ଆରମ୍ଭ ହେଲା ଜିଏସଟି ଯୁଗ : ଏବେ ଗୋଟିଏ ଦେଶ ଗୋଟିଏ ବଜାର, ଗୋଟିଏ ଦେଶ ଗୋଟିଏ ଟିକସ

31

ଏବେ ଗୋଟିଏ ଦେଶ ଗୋଟିଏ ବଜାର, ଗୋଟିଏ ଦେଶ ଗୋଟିଏ ଟିକସ । ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି ଜିଏସଟି ଯୁଗ । ସାରାଦେଶରେ ଲାଗୁ ହୋଇଛି ଜିଏସଟି ବା ସାମଗ୍ରୀ ଓ ସେବା କର । ସଂସଦର ଐତିହାସିକ ସେଣ୍ଟ୍ରାଲ ହଲରେ ମଧ୍ୟରାତ୍ରିରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଚ୍ ଦବାଇ ଜିଏସଟିର ଶୁଭାରମ୍ଭ କରିଛନ୍ତି ।

ଦେଶର ଟିକସ୍ ଇତିହାସରେ ସବୁଠାରୁ ବଡ଼ ସଂସ୍କାର ଭାବରେ ଉତ୍ପାଦ ଶୁଳ୍କ, ସେବା କର ଏବଂ ଭାଟ୍ ଭଳି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୬ ପ୍ରକାର ଟିକସକୁ ଉଚ୍ଛେଦ କରାଯାଇ ତା ବଦଳରେ ଗୋଟିଏ ପ୍ରକାର ଟିକସ ‘ଜିଏସଟି’ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ନୂତନ ଟିକସ ବ୍ୟବସ୍ଥା ୧୩୦ ଲକ୍ଷ କୋଟି ଟଙ୍କାର ଭାରତୀୟ ଅର୍ଥନୀତିକୁ ୧୩୦ କୋଟି ଲୋକଙ୍କ ସହିତ ଯୋଡ଼ି ଗୋଟିଏ ବଜାରରେ ପରିଣତ କରିବ ବୋଲି କୁହାଯାଉଛି ।

ସଂସଦର ଏହି ସ୍ୱତନ୍ତ୍ର ସମାରୋହ ରାତି ୧୧ଟାରୁ ଆରମ୍ଭ ହୋଇ ୧୨ଟା ୫ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା । ଏହି କାର୍ୟ୍ୟକ୍ରମରେ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ଏହାକୁ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ସବୁ ଦଳ ଓ ସରକାରଙ୍କ ମିଳିତ ଉଦ୍ୟମର ଫଳ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଜିଏସଟି କେବଳ ଏକ ଟିକସ ସଂସ୍କାର ନୁହେଁ, ଅର୍ଥନୈତିକ ସଂସ୍କାର ଦିଗରେ ଏକ ବଡ଼ ପଦକ୍ଷେପ । ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶକୁ ଯେଉଁଭଳି ଏକତ୍ରିତ କରିଥିଲେ ଜିଏସଟି ସେହିଭଳି ଦେଶର ଅର୍ଥନୈତିକ ଏକତ୍ରୀକରଣରେ ସହାୟକ ହେବ । ଜିଏସଟି କୌଣସି ଗୋଟିଏ ଦଳ ବା ସରକାରର ସଫଳତା ନୁହେଁ । ଏହା ଏକ ମିଳିତ ଉଦ୍ୟମର ଫଳ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ସେ ଆହୁରି କହିଲେ, ଭାରତର ବିଭିନ୍ନ ପ୍ରକାର ଟିକସକୁ ନେଇ ବିଦେଶୀ ନିବେଶକଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଜିଏସଟି ଦ୍ୱାରା ଦୂର ହୋଇଯିବ । ଏହା ଅର୍ଥନୈତିକ ପ୍ରତିବନ୍ଧକ ହଟାଇ ଦେବ । ନୂତନ ଟିକସ ବ୍ୟବସ୍ଥା ଦ୍ୱାରା ଗରିବ ଲୋକମାନେ ଲାଭବାନ ହେବେ । ଏହା ଟିକସ ଆତଙ୍କବାଦ ଏବଂ ଇନ୍ସପେକ୍ଟରରାଜରେ ପୂର୍ଣ୍ଣଚ୍ଛେଦ ପକାଇବ । ସର୍ବୋପରି କଳାଧନକୁ ରୋକିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ରାତି ପ୍ରାୟ ୧୧ଟାରେ ଜିଏସଟି ପାଇଁ ଆୟୋଜିତ ଏହି ଉତ୍ସବ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା । ଦେଶ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ସଫଳତା ବୋଲି ସେ କହିଥିଲେ । ଜିଏସଟି ଲାଗୁ ହେବା ଦ୍ୱାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ଲାଗି ଦୀର୍ଘ ୧୭ ବର୍ଷ ଧରି ଚାଲିଥିବା କସରତ ଆଜି ଫଳପ୍ରଦ ହେଲା ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ, ତୃଣମୂଳ କଂଗ୍ରେସ, ବାମ ସାମ୍ମୁଖ୍ୟ, ରାଷ୍ଟ୍ରୀୟ ଜନତା ଦଳ, ଡିଏମକେ ଆଜିର ଏହି ଉତ୍ସବକୁ ବର୍ଜନ କରିଥିଲେ ।