ଋଣ କିସ୍ତି ବାବଦକୁ କଟିବନି ‘କାଳିଆ’ ଟଙ୍କା : ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

301

କନକ ବ୍ୟୁରୋ : ଚାଷୀଙ୍କୁ ସହାୟତା ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ସୂଚାରୁ ରୁପେ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯିବ । ଗୁରୁବାର ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କ ସମୂହ ଏହି ପ୍ରତିଶ୍ରୁତି ଦେଇଛନ୍ତି । କାଳିଆ ଯୋଜନାରେ ଚାଷୀକୁ ମିଳିବାକୁ ଥିବା ସହାୟତାରୁ ଚାଷୀର ପୂର୍ବ ଋଣ କିସ୍ତି ବାବଦରେ ଟଙ୍କାଟିଏ ବି କଟାଯିବନି ବୋଲି ବ୍ୟାଙ୍କଗୁଡ଼ିକୁ ସରକାର କହିଛନ୍ତି ।

ବୈଠକରୁ ଜଣାପଡ଼ିଛି, କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୨ ଲକ୍ଷ ୮୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଜାନୁଆରି ପ୍ରଥମ ସପ୍ତାହରେ ପଞ୍ଚାୟତ ଅଫିସ ଓ ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଲଗାଯାଇଥିଲା । ମୋଟ ୧୩ ଲକ୍ଷ ୩ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରୁ ୫୭ ହଜାର ୬୧୪ ଜଣ ଭାଗଚାଷୀ ସାମିଲ ଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ରବି ଫସଲ ସହାୟତା ବାବଦରେ ଅର୍ଥ ଜମା କରାଯାଇଥିଲା  । ଅସମ୍ପୂର୍ଣ୍ଣ ସୂଚନା ଥିବା ବାକି ୯ ଲକ୍ଷ ଚାଷୀଙ୍କ ତାଲିକା ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀ ଭାବେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତରେ ଲଗାଯାଇଥିଲା  ।

ପ୍ରଥମ ପର୍ଯ୍ୟାୟ ଟଙ୍କା ସ୍ଥାନାନ୍ତରଣ ପୂର୍ବରୁ ପରୀକ୍ଷାମୂଳକ ଭାବେ ୭ ଲକ୍ଷ ୪ ହଜାର ହିତାଧିରାକୀଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ଡିିବିଟି ଜରିଆରେ ସ୍ଥାନାନ୍ତରଣ କରାଯାଇଛି । ୧୩ ଲକ୍ଷ ୩ ହଜାର ହିତାଧିକାରୀଙ୍କ ଭିତରୁ ମାତ୍ର ୨ ପ୍ରତିଶତ ହିତାଧିକାରୀଙ୍କ ପାଖରେ ସହାୟତା ପହଞ୍ଚିପାରିନାହିଁ । ଏ ତ୍ରୁଟିକୁ ସୁଧାରିବା ପାଇଁ କୃଷି ବିଭାଗ ଏବେ କାମ କରୁଛି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ନିଷ୍ପତ୍ତି ଅନୁଯାୟୀ ଆଗକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ମଧ୍ୟ ସମ୍ପୃକ୍ତ ଜିଲ୍ଲାରେ କାଳିଆ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକ ସହ ସମନ୍ବୟ ବୈଠକ କରିବେ ।

Comments are closed.