ସୁଧ ହାର ବଢ଼ାଇଲେ ୩ ବ୍ୟାଙ୍କ ! ଏଣିକି ମହଙ୍ଗା ହେବ ଗାଡ଼ି, ଗୃହ ଋଣ

42

ଦେଶରେ ଦୀର୍ଘଦିନ ପରେ ସୁଧ ହାର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମେତ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ମାସ ପହିଲାରେ ଋଣ ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି । ବ୍ୟାଙ୍କ ଗୁଡ଼ିକର ଏହି ନିଷ୍ପତ୍ତି ଯୋଗୁଁ ଗୃହ ଏବଂ ଗାଡ଼ି ଋଣ ଗ୍ରାହକଙ୍କୁ ଆଗାମୀ ଦିନରେ ଇଏମ୍ଆଇ(ମାସିକ କିସ୍ତି) ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ିବା ଆଶଙ୍କା ଦେଖାଦେଇଛି । ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଏହାର ସୁଧ ହାରରେ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ବ୍ୟାଙ୍କ ଏହାର ବର୍ଷିକିଆ ଏମସିଏଲଆର୍ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିବା ଯୋଗୁ ଏହାର ଏମସିଏଲଆର୍ ୮.୩ ପ୍ରତିଶତରେ ପହଞ୍ଚିଛି । ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ ଓ ପିଏନବି ସେମାନଙ୍କ ଏମସିଏଲଆରରେ ୧୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି । ଏଚଡିଏଫସି ଭଳି ଅନ୍ୟ କେତେକ ବ୍ୟାଙ୍କ ଆସନ୍ତା ସପ୍ତାହରେ ସେମାନଙ୍କ ଏମସିଏଲଆରରେ ସଂଶୋଧନ ଆଣିବେ ବୋଲି କୁହାଯାଉଛି ।

ପିଏନବି ପକ୍ଷରୁ କୁହାଯାଇଛି ଯେ, ଅଧିକାଂଶ ଗ୍ରାହକଙ୍କ ପାଇଁ ଏହାର ଗୃହ ଋଣ ସୁଧ ହାର ୮.୬ ପ୍ରତିଶତ ରହିବ । ଅନ୍ୟପକ୍ଷରେ ମହିଳା ଗ୍ରାହକଙ୍କ ପାଇଁ ଏହା ୮.୫୫ ପ୍ରତିଶତ ରହିବ । ଅଧିକାଂଶ ବର୍ଗର ଗ୍ରାହକଙ୍କ ପାଇଁ ଏସବିଆଇର ଏମସିଏଲଆର୍ ୪୦ ବେସିସ୍ ପଏଣ୍ଟ ମଧ୍ୟରେ ପରିବ୍ୟାପ୍ତ ଥିବାବେଳେ ମହିଳା ଗ୍ରାହକଙ୍କ ପାଇଁ ଏହା ଏହା ୩୫ ବେସିସ୍ ପଏଣ୍ଟ ମଧ୍ୟରେ ପରିବ୍ୟାପ୍ତ ରହିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ବର୍ଷିକିଆ ଅବଧିର ଏମସିଏଲଆରରେ ୧୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଫଳରେ ଏହାର ୧ ବର୍ଷିଆ ଋଣ ଅବଧିର ଏମସିଏଲଆର୍ ୮.୧୫ ପ୍ରତିଶତରୁ ୮.୩୦ ପ୍ରତିଶତକୁ ବୃଦ୍ଧି ଘଟିଛି ।

ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ଗୁଡ଼ିକ ଏମସିଏଲଆର୍ (ମାର୍ଜିନାଲ୍ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍) ସହିତ ସବୁ ପ୍ରକାର ଋଣ ସୁଧ ହାରକୁ ଯୋଡ଼ିଥାନ୍ତି । ୨୦୧୬ ଏପ୍ରିଲରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ଏମସିଏଲଆର୍ ବ୍ୟବସ୍ଥା ଲାଗୁ ହୋଇଛି । ନୂଆ ସୁଧ ହାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ଦୁଇ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ବ୍ୟାଙ୍କ ଗୁଡ଼ିକ ଉକ୍ତ ସୁଧ ହାରରେ ବୃଦ୍ଧି ଘୋଷଣା କରିଛନ୍ତି । ବ୍ୟାଙ୍କ ଗୁଡ଼ିକର ଏହି ନିଷ୍ପତ୍ତି ଫଳରେ ପୂର୍ବରୁ ଗୃହ ଋଣ ନେଇଥିବା ବ୍ୟକ୍ତିମାନେ ହଠାତ୍ ପ୍ରଭାବିତ ହେବେ ନାହିଁ । ରିସେଟ୍ କ୍ଲଜ୍ ଅନୁଯାୟୀ ସେମାନଙ୍କୁ ଏହି ବୃଦ୍ଧିରୁ ସୁରକ୍ଷା ମିଳିବ । ଉଦାହରଣ ସ୍ୱରୂପ ୨୦୧୭ ନଭେମ୍ବରରେ ଋଣ ନେଇଥିବା ବ୍ୟକ୍ତି ଯାହାଙ୍କର ସୁଧ ହାର ବର୍ଷିକିଆ ଏମସିଏଲଆର୍ ସହିତ ଯୋଡ଼ାଯାଇଛି ସେମାନଙ୍କ ପାଇଁ ନୂଆ ସୁଧ ହାର କେବଳ ବର୍ଷକ ପରେ ହିଁ ଯାଇ ଲାଗୁ ହେବ । ଅର୍ଥାତ୍ ୨୦୧୮ ନଭେମ୍ବରରୁ ସେମାନଙ୍କୁ ନୂଆ ସୁଧ ହାର ଲାଗୁ ହେବ । କିନ୍ତୁ ନୂଆ ଗ୍ରାହକଙ୍କ ପାଇଁ ସୁଧ ହାର ତୁରନ୍ତ ମହଙ୍ଗା ହେବ ।