ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ ! ବଲ ଟାମ୍ପରିଂ ପରେ ସ୍ମିଥଙ୍କ ହାତ ଛାଡିଲା ରାଜସ୍ଥାନ ରୟାଲ୍ସ, ଆଜିଙ୍କ୍ୟ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଟିମ୍

25

କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସ ଅଧିନାୟକ ପଦରୁ ବାଦ ପଡିଲେ ଷ୍ଟିଭ ସ୍ମିଥ । ବଲ ଟାମ୍ପରିଂ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ହଟାଇ ଦେଇଛି ରାଜସ୍ଥାନ । ତାଙ୍କ ସ୍ଥାନରେ ଆଇପିଏଲ ଇଲେଭନରେ ରାଜସ୍ଥାନର ନେତୃତ୍ୱ ନେବେ ଦେଶୀ ପ୍ଲେୟାର ଆଜିଙ୍କ୍ୟ ରାହାଣେ । ବେଟିଂ ବିବାଦରେ ଫସି ରାଜସ୍ଥାନ ୨୦୧୫ରୁ ଆଇପିଏଲ ଠାରୁ ଦୂରେଇ ରହିଥିବାବେଳେ ଏବେ ପୁଣି ଅଡୁଆ କରିଛି ସ୍ମିଥଙ୍କ ବଲ ଟାମ୍ପରିଂ ।

ବଲ ଟାମ୍ପରିଂ ଅଭିଯୋଗରେ ପ୍ରଥମେ କ୍ରିକେଟ ଅଷ୍ଟ୍ରେଲିଆର କାର୍ଯ୍ୟାନୁଷ୍ଠାନ ଓ ଆଇସିସିର ଫାଇନ ପରେ ବ୍ୟୟବହୁଳ କ୍ରିକେଟ ଆଇପିଏଲରୁ ବାଦ୍ ପଡିଛନ୍ତି ଷ୍ଟିଭ ସ୍ମିଥ୍ । ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଫ୍ରାଞ୍ଚାଇଜ ପକ୍ଷରୁ କରାଯାଇଥିବା ଟ୍ୱିଟରେ ରାଜସ୍ଥାନ ରୟାଲ୍ସର ସହ-ମାଲିକ ମନୋଜ ବଡାଲେ ଟ୍ୱିଟ କରି ଲେଖିଛନ୍ତି.. ‘କୌଣସି ବ୍ୟକ୍ତି ଅପେକ୍ଷା କ୍ରିକେଟ୍ ଖେଳ ବେଶି ଗୁରୁତ୍ୱପୂର୍ଣ୍ଣ । ଆମେ ଏହି ବିଶ୍ୱାସକୁ ହୃଦୟରୁ ସମର୍ଥନ କରୁ ।’

ଆଗାମୀ ଏପ୍ରିଲ ୭ରୁ ଖେଳାଯିବାକୁ ଥିବା ଫଟାଫଟ କ୍ରିକେଟର ମହାସମର ଆଇପିଏଲ-୧୧ରେ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ । ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସରୁ ଆଇପିଏଲ ଖେଳିଥିବା ଏହି ୨୯ ବର୍ଷୀୟ ଖେଳାଳି ୨୭ଟି ଇନିଂସ ଖେଳି ୨୩ଶହ ୩୩ ରନ ସ୍କୋର କରିଛନ୍ତି । ଯାହା ରାଜସ୍ଥାନ ପ୍ଲେୟାର ସେନ୍ ୱାଟସନଙ୍କ ପରେ ଦ୍ୱିତୀୟ । ୨୦୧୧ରୁ ୧୫ ମଧ୍ୟରେ ଅନେକ ମ୍ୟାଚ ୱିନିଂ ଗେମ ଖେଳିଛନ୍ତି ରାହାଣେ ।

ବେଟିଂ ବିବାଦରୁ ବଲ ଟାମ୍ପରିଂ । ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ବେଟିଂ ଭଳି ସାଂଘାତିକ ଅଭିଯୋଗରେ ୨୦୧୫ରେ ବ୍ୟାନ ହୋଇଥିଲା ରାଜସ୍ଥାନ ରୟାଲ୍ସ । ଫଳରେ ୨ବର୍ଷ ଧରି ଆଇପିଏଲରୁ ଦୂରେଇ ରହିବା ପରେ ପୁଣି ଚଳିତବର୍ଷ କମବ୍ୟାକ ପାଇଁ ଯୋଜନା ଭିତରେ ଫସିଗଲା ଫ୍ରାଞ୍ଚାଇଜ । କାରଣ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ରିଟେନ କରି ଅକ୍ସନ ପାଇଁ ଛାଡିନଥିଲା ରାଜସ୍ଥାନ ରୟାଲ୍ସ । ହେଲେ ବଲ ଟାମ୍ପରିଂ ବିବାଦ ସ୍ମିଥଙ୍କ ହାତ ଛାଡିବା ପାଇଁ ରାଜସ୍ଥାନକୁ ବାଧ୍ୟ କରିଛି ।