ଦେଶ ନାଁରେ ଚିଠି ଲେଖି ପୁରସ୍କାର ଜିତନ୍ତୁ । ‘ମୋ ଦେଶ ମୋ ଚିଠି’ ପ୍ରତିଯୋଗୀତାରେ ସାମିଲ ହୋଇ ଘରେ ବସି ଜିତନ୍ତୁ ୫୦ ହଜାର ଟଙ୍କାର ନଗଦ ପୁରସ୍କାର

50

ଯଦି ନିଜ ଦେଶ ପ୍ରତି ଆପଣଙ୍କ ମନରେ କିଛି ଭଲ ବିଚାର ରହିଛି , ଯାହାକୁ ଆପଣ ଲେଖିବାକୁ ଚାହୁଁଛନ୍ତି ତେବେ ଆଦୌ ବିଳମ୍ବ ନକରି ତୁରନ୍ତ ଏହି ଶୁଭକାମ କରିପକାନ୍ତୁ । କାରଣ ଡାକ ବିଭାଗ ତରଫରୁ ଏନେଇ ଏକ ଭଲ ସୁଯୋଗ ମିଳୁଛି । ଡାକ ବିଭାଗ ତରଫରୁ ଜାତୀୟ ସ୍ତରରେ ‘ଅଢେଇ ଅକ୍ଷର’ ଚିଠି ଲେଖା ପ୍ରତିଯୋଗୀକ୍ଷର ଆୟୋଜନ କରାଯାଉଛି । ଯେଉଁଥିରେ ଆପଣଙ୍କୁ ‘ମୋ ଦେଶ ମୋ ଚିଠି’ ଶୀର୍ଷକ ଉପରେ ଚିଠି ଲେଖିବାକୁ ପଡିବ । ଯଦି ଡାକ ବିଭାଗକୁ ଆପଣ ଲେଖିଥିବା ଚିଠିଟି ପସନ୍ଦ ଆସେ ତେବେ ୫ ହଜାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଆପଣଙ୍କୁ ପ୍ରଦାନ କରାଯିବ ।

ଭାରତୀୟ ଡାକ ବିଭାଗ ତରଫରୁ ଲୋକମାନଙ୍କୁ ଚିଠି ଲେଖିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ନିଜ ଦେଶ ପ୍ରତି ନିଜର ବିଚାରକୁ ଲେଖିବାକୁ ହେବ । ଏହି ଚିଠି ଡାକ ବିଭାଗ ଦ୍ୱାରା ଜାରି ଅର୍ନ୍ତଦେଶୀୟ ଚିଠି ତଥା ଲଫାଫାରେ ସ୍ୱୀକାର୍ଯ୍ୟ କରାଯିବ । ଏହି ଚିଠିକୁ ଆପଣ କ୍ରମଶଃ ୫୦୦ରୁ ୧୦୦୦ ଶଦ୍ଦ ଭିତରେ ଇଂରାଜୀ, ହିନ୍ଦୀ କିମ୍ବା ଆଂଚଳିକ ଭାଷାରେ ଲେଖିପାରିବେ । ଚିଠିରେ ନିଜର ପୂରା ନାଁ, ଠିକଣା ଏବଂ ଜନ୍ମତାରିଖ ଲେଖି ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ କିମ୍ବା ସ୍ଥାନୀୟ ଡାକଘରମାନଙ୍କରେ ଲଗାଯାଇଥିବା ବିଶେଷ ଲେଟରବକ୍ସରେ ଜମା କରିବାକୁ ପଡିବ । ତେବେ ଚିଠି ପଠାଇବାର ଶେଷ ତାରିଖ ରହିଛି ୩୦ ସେପ୍ଟେମ୍ବର ।

ସେହିପରି ଏହି ପ୍ରତିଯୋଗୀତାରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କଲେ ବିଜେତାଙ୍କୁ ୫୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କଲେ ୨୫ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କଲେ ବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ଡାକ ବିଭାଗର ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀଙ୍କ ସମେତ କୌଣସି ବି ବ୍ୟକ୍ତି ଭାଗ ନେଇପାରିବେ । ଏଥିପାଇଁ ସମସ୍ତ ଡାକଘରମାନଙ୍କରେ ନୋଟିସ ଲଗାଯାଇଛି ।