ଦିଲ୍ଲୀରେ ମନ୍ଥନ, ଉତ୍ତର ପ୍ରଦେଶରେ କମ୍ପନ । ବିଜେପି ବିରୋଧରେ ୟୁପିରେ ଆସନ ବୁଝାମଣା କଲେ ଏସପି ଓ ବିଏସପି

ବିଜେପି ଜାତୀୟ ପରିଷଦରେ ମୋଦିଙ୍କ ଟାର୍ଗେଟ: କହିଲେ, ଦେଶକୁ ଦୁର୍ବଳ ସରକାର ଦେବ ବିରୋଧୀ ମେଂଟ

100

କନକ ବ୍ୟରୋ:  ଦୀର୍ଘଦିନର ମତଭେଦକୁ ଭୁଲି ହାତ ମିଶାଇଛନ୍ତି ଏସପି ଓ ବିଏସପି । ଉତର ପ୍ରଦେଶରେ ମୋଦି ବିରୋଧରେ ମହାମେଂଟ କରିଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ଆସନ୍ତା ସାଧାରଣ ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟକ ୩୮ଟି ଲେଖାଏଁ ଆସନରେ ଲଢିବେ । ତେବେ ମହାମେଂଟରୁ କଂଗ୍ରେସକୁ ବାଦ୍ ଦିଆଯାଇଛି । ସେପଟେ ଦିଲ୍ଲୀ ରାମଲୀଳା ମୈଦାନରେ ବିଜେପି ଜାତୀୟ ପରିଷଦ ବୈଠକରେ ଆଗାମୀ ରଣନୀତି ସ୍ଥିର କରିଛନ୍ତି ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ ଦିଲ୍ଲୀରେ ହୋଇଛି ବିଜେପିର ମାନସ ମନ୍ଥନ । ଯେଉଁଥିରେ କର୍ମୀଙ୍କୁ ବିଜୟର ମନ୍ତ୍ର ଦେଇଛନ୍ତି ମୋଦି ।

୨୦୧୯ ସାଧାରଣ ନିର୍ବାଚନ ଲଢେଇର ଚିତ୍ର କିଭଳି ହେବ, ତାର ଏକ ମୋଟାମୋଟି ରୁପରେଖ ଶନିବାର ସ୍ପଷ୍ଟ ହୋଇଥିବା କୁହାଯାଉଛି । ଯେତିକିବେଳେ ଦିଲ୍ଲୀ ରାମଲୀଲା ମୈଦାନରେ ବିଜେପି ଜାତୀୟ ପରିଷଦ ବୈଠକରେ ଆଗାମୀ ରଣନୀତି ସ୍ଥିର କରିଛନ୍ତି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ । ଆଉ ସେପଟେ ମୋଦୀଙ୍କ ପଥରୋଧ କରିବାକୁ ଏକାଠି ହୋଇଛନ୍ତି ପରସ୍ପରର ଘୋର ବିରୋଧୀ ଏସପି ଓ ବିଏସପି । କୁହାଯାଉଛି ଶତ୍ରୁର ଶତ୍ରୁ ମିତ୍ର ନ୍ୟାୟରେ ଏକାଠି ହୋଇଛନ୍ତି ସାପ ଓ ନେଉଳ । ୨୦୧୪ରେ ବିଜେପିର ସଫଳତା ଓ ଗତ ବିଧାନସଭା ନିର୍ବାଚନରେ କ୍ଷମତା ହାତରୁ ଖସିଯିବା ପରେ ନିଜ ରାଜନୈତିକ ଭବିଷ୍ୟତ ଦୃଷ୍ଟିରୁ ହାତ ଧରାଧରି ହୋଇଛନ୍ତି ପରସ୍ପରର ଘୋର ବିରୋଧୀ ଅଖିଳେଶ ଓ ମାୟାବତୀ ।

ଆଗାମୀ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ ଦିଲ୍ଲୀରେ ଚାଲିଛି ବିଜେପିର ମାନସ ମନ୍ଥନ । ଆଉ ଜାତୀୟ ପରିଷଦକୁ ସମ୍ବୋଧିତ କରି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଜଣେ ବ୍ୟକ୍ତିକୁ ଅଟକାଇବା ଲାଗି ବିରୋଧୀମାନେ ଏକାଠି ହେଉଥିବା କହିଛନ୍ତି ମୋଦି । ବିଜେପି ଦେଶକୁ ମଜଭୂତ ସରକାର ଦେବାକୁ ଚାହୁଁଥିବାବେଳେ ବିରୋଧୀ ମଜବୁର ସରକାର ଦେବାକୁ ଚାହୁଁଥିବା ସେ ଟିପ୍ପଣୀ କରିଛନ୍ତି । ଏପଟେ ଦୀର୍ଘଦିନର ମତଭେଦକୁ ଭୁଲି ହାତ ମିଶାଇଛନ୍ତି ଏସପି ଓ ବିଏସପି । ୨୦୧୯ରେ ବିଜେପିର ବାଟ ଓଗାଳିବାକୁ ଆସନ ବୁଝାମଣା କରିଛନ୍ତି ମାୟାବତୀ ଓ ଅଖିଳେଶ ଯାଦବା ଚୁକ୍ତି ଅନୁସାରେ

ବିଜେପି ବିରୋଧରେ ଏସପି ଓ ବିଏସପିକୁ ନେଇ ମହାଗଠବନ୍ଧନର ପରିକଳ୍ପନା କରୁଥିବା କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । କାରଣ କଂଗ୍ରେସକୁ ବାଦ ଦେଇ ମେଂଟ କରିଛନ୍ତି ଦୁଇ ଆଂଚଳିକ ଶକ୍ତି । ତେବେ ସୌଜନ୍ୟ ଦୃଷ୍ଟିରୁ କେବଳ ରାଏବରେଲି ଓ ଆମେଥି ଆସନକୁ କଂଗ୍ରେସ ପାଇଁ ଛାଡି ଦେଇଛନ୍ତି । ଯେଉଁଠାରୁ ନିର୍ବାଚନ ଲଢି ଆସୁଛନ୍ତି ସୋନିଆ ଓ ରାହୁଲ । କଂଗ୍ରେସକୁ ଆମେଥି ଓ ରାଏବରେଲି ଆସନ ଛାଡି ଦେବା ପଛରେ ରହିଛି ଏକ ବଡ ମେସେଜ୍ । ୟୁପିରେ ପିଉସୀ-ପୁତୁରାଙ୍କ ମୁଖ୍ୟ ଲଢେଇ କଂଗ୍ରେସ ସହ ନୁହେଁ, ବରଂ ବିଜେପି ସହିତ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି ଦୁଇ ଆଂଚଳିକ ମହାଶକ୍ତି ।

୨୦୧୪ରେ ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନରୁ ୭୧ଟିରେ ଜିତିଥିଲା ବିଜେପି । ସେହିପରି ଗତ ବିଧାନସଭା ନିର୍ବାଚନରେ ବିପୁଳ ଜନମତ ସହ ସରକାର ଗଢିଥିଲା । କିନ୍ତୁ ଗତ ମାର୍ଚ୍ଚରେ ଗୋରଖପୁର ଓ ଫୁଲପୁର ଲୋକସଭା ଉପନିର୍ବାଚନ ଲାଗି ମିଳିତ ପ୍ରାର୍ଥୀ ଦେଇଥିଲେ ଏସପି ଓ ବିଏସପି । ସେହିପରି କୈରାନାରେ କଂଗ୍ରେସ ସହ ମିଶି ଆରଏଲଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ସମସ୍ତ ତିନିଟିଯାକ ଆସନ ଦଖଲ କରିଥିଲେ । ତେଣୁ ୟୁପିରେ ଏହି ଦୁଇ ଆଂଚଳିକ ଦଳଙ୍କ ରଣନୀତି ବିଜେପି ପାଇଁ ବଡ ଆହ୍ୱାନ ହେବା ଆଶଙ୍କା କରାଯାଉଛି ।