୭୦ ବର୍ଷୀୟା ମହିଳାଙ୍କ ପାଖରୁ ମିଳିଲା ୧କୋଟିର ପୁରୁଣା ନୋଟ୍ !

30

ପୁଣେ : ପୁଣେରେ ହଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ୭୦ ବର୍ଷୀୟା ମହିଳା ପାଖରୁ ମିଳିଛି ୧କୋଟିର ଅଚଳ ନୋଟ୍ । ନବଭାରତ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁସାରେ ଗତ ଗୁରୁବାର ଦିନ ଫଗ୍ୟୁସନ କଲେଜ (ଏଫସି) ବାହାରେ ଜଣେ ୭୦ ବର୍ଷୀୟା ମହିଳା ଜଣକ ବାରମ୍ବାର ସଡକରେ ବୁଲୁଥିବାର କିଛି ଲୋକଙ୍କ ନଜରରେ ଆସିଥିଲା । ସେମାନେ ସନ୍ଦେହ କରିଥିଲେ ମହିଳାଙ୍କର ଏପରି ଅବସ୍ଥା ଦେଖି । ଦକ୍କନ ପୁଲିସକୁ ଖବର ଦେବାପରେ ପୁଲିସ୍ ଏଫସି ସଡକରେ ପହଁଚିଥିଲେ ଏବଂ ସଂପୃକ୍ତ ମହିଳାଙ୍କୁ ଦକ୍କନ ପୁଲିସ୍ ଷ୍ଟେସନ ନିଆଯାଇଥିଲେ ।

ସୂଚନା ଅନୁସାରେ ଗୀତା ଶାହ ନାମ୍ନୀ ଏହି ମହିଳା ୟେରୱଡାରେ ରୁହନ୍ତି । ପୁଲିସ୍ ଏହି ମହିଳାଙ୍କୁ ହାଜତଙ୍କୁ ନେଇଥିଲେ । କିନ୍ତୁ ଗୀତାଙ୍କ ପାଖରୁ ମିଳିଥିବା ଟଙ୍କା ଏବେ କୈାଣସି କାମକୁ ଆସିବ ନାହିଁ । କାରଣ ସବୁ ନୋଟ୍ ୫ଶହ ଓ ୧ହଜାର ଟଙ୍କାର ପୁରୁଣା ଅଚଳ ନୋଟ୍ ଅଟେ । ଗୀତାଙ୍କ ପାଖରୁ ୧କୋଟିର ପୁରୁଣା ନୋଟ୍ ମିଳିଛି । ପ୍ରକୃତରେ ଗୀତା ଅଧିକ କଥାବାର୍ତ୍ତା କରୁନାହାଁନ୍ତି । କିନ୍ତୁ ପୁଲିସଙ୍କୁ ସେ କହିଛନ୍ତି ସେ କିଛି ନୋଟକୁ ଏକ୍ସଚେଂଜ କରିବାକୁ ଏଫସି ରୋଡ୍ ଆସିଥିଲେ ।

ଦକ୍କନ ପୁଲିସ୍ ଷ୍ଟେସନର ବରିଷ୍ଠ ପୁଲିସ୍ ଅଧିକାରୀ ଅଜୟ କଦମ୍ କହିଛନ୍ତି , ‘ ଘଟଣାର ସତ୍ୟାସତ୍ୟ ବିଷୟରେ ଅଧିକ ଜାଣିବା ପାଇଁ ଆମେ ବାରମ୍ବାର ସେହି ମହିଳାଙ୍କୁ ପଚରା ଉଚରା କରୁଛୁ  । ବୋଧହୁଏ ବୟସାଧିକ କାରଣରୁ ସେହି ମହିଳା ଅଧିକ ତଥ୍ୟ ଦେଇପାରୁନାହାଁନ୍ତି । ଆମେ ଟ୍ୟାକ୍ସ ବିଭାଗକୁ ଏ ବିଷୟରେ ଜଣାଇବୁ । ଏବେସୁଦ୍ଧା ଏହି ମାମଲାରେ କୈାଣସି ଏଫଆଇଆର୍ ଦିଆଯାଇନାହିଁ ’।