ସ୍ୱତନ୍ତ୍ର ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ : ଓଡିଶା ରାଜନୀତିର ଚାଣକ୍ୟ

197

ଜାନକୀ ବଲ୍ଲଭ ପଟ୍ଟନାୟକ । ଏହି ନାଁ ଟି ଓଡିଶାର ତଥା ଦେଶର ମାଟି, ପାଣି,ପବନରେ ନିନାନ୍ଦିତ ହୁଏ । ଓଠରେ ନାଁଟି ଉଚ୍ଚାରିତ ହେଉ ହେଉ ଏକ ସୁଦୀର୍ଘ ଓ ଦାମ୍ଭିକ ଚେହେରା ଝଲସି ଉଠେ ଆଖି ସାମ୍ନାରେ । ଏକ ବଳିଷ୍ଠ ବ୍ୟକ୍ତିତ୍ୱର ପୂର୍ଣ୍ଣ ଅଧିକାରୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆସାମର ପୂର୍ବତନ ରାଜ୍ୟପାଳ ଥିଲେ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ବିୟୋଗ ଚାହୁଁ ଚାହୁଁ ଦୁଇ ବର୍ଷ ହୋଇଗଲା । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସେ କେବଳ ଜଣେ ରାଜନେତା ନଥିଲେ – ଏକାଧାରରେ ଥିଲେ ସାହିତ୍ୟିକ,ଗବେଷକ,ସଂସ୍କତଜ୍ଞ, ସାମ୍ବାଦିକ, ଅନୁବାଦକ, ଦୂରଦ୍ରଷ୍ଟା ଓ ଚିନ୍ତକ । ସେ ତିନି ତିନି ଥର ଓଡିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ସେ କୃଷିପ୍ରଧାନ ଓଡିଶା ପାଇଁ ପ୍ରଥମ କୃଷି ନୀତି ପ୍ରଣୟନ କରିଥିଲେ । ଓଡିଶା ଯଦି ଆଜି ଦୁଗଧ ଉତ୍ପାଦନ କ୍ଷେତ୍ରରେ କିଛି ସଫଳତା ହାସଲ କରିଛି ,ତାହା ସମ୍ଭବ ହୋଇଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୋଗୁଁ ।

୧୯୭୧ରେ ପ୍ରଥମଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ । ୧୯୭୩ରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଜଣେ-ଉପମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ । ୧୯୮୦ରେ ହୋଇଥିଲେ ସେ ଓଡିଶାର ମୁଖ୍ୟମନ୍ତ୍ରୀ । ଏହାପରେ ୧୯୮୫ ଓ ୧୯୯୫ ମସିହାରେ ସେ ପୁଣି ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ । ଆସାମ ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ଓଡିଶା ଓ ଆସାମ ମଧ୍ୟରେ ନିବିଡ ସାଂସ୍କୃତିକ-ସାମାଜିକ ସଂପର୍କର ପୁନଃଆବିଷ୍କାର କରିଥିଲେ । ସରକାରରେ ଥାଆନ୍ତୁ କି ବିରୋଧୀ ଦଳରେ ,ରାଜନୀତି ହେଉ କି ସାମ୍ବାଦିକତା । ସାହିତ୍ୟରେ ଓଡିଶାର ସର୍ବାଙ୍ଗୀନ ବିକାଶ ଥିଲା ତାଙ୍କର ସ୍ୱପ୍ନ ।

ସବୁ ମଣିଷର ଜନ୍ମ ଏକ ପ୍ରକାର । ମଣିଷ ଜନ୍ମ ହୋଇଥାଏ ସାଧାରଣ ଭାବେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ମଣିଷ ଚିହ୍ନିତ ହୁଏ ତାର ଗୁଣାବଳୀ ଓ କାର୍ଯ୍ୟାବଳୀ ମାଧ୍ୟମରେ । ଅସାଧାରଣ ପ୍ରତିଭା ହିଁ ମଣିଷକୁ ଇତିହାସର ନାୟକ କରି ଗଢିତୋଳେ । ସେହି ଭଳି ଜଣେ କାଳଜୟୀ ମଣିଷ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ।