ମୋବାଇଲ ବିକ୍ରି ପର ଗ୍ରାହକ ସେବା । କିଣିଥିବା ଫୋନ ଖରାପ ହୋଇଗଲେ କ୍ଷତିପୂରଣ ସହିତ ନୂଆ ସେଲଫୋନ୍ ଦେବ କଂପାନୀ, ଜାଣନ୍ତୁ ପୂରା ପ୍ରକ୍ରିୟା

85

ଯଦି ଆପଣ କୌଣସି ନୂଆ ମୋବାଇଲ କିଣିଛନ୍ତି ଏବଂ ମୋବାଇଲ କିଣିବାର ମାତ୍ର କେଉଁଟା ଦିନରେ ତାହା ଖରାପ ହୋଇଯାଏ ଓ କଂପାନୀ ତାକୁ ରିପାୟର କରିବାକୁ ମନା କରିଦିଏ ତେବେ ଆପଣଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଜରୁରୀ । ଆପଣଙ୍କୁ ଏବେ ନିର୍ବାହ ଖର୍ଚ୍ଚ ସହିତ ନୂଆ ମୋବାଇଲ ମିଳିପାରେ । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିପାରେ ।

ତେବେ ନୂଆ ମୋବାଇଲ ନେବା ପାଇଁ ହେଲେ ଆପଣଙ୍କୁ ଏଥିପାଇଁ ଆଇନର ସହାୟତା ନେବାକୁ ପଡିବ । ଗ୍ରାହକଙ୍କୁ ଏସଂପର୍କରେ ଅଭିଯୋଗ ନିଜ ଜିଲ୍ଲାର ଡିଷ୍ଟ୍ରିକ୍ଟ କନଜ୍ୟୁମର ଡିସପ୍ୟୁଟ ଫୋରମରେ ଦାଖଲ କରିବାକୁ ପଡିବ । କନଜ୍ୟୁମର କୋର୍ଟ ଆପଣଙ୍କର ଅଭିଯୋଗକୁ ଆଧାର କରି ସଂପୂର୍ଣ୍ଣ ପ୍ରମାଣ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନିକଟରେ ଏଭଳି ଏକ ଘଟଣାରେ କଂପାନୀକୁ ଜଣେ ଉପଭୋକ୍ତାଙ୍କୁ କ୍ଷତିପୂରଣ ସହିତ ଏକ ନୂଆ ମୋବାଇଲ ଫୋନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଜିଲ୍ଲା ଉପଭୋକ୍ତା କୋର୍ଟ ଜଣେ ଗ୍ରାହକଙ୍କୁ ନୂଆ ମୋବାଇଲ ଏବଂ ନିର୍ବାହ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ନା, ଖରାପ ହେବା ସତ୍ୱେ ସେଲଫୋନକୁ ଠିକ୍ ସମୟରେ କଂପାନୀ ପକ୍ଷରୁ ରିପାୟର କରାଯାଇନଥିଲା ।

ସୂଚନା ମୁତାବକ, ତାମିଲନାଡୁର ଚେନ୍ନାଇରେ ରହୁଥିବା ସୁନୀଲ କୁମାର ନିକଟରେ ଏକ ଆପଲ ଆଇଫୋନ କିଣିଥିଲେ । କିନ୍ତୁ ବ୍ୟବହାର କରିବା ସମୟରେ ଫୋନଟି ବାରମ୍ବାର ଗରମ ହୋଇଯାଉଥିଲା । ଏଥିପାଇଁ କଂପାନୀର ସୁନୀଲ କଷ୍ଟମର କେୟାରରେ ଫୋନଟିକୁ ଦେଖାଇଥିଲେ ମାତ୍ର ଗ୍ରାହକ ସେବା କେନ୍ଦ୍ର ଫୋନଟିକୁ ଠିକ୍ କରିବାକୁ ରୋକଠୋକ୍ ମନା କରିଦେଇଥିଲା । ସୁନୀଲ ବାରମ୍ବାର ନିବେଦନ କରିବା ପରେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ଶେଷରେ ସେ କନଜ୍ୟୁମର କୋର୍ଟର ଦ୍ୱାରସ୍ତ ହୋଇଥିଲେ । ସୁନୀଲଙ୍କ ଅଭିଯୋଗକୁ ଭିର୍ତ୍ତି କରି କୋର୍ଟ ଉଭୟ ଦୋକାନୀ ଏବଂ ସେଲଫୋନ କଂପାନୀକୁ ଠିକ୍ ସେହି ମୂଲ୍ୟର ସେଲଫୋନ ସମେତ ନିର୍ବାହ ଖର୍ଚ୍ଚ ବାବଦକୁ ସୁନୀଲଙ୍କୁ ୯ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।