ଲଗାଣ ବର୍ଷା ଯୋଗୁଁ ତିନି ଜିଲ୍ଲାରେ ସ୍ଥିତି ଗମ୍ଭୀର, କନ୍ଧମାଳଠାରୁ ୩୦ କିଲୋମିଟର ଦୂରରେ ତିତଲି : ଏସଆରସିଙ୍କ ସୂଚନା

47

କନକ ବ୍ୟୁରୋ : ତିତଲି ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ତିତଲି ଘୂର୍ଣିଝଡ ଏବେ କନ୍ଧମାଳ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଓଡିଶା ଅତିକ୍ରମ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଲଗାଣ ବର୍ଷା ଯୋଗୁ ୩ଟି ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ରହିଛି । ଗଞ୍ଜାମ, ଗଜପତି ଓ ରାୟଗଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୬ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି । ଏହା ସହ ୭୮ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବଡ ନଦୀରେ ଜଳପତନ ବୃଦ୍ଧି ହୋଇଛି । ଆସ୍କାର ସୋରଡାରେ ଋଷିକୁଲ୍ୟା ନଦୀର ଜଳପତନ ବୃଦ୍ଧି ହୋଇଛି । ଏହା ସହ ବାହୁଦା ନଦୀରେ ମଧ୍ୟ ଜଳପତନ ବୃଦ୍ଧି ହୋଇଛି । ଫଳରେ ଆସ୍କା ଟାଉନରେ ୭ ଫୁଟର ପାଣି ଚାଲିଛି । ଜେଲ୍ ଗେଟ୍ ଭାଙ୍ଗି ଯିବାରୁ ୧୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ତିତଲି ପ୍ରଭାବରେ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଆହୁରୀ ୨୪ ଘଂଟା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତାକାଲି ପାଗ ପରିବର୍ତନ ହେବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ବର୍ଷା ହେବ । ସେହିପରି ଅନୁଗୁଳ ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡ ଓ ଦେବଗଡରେ ଭୀଷଣ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।