ଏଣିକି ଗାଡି ଚୋରି ହେଲେ ବି ରହିବନି ଚିନ୍ତା । ଚିପ୍ କରିବ ଆପଣଙ୍କ ଗାଡିର ସୁରକ୍ଷା, ଜାଣନ୍ତୁ କିପରି କରିବେ ବ୍ୟବହାର

44

ଗାଡି ଚୋରିକୁ ନେଇ ଏଣିକି ଆପଣଙ୍କୁ ଆଉ କୌଣସି ଚିନ୍ତା କରିବାକୁ ପଡି ନପାରେ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ନୂଆ ସୁବିଧା ସଂପର୍କରେ ଜଣାଇବାକୁ ଯାଉଛୁ ତାହା ଆପଣଙ୍କ କାମରେ ନିଶ୍ଚୟ ରୂପେ ଆସିପାରେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ।

ଏଣିକି ଗାଡିର ସମସ୍ତ ସୂଚନା ପରିବହନ ବିଭାଗ ନିକଟରେ ରହିବ । କାରଣ ନିକଟରେ ପରିବହନ ବିଭାଗ ‘ଫାଷ୍ଟାଗ’ ବ୍ୟବସ୍ଥାର ଶୁଭାରମ୍ଭ କରିଛି । ଫାଷ୍ଟାଗ ହେଉଛି ଏକ ସେନସର । ଯାହାକି ଟୋଲ ଗେଟ୍ ଦେଇ ଗତି କରୁଥିବା ଗାଡିଗୁଡିକର ସମସ୍ତ ତଥ୍ୟ ହାସଲ କରିନେଇଥାଏ । ଗାଡି ମାଲିକର ନାଁଠାରୁ ଆରମ୍ଭ କରି ଠିକଣା ଏବଂ ମୋବାଇଲ ନମ୍ବର ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏଥିରେ ଦାଖଲ ହୋଇଯାଇଥାଏ । ଯାହାଦ୍ୱାରା ଗାଡି ଚୋରି ହେବା ପରେ ବି ପୁଲିସ ସହଜରେ ଚୋରି ହୋଇଯାଇଥିବା ଗାଡିର ସନ୍ଧାନ କରିପାରିବ ।

ସୂଚନା ମୁତାବକ, କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ପହିଲାରୁ ଗାଡିଗୁଡିକରେ ଫାଷ୍ଟାଗ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି । ଫାଷ୍ଟାଗ ଯାହାକି ଗାଡିର ୱିଣ୍ଡୋସ୍କ୍ରିନରେ ଲଗାଯାଉଥିବା ଏକ ସେନସର ଚିପ୍ । ଏହି ଚିପରେ ଗାଡି ମାଲିକର ସଂପୂର୍ଣ୍ଣ ତଥ୍ୟ ରହିବା ସହ ଟାକ୍ସ ଆଦିର ସମସ୍ତ ସୂଚନା ମଧ୍ୟ ସୁରକ୍ଷିତ ଭାବେ ରହିଥାଏ । ଯାହାଦ୍ୱାରା ଗାଡି ଯେଉଁ ଯେଉଁ ସବୁ ଟୋଲ ଗେଟ ଦେଇ ଗତି କରିବ ତାର ସମସ୍ତ ଡିଟେଲ୍ସ ଅନଲାଇନ ହୋଇଯିବ ।

ଏହି ଚିପକୁ ଆପଣ ମୋବାଇଲ ସିମ ରିଚାର୍ଜ କଲା ଭଳି ମଝିରେ ମଝିରେ ରିଚାର୍ଜ ମଧ୍ୟ କରିପାରିବେ । ଯାହାଦ୍ୱାରା ଟୋଲଗେଟର ଆପଣ ଚାର୍ଜ ଦେବା ସମୟରେ ଏହାକୁ ବ୍ୟବହାର କରିପାରିବେ । ତେବେ ପରିବହନ ବିଭାଗ ଏହି ଚିପର ପଂଜିକରଣ ଶୁଳ୍କ ବାବଦକୁ ୧୦୦ ଟଙ୍କା ଧାର୍ଯ୍ୟ କରିଛି ।