ଭଉଣୀ ପାଇଁ ସାକ୍ଷ୍ୟ ଦେବାକୁ ୭୦ କିଲୋମିଟର ବାଟ ଚାଲିଲେ ମହିଳା

35

କନକ ବ୍ୟୁରୋ : ଭଉଣୀ ନ୍ୟାୟ ପାଇବ । ଏହି ଆଶା ରହିଛି । ଆରପଟେ ସ୍ୱାମୀକୁ କାଳେ ବାନ୍ଧିନେବ ପୋଲିସ । ମନରେ ଏହି ଡର ବି ଅଛି । ଦୁଇ କୁନି ପୁଅ ଝିଅକୁ ଧରି ଦୀର୍ଘ ୭୦ କିଲୋମିଟର ବାଟ ଚାଲିଲେ ଜାନକୀ । ଶୀତକାକର ରାତିରେ ୮ ଦିନ ଧରି ଚାଲିଛନ୍ତି ଫୁଲବାଣୀର ପୁରେଇପଦର ଗାଁର ଏହି ମହିଳା ।

କୋର୍ଟ ନୋଟିସ ଆସିଲା ଜାନୁଆରୀ ୯ରେ ସାକ୍ଷ୍ୟ ଦେବାକୁ ହେବ । କିନ୍ତୁ ୭୦ କିଲୋମିଟର ବାଟ ଯିବା ପାଇଁ ପାଖରେ ବସଭଡା ଖର୍ଚ୍ଚ ବି ନାହିଁ । ଶେଷରେ ଦୁଇ ପୁଅଝିଅଙ୍କୁ ଧରି ଚାଲିବା ଆରମ୍ଭ କଲେ ଜାନକୀ । କନ୍ଧମାଳ ଗୋଚ୍ଛାପଡା ଥାନା ପୁରେଇପଦର ଗ୍ରାମର ଜାନକୀ ପରିଚ୍ଛା ଚାଲି ଚାଲି ଭଂଜନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ବାଟରେ ଲୋକଙ୍କ ଘରେ ରାତ୍ରି ଆଶ୍ରୟ ନେଇ ନେଇ ୮ ଦିନରେ ପହଂଚିଲେ କୋର୍ଟରେ । ୧୭ ବର୍ଷ ତଳେ ନିଜ ଭଉଣୀ ପ୍ରତି ହୋଇଥିବା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ଦେବା ପାଇଁ ତାଙ୍କର ଏହି ଯାତ୍ରା ।

ଓଳିଏ ଖାଇଲେ ଆରଓଳି ଉପାସରେ କଟେ ଏହି ପରିବାରର ଦିନ । ପାହାଡ ମୁଣ୍ଡିଆ ଉପରେ ବିନାକାନ୍ଧ, କବାଟର ଛାମୁଣ୍ଡିଆଟିଏ ସେମାନଙ୍କ ଆଶ୍ରୟସ୍ଥଳ । ସ୍ଥାନୀୟ ପ୍ରଶାସନ ପାଖରେ ବାରମ୍ବାର ଅନୁରୋଧ କରିଥିଲେ ବି କେବେ ସହାୟତା ଟିକିଏ ପାଇନାହାଁନ୍ତି ଏହି ଗରିବ ପରିବାର । ମିଳିଛି କେବଳ ପ୍ରତିଶ୍ରୁତି । ସେପଟେ କଡିପାରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାନକୀଙ୍କ ଦୁଇ ପୁଅ ପାଠ ପଢୁଛନ୍ତି । ବିଦ୍ୟାଳୟର ଶିକ୍ଷକ ଏମାନଙ୍କ ଅଭାବୀ ଦୁନିଆକୁ ବୁଝିପାରିଛନ୍ତି ।

ଆମ ସମାଜର ବିଭିନ୍ନ ସ୍ତରର ଲୋକଙ୍କ ବିକାଶ ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଜାନକୀଙ୍କ ପରି ଲୋକଙ୍କ ସମସ୍ୟା ପ୍ରତି କାହିଁକି ଅଣଦେଖା କରୁଛି ପ୍ରଶାସନ?

ଏହାସହ ଦେଖନ୍ତୁ ଏହି ଭିଡିଓ –