ମହାରାଷ୍ଟ୍ର ଯୁକ୍ତଦୁଇ ପାଠ୍ୟପୁସ୍ତକରେ ବିବାଦୀୟ ସୂଚନା ! ଅସୁନ୍ଦର ଝିଅ ଓ ଭିନ୍ନକ୍ଷମ ଝିଅଙ୍କ ପାଇଁ ଦିଆଯାଏ ଯୌତୁକ

57

ସ୍କୁଲ କଲେଜରେ କେମିତି ପାଠ ପଢୁଛନ୍ତି ପିଲା । ପିଲାଙ୍କ ପାଠ୍ୟପୁସ୍ତକରେ କଣ ସବୁ ରହିଛି ଉପାଦାନ । ସାମାଜିକ ଜୀବନ ଗଠନରେ ସହାୟକ ହୁଏ କି କଲେଜରେ ପଢ଼ାଯାଉଥିବା ପାଠ । ଏମିତି କିଛି ପ୍ରଶ୍ନ ଛିଡ଼ା କରିଛି ମହାରାଷ୍ଟ୍ର ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ପାଠ୍ୟପୁସ୍ତକ ।

ମହାରାଷ୍ଟ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିବା ସୋସିଓଲୋଜି ବା ସମାଜବିଜ୍ଞାନର ଏକ ଅଧ୍ୟାୟରେ ଯୌତୁକର କାରଣ ଦର୍ଶାଇବାକୁ ଯାଇ କୁହାଯାଇଛି ଯେ, ଅସୁନ୍ଦର ଝିଅ ଏବଂ ଭିନ୍ନକ୍ଷମ ଝିଅଙ୍କ ପାଇଁ ଯୌତୁକ ଦିଆଯାଇଥାଏ । ଭାରତରେ ସାମାଜିକ ସମସ୍ୟା, କର୍ମଜୀବୀ ମହିଳାଙ୍କ ସମସ୍ୟା, ଘରୋଇ ହିଂସା ଆଦି ପ୍ରସଙ୍ଗ ଥିବା ଏହି ଅଧ୍ୟାୟରେ ଯୌତୁକ ସମସ୍ୟାର କାରଣ ସବୁ ମଧ୍ୟରେ ଅସୁନ୍ଦର ଏବଂ ଭିନ୍ନକ୍ଷମ ଝିଅଙ୍କ କଥା ବର୍ଣ୍ଣନା କରାଯାଇଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯୌତୁକ ବର୍ତମାନ ସମୟର ଏକ ପ୍ରମୁଖ ସାମାଜିକ ସମସ୍ୟା ଏବଂ ଏହା ଆମ ସମାଜରୁ ଦୂର ହେବା ନିହାତି ଆବଶ୍ୟକ । ତେବେ ପାଠ୍ୟପୁସ୍ତକରେ ଯୌତୁକକୁ ଏନେଇ ଏଭଳି ଚିତ୍ରଣ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ଶିକ୍ଷାବିତ ମତ ଦେଇଛନ୍ତି ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଏନେଇ ବୋର୍ଡ ଅଧ୍ୟକ୍ଷଙ୍କୁ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ଏହା ପୁରୁଣା ପାଠ୍ୟକ୍ରମର ଅଂଶ ବିଶେଷ ଏବଂ ୨୦୧୩ ମସିହାରୁ ଏହି ପାଠ୍ୟପୁସ୍ତକ ପ୍ରକାଶିତ ହେଉଛି ତେଣୁ ଏହାର ସମୀକ୍ଷା ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ପାଠ୍ୟପୁସ୍ତକ ଏବଂ ରାଜନୀତିକୁ ମିଶ୍ରଣ କରିବା ଗ୍ରହଣୀୟ ନୁହେଁ ବୋଲି ସେ ସଫେଇ ଦେଇଛନ୍ତି । ଏଥିରେ ଯଦି କୌଣସି ଆପତି ଜନକ ଉପାଦାନ ଥାଏ ତେବେ ଏହାର ସମୀକ୍ଷା କରାଯିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଏଥିରେ ପରିବର୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-