ଜୁଲାଇ ପହିଲାଠାରୁ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ଏହି ସବୁ ସାମଗ୍ରୀ ! ଜାଣନ୍ତୁ

129

ଭାରତରେ ନୁଆ ଦ୍ରବ୍ୟ ଓ ସେବା କର ତଥା ଜିଏସଟି ବିଲ୍ ଜୁଲାଇ ପହିଲାଠାରୁ ଲାଗୁ ହେବାକୁ ଯାଉଛି । ଗତ ଗୁରୁବାରକୁ ଅନେକ ବସ୍ତୁ ଏବଂ ସେବାଗୁଡିକ ଉପରେ ଟ୍ୟାକ୍ସ ଲାଗୁ କରାଯାଇଛି । ତେବେ ଜିଏସଟି କାଉସିଲର ଦୁଇ ଦିନ ଧରି ବୈଠକର ପ୍ରଥମ ଦିନରେ ୧୨ ଶହରୁ ଅଧିକ ବସ୍ତୁ-ସେବା ଉପରେ ଟ୍ୟାକ୍ସ ଦର ଲାଗୁ କରାଯାଇଛି । ଯାହାକୁ ୫ରୁ ୨୮ ପ୍ରତିଶତ ମଧ୍ୟରେ ରଖା ଯାଇ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭାଜନ କରାଯାଇଛି ।

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମୀଳନୀରେ ଘୋଷଣା କରିଛନ୍ତି କି ୧୨୧୧ ଆଇଟମ୍ସରେ ୬ଟି ଶ୍ରେଣୀକୁ ବାଦ୍ ଦେଇ ବାକି ସମସ୍ତ ସାମଗ୍ରୀ ଉପରେ ଏହା ଧାର୍ଯ୍ୟ କରାଯାଇଛି । ଏଥିସହ ଶିକ୍ଷା ଓ ସ୍ୱାସ୍ଥ୍ୟ ଜିଏସଟି ମୁକ୍ତ ରହିବ । ରାଜସ୍ୱ ସଚିବ ହସମୁଖ ଅଧିୟା କହିଛନ୍ତି କି, ଏଥିମଧ୍ୟରୁ ୮୨ ପ୍ରତିଶତ ଜିନିଷ ୧୮ ପ୍ରତିଶତ ଟ୍ୟାକ୍ସ ଦରଠାରୁ କମରେ ଆସିବ । ଖାଇବା ସାମଗ୍ରୀ, କ୍ଷୀର, ଲୁଣ ଏବଂ ଚାଉଳ ଇତ୍ୟାଦିକୁ ଜିରୋ ଟ୍ୟାକ୍ସ ଶ୍ରେଣୀଭୁକ୍ତ କରାଯାଇଛି । ତେବେ ଏଥିସହ ଆସନ୍ତୁ ଜାଣିବା ଅନ୍ୟ କେଉଁ କେଉଁ ସାମଗ୍ରୀ ଉପରେ ଲାଗୁ ହୋଇଛି ଜିଏସଟି ଟ୍ୟାକ୍ସ ।

ଜିରୋ ପ୍ରତିଶତ, ଯେଉଁଥିରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ

ତାଜା କ୍ଷୀର, ଚାଉଳ, ତାଜା ଫଳ, ଲୁଣ, ପାମ୍ପଡ, ରୁଡି, ଗହମ, ପଶୁପକ୍ଷୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଖାଦ୍ୟ, କଣ୍ଡୋମ, ଗର୍ଭନିରୋଧକ ଔଷଧ, ବହି, ଜାଳେଣୀ କାଠ, ଚୁଡି ଇତ୍ୟାଦି ସାମଗ୍ରୀ ଉପରେ ଉପଭୋକ୍ତାଙ୍କୁ ଦେବାକୁ ପଡିବନି କୌଣସି ଟ୍ୟାକ୍ସ ।

ଏହି ସାମଗ୍ରୀ ଉପରେ ଲାଗିବ ୫ ପ୍ରତିଶତ ଟ୍ୟାକ୍ସ

ରେଳ, ରାସ୍ତା ଏବଂ ବିମାନ ସେବା ପାଇଁ ଜିଏସଟି ୫ପ୍ରତିଶତ ରହିବ । ଏହାବ୍ୟତିତ ଚା’, କଫି, ଖାଇବା ତେଲ, ବ୍ରାଣ୍ଡେଡ୍ ଚାଉଳ, ସୋୟାବିନ, ସୂର୍ଯ୍ୟମୁଖୀର ମଞ୍ଜି, ପନିର, କୋଇଲା, କିରୋସିନ, ଘରୋଇ ବ୍ୟବହାର ପାଇଁ ଏଲପିଜି, ଜେମୋଟ୍ରି ବକ୍ସ, କୃତିମ କିଡିନୀ, ହେଡ୍ ପପ୍, ଲୁହା, ଷ୍ଟିଲ୍, ଲୌହ ମିଶ୍ରିତ ଧାତୁ, ତମ୍ଭା ବାସନ, ଝାଡୁ ଇତ୍ୟାଦି ଜିନିଷ ଉପରେ ଉପଭୋକ୍ତାଙ୍କୁ ଦେବାକୁ ପଡିବ ୫ ପ୍ରତିଶତ ଟ୍ୟାକ୍ସ ।

ଏହି ସାମଗ୍ରୀ ଉପରେ ଲାଗିବ ୧୨ ପ୍ରତିଶତ ଟ୍ୟାକ୍ସ

ଡ୍ରାଏ ଫୁଡସ, ଘିଅ, ଲହୁଣୀ, ନମକିନ ଜାତୀୟ ଜିନିଷ, ମାଛ, ମାଂସ, ଦୁଗ୍ଧରେ ତିଆରି ସାମଗ୍ରୀ, ବାୟୋ ଗ୍ୟାସ, ମହମବତୀ, ଅଗରବତୀ, ଦାନ୍ତ ଘଷା ପାଉଡର, ଚଷମାର ଲେନ୍ସ, ପିଲାଙ୍କ ଡ୍ରଇଁ ବୁକ, କ୍ୟାଲେଣ୍ଡର୍ସ, ଏଲପିଜି ଷ୍ଟୋଭ, ନଟ ବୋଲ୍ଟ, ଟ୍ରାକ୍ଟର, ସାଇକଲ, ଏଲଇଡି ଲାଇଟ୍, ଖେଳ ସାମଗ୍ରୀ ଇତ୍ୟାଦି ଉପରେ ଧାର୍ଯ୍ୟ କରାଯାଇଛି ୧୨ ପ୍ରତିଶତ ଟ୍ୟାକ୍ସ ।

ଏହା ଉପରେ ଲାଗିବ ୧୮ ପ୍ରତିଶତ ଟ୍ୟାକ୍ସ

ମଦ୍ୟପାନ ସୁବିଧା ଥିବା ହୋଟେଲରେ ଜିଏସଟି ୧୮ପ୍ରତିଶତ ରହିବ । ଏଥିସହ ରିଫାଇଣ୍ଡି ସୁଗାର, କେଶ ଜନିତ ତୈଳ, ସାବୁନ, ହେଲମେଟ, ନୋଟବୁକ୍, ଜାମ୍, ଜେଲି, ସସ୍, ସୁପ୍, ଆଇସକ୍ରିମ, ମିନେରାଲ ୱାଟର, ପେଟ୍ରୋଲିୟମ ଜେଲି, ପେଟ୍ରୋଲିୟମ କୋକ୍, ଟୟଲେଟ୍ ପେପର ଇତ୍ୟାଦିରେ ଲାଗିବ ୧୮ ପ୍ରତିଶତ ଟ୍ୟାକ୍ସ ।

ଏହା ଉପରେ ଲାଗିବ ୨୮ ପ୍ରତିଶତ ଟ୍ୟାକ୍ସ

ଲକ୍ସରୀ କାର ଉପରେ ୨୮ପ୍ରତିଶତ ଟ୍ୟାକ୍ସ ସହିତ ୧୫ପ୍ରତିଶତ ସେସ୍ ଲାଗୁ କରାଯିବ । ସେହିପରି ଏସି ଓ ଫ୍ରୀଜ୍ ଭଳି ଦୀର୍ଘସ୍ଥାୟୀ ଦ୍ରବ୍ୟକୁ ମଧ୍ୟ ୨୮ ପ୍ରତିଶତ ଟ୍ୟାକ୍ସ କାଟାଗୋରୀରେ ରଖାଯାଇଛି । ଏହାଛଡା ମୋଟର ସାଇକେଲ, ଚକୋଲେଟ, ବଟର,ପାନ ମସଲା, ଫ୍ରିଜ୍, ପରଫ୍ୟୁମ, ବିଭିନ୍ନ ପ୍ରସାଧାନ ସାମଗ୍ରୀ, ଟୁଥପେଷ୍ଟ, ସେବିଂ କ୍ରିମ, ପ୍ଲାଷ୍ଟିକ୍ ପ୍ରଡକ୍ଟ, ଚମଡା ବ୍ୟାଗ, ରେଜର, ମାର୍ବଲ, ପ୍ଲାଷ୍ଟର, ଟେମ୍ପର୍ଡ ଗ୍ୟାସ, ୱାସିଂ ମେସିନ, ମେନିକୌର ଓ ପ୍ୟାଡିକୌର ସେଟ୍, ପିଆନୋ, ବନ୍ଧୁକ ଇତ୍ୟାଦିରେ ମଧ୍ୟ ଲାଗୁ ହୋଇଛି ୨୮ ପ୍ରତିଶତ ଟ୍ୟାକ୍ସ ।