ରକ୍ଷାବନ୍ଧନରେ ଭଉଣୀଙ୍କୁ ଉପହାରରେ ଶୌଚାଳୟ ପ୍ରଦାନ କଲେ ଭାଇ ହେବେ ସମ୍ମାନିତ

27

ଦେଶରେ ସ୍ଵଚ୍ଛତାର ତାଲିକାରେ ସବୁଠାରୁ ନିମ୍ନରେ ଥିବା ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାକୁ ସଫା ସୁତୁରା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଅପରିଷ୍କାର ସ୍ଥାନରେ ଧାର୍ମିକ ମହତ୍ଵ ରଖୁଥିବା ବୃକ୍ଷ ରୋପଣ ପରେ ଏବେ ଜିଲ୍ଲା ପ୍ରଶାସନ ଏକ ଭିନ୍ନ ଧରଣର ପଦକ୍ଷେପ ଉଠାଇଛନ୍ତି । ସୂଚନା ମୁତାବକ, ରକ୍ଷା ବନ୍ଧନରେ ଯେଉଁ ଭାଇମାନେ ଭଉଣୀଙ୍କୁ ଉପହାରରେ ଶୌଚାଳୟ ପ୍ରଦାନ କରିବେ ତାଙ୍କୁ ସମ୍ମାନିତ କରାଯିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ଡିଏମ ଜେବି ସିଂହ କହିଛନ୍ତି ‘ଦେଶର ସବୁଠାରୁ ଅପରିଷ୍କାର ଜିଲ୍ଲା ହିସାବରେ ପରିଗଣିତ ଗୋଣ୍ଡା ଜିଲ୍ଲାରେ ଏବେ ଲଗାତାର ସ୍ଵଚ୍ଛତା ଅଭିଯାନ କରାଯାଇ ସହରର ରୂପ ବଦଳେଇବାକୁ ଉଦ୍ୟମ ଜାରି ରହିଛି । ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ସହରକୁ ସଂପୂର୍ଣ୍ଣ ସ୍ଵଚ୍ଛ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ସାଧାରଣ ଜନତାଙ୍କ ଭାଗିଦାରୀ ଅତି ଆବଶ୍ୟକ ଅଟେ । ତେଣୁ ଚଳିତ ବର୍ଷ ରକ୍ଷା ବନ୍ଧନ ଅବସରରେ ଯେଉଁ ଭାଇମାନେ ଭଉଣୀକୁ ଶୌଚାଳୟ ପ୍ରଦାନ କରିବେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପୁରସ୍କୃତ ଓ ସମ୍ମାନିତ କରିବ’ ।

ଏହି ପଦକ୍ଷେପ ଦ୍ଵାରା ମହିଳାଙ୍କୁ ଆଉ ବାହାରେ ଶୌଚ କରିବାରୁ ମୁକ୍ତି ମିଳିବ । ଡିଏମ ଆହୁରି ମଧ୍ୟ କହିଛନ୍ତି ଯେଉଁ ଭାଇମାନେ ଉପହାରରେ ଶୌଚାଳୟ ପ୍ରଦାନ କରିବେ ତାଙ୍କୁ ଅଧିକାରୀ ନିଜ ହାତରେ ପୁରସ୍କୃତ କରିବା ସହ ପ୍ରଶସ୍ତି ପତ୍ର ପ୍ରଦାନ କରାବେ ।

ସୌଜନ୍ୟ: ନବଭାରତ ଟାଇମ୍ସ