା ପାଇଁ ସ୍ୱପ୍ନ ଦେଖୁଛି ।

ସେପଟେ ସମସ୍ତ ବିରୋଧୀ ଦଳ ମଧ୍ୟ ଏକଜୁଟ ହୋଇ ନିଜ ଶକ୍ତି ପଦର୍ଶନ କରିବାରେ ଲାଗିଛନ୍ତି । ଏହି ସମସ୍ତ ଆଶା ଏବଂ ଚେଷ୍ଟା ମଧ୍ୟରେ ଇଣ୍ଡିଆ ଟୁଡେ ଏବଂ କର୍ବି ଇନସାଇଟ୍ସ, ଏହା ଜାଣିବାକୁ ଚେଷ୍ଟା କରିଥିଲେ ଯେ, ଦେଶରେ ଜନସାଧାରଣ କାହାକୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । କିଏ ହେବ ଜନସାଧାରଣଙ୍କ ପସନ୍ଦ ? ଆଗାମୀ ନିର୍ବାଚନରେ ଜନମତ କାହା ସପକ୍ଷରେ ରହିବ ? ଏହି ତମାମ୍ ପ୍ରଶ୍ନକୁ ନେଇ ହୋଇଥିବା ସର୍ଭେରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା କଂଗ୍ରେସ ପାଇଁ ଖୁସି ଖବର ଆଣିଥିବା ବେଳେ ବିଜେପି ପାଇଁ ଏହି ରିପୋର୍ଟ ଚିନ୍ତାଜନକ ହୋଇଛି ।

ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜୟ ହେବା ପରେ ବିଜେପି ଉପରେ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣତ୍ମକ ହୋଇଉଠିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ବାରି ହୋଇପଡୁଛି ଯେ, ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢି ବଢି ଚାଲିଛି । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରାଫ୍ ତଳକୁ ଖସୁଥିବା ଚର୍ଚ୍ଚା ହେଉଛି ।

କିଏ ହେବେ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ? ଏହି ପ୍ରଶ୍ନର ଉତ୍ତର ନିର୍ବାଚନ ପରେ ହିଁ ଜଣାପଡିବ । କିନ୍ତୁ ଏହା ପୂର୍ବରୁ ସର୍ଭେରୁ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ନିଶ୍ଚିତ ଭାବେ ବିଜେପିକୁ ଚିନ୍ତାରେ ପକାଉଥିବା ବେଳେ କଂଗ୍ରେସ ଶିବିରରେ ଏକ ନୂଆ ଆଶା ସୃଷ୍ଟି କରୁଛି । କିନ୍ତୁ ବହୁମତ ଏବେବି ମୋଦିଙ୍କ ସପକ୍ଷରେ ରହିଛି । ଦେଶର ୪୬ ପ୍ରତିଶତ ଲୋକ ଆଜିବି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ଯେଉଁଠିକି ୩୪ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ସେପଟେ କୋଲକାତାର ବ୍ରିଗେଡ ମଇଦାନରେ ମୋଦିଙ୍କ ବିରୋଧରେ ବିରୋଧୀ ରାଜନୈତିକ ଦଳକୁ ନେଇ ମହାମେଳି କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ୩ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରୁଛନ୍ତି । ସେହିପରି ନିକଟରେ କଂଗ୍ରେସର ମହାସଚିବ କରାଯାଇଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ୨ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି ।