ଭାରତର ବ୍ରହ୍ମାସ୍ତ୍ର ! ଯାହାକୁ ପାକିସ୍ତାନ ଡରେ, ଆଉ ଚାଇନା ଚିହିଁକି ଉଠେ । ଏଜେଣ୍ଟ ଡୋଭାଲ

117

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ମାଷ୍ଟରମାଇଣ୍ଡ ଅଜିତ ଡୋଭାଲଙ୍କୁ କିଏ ବା ନ ଜାଣେ । ଖାସକରି ପାକିସ୍ତାନ ତ ଡୋଭାଲଙ୍କ ନାଁ ଶୁଣିଲେ ଚିହିଁକି ଉଠେ । ଡୋଭାଲଙ୍କ ବୁଦ୍ଧି ଯୋଗୁଁ ଅନେକଥର ପାକିସ୍ତାନ ଭାରତ ଠାରୁ ମାତ୍ ଖାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ନିଜର ପରାକାଷ୍ଠା ଦେଖାଇ ଭାରତକୁ ବଡ ବଡ ଆକ୍ରମଣରୁ ରକ୍ଷା କରଥିବା ୧୯୬୮ ମସିହା ବ୍ୟାଚର ଆଇପିଏସ ଅଫିସର ହେଊଛନ୍ତି ଅଜିତ ଡୋଭାଲ । ୧୯୪୫ ମସିହା ଆଜିର ଦିନରେ ଉତ୍ତରଖଣ୍ଡରେ ଜନ୍ମଗ୍ରହଣ କରିଥିବା ଡୋଭାଲ ଦେଶ ପାଇଁ ନିଜ ଜୀବନକୁ ଅନେକ ସମୟରେ ବାଜି ଲଗାଇଛନ୍ତି । ତେବେ ଡୋଭାଲଙ୍କ ବିଷୟରେ ଏମିତି ଅନେକ ଅଜଣା କଥା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

doval୧୯୪୫ ମସିହାରେ ଉତ୍ତରାଖଣ୍ଡର ଏକ ଛୋଟ ଗ୍ରାମ ଗଢବାଲରେ ଜନ୍ମଗ୍ରହଣ କରିଥିଲେ ଡୋଭାଲ । ଏକ ଆର୍ମି ପରିବାରରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦେଶକୁ ଖୁବ ଭଲ ପାଉଥିଲେ । ମିଲିଟାରୀ ସ୍କୁଲରୁ ପାଠ ପଢା ଶେଷ କରିବା ପରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଶେଷ କରିଥିଲେ । ତେବେ ୧୯୬୮ ମସିହାରେ ଆଇପିଏସ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ତେବେ ପୋଲିସ ବିଭାଗରେ ୪ ବର୍ଷ କାମ କରିବା ପରେ ୧୯୭୨ ମସିହାରେ ଭାରତୀୟ ଗୁଇନ୍ଦା ବିଭାଗରେ ଯୋଗ ଦିଅନ୍ତି ଡୋଭାଲ । ଏହି ଠାରୁ ହିଁ ତାଙ୍କ ଜୀବନରେ ଆସେ ନୂଆ ମୋଡ । କ୍ୟାରିୟରର ଅଧିକାଂଶ ସମୟ ଗୁଇନ୍ଦା ବିଭାଗ ପାଇଁ କାମ କରିଥିବା ଡୋଭାଲ ଏକ ଗୁପ୍ତ ମିଶନ ପାଇଁ ପାକିସ୍ତାନରେ ଧର୍ମ ବଦଳାଇ ଦୀର୍ଘ ୭ ବର୍ଷ ଧରି ରହିଥିଲେ ।

ପାକିସ୍ତାନରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ସିଦ୍ଧହସ୍ତ ଥିଲେ ଡୋଭାଲ । ପାକିସ୍ତାନରେ ଯେପରି ତାଙ୍କୁ କେହି ହିନ୍ଦୁ ବୋଲି ନ ଜାଣି ପାରିବେ ସେଥିପାଇଁ ଅନେକ କସରତ କରିଥିଲେ ଅଜିତ । ଭାରତ ପାଇଁ ଗୁଇନ୍ଦାଗିରି କରି ପାକିସ୍ତାନରେ ୭ ବର୍ଷ ରହିବା ଡୋଭାଲଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଥିଲା । ପାକିସ୍ତାନର ଅନୁଭୂତି ମନେ ପକାଇ ଡୋଭାଲ କୁହନ୍ତି, ଯେତେବେଳେ ସେ ପାକିସ୍ତାନରେ ରହି ଭାରତ ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ ସେତେବେଳେ ତାଙ୍କୁ ହିନ୍ଦୁ ବୋଲି ଯେପରି କେହି ନ ଜାଣି ପାରିବେ ସେଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ । ଏପରିକି ପାକିସ୍ତାନରେ ସେ ନିଜକୁ ମୁସଲିମ ଭାବେ ଦର୍ଶାଉଥିଲେ । କିନ୍ତୁ ଥରେ ସେ ଏକ ମସଜିଦ ଯାଇଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ହିନ୍ଦୁ ବୋଲି ଚିହ୍ନିପାରିଥିଲେ । କିନ୍ତୁ ମୁହଁ ଟାଣ କରି ଅଜିତ ନିଜଜୁ ମୁସଲିମ କହିଥିଲେ ମଧ୍ୟ ସେହି ବ୍ୟକ୍ତି ଜଣକ ଅଜିତଙ୍କ କଥାକୁ ଟାଳି ଦେଇଥିଲେ । ଅଜିତ ଆଶ୍ଚଯ୍ୟ ହୋଇ ପଚାରିଥିଲେ ସେ ଜଣେ ହିନ୍ଦୁ ବୋଲି କେମିତି ଜାଣିଲେ । ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ଏକ ଘରକୁ ନେଇଯାଇଥିଲେ । ସେହିଠାରେ ହିଁ ସେ ଅଜିତଙ୍କୁ ପୂରା କାହାଣୀ କହିଥିଲେ । ଅଜିତଙ୍କ କାନଫୋଡା ହୋଇଥିବାରୁ ସେ ହିନ୍ଦୁ ବୋଲି ଉକ୍ତ ବ୍ୟକ୍ତି ଜଣକ କହିଥିଲେ । କାରଣ ଅତି ଛୋଟ ବେଳୁ ପରମ୍ପରା ଅନୁଯାୟୀ ଅଜିତଙ୍କ କାନ ଫୋଡା ଯାଇଥିଲା ଏବଂ ତାହା ସ୍ପଷ୍ଟ ଦେଖା ମଧ୍ୟ ଯାଉଥିଲା ।

Ajit-dovalଏହାସହ ପାକିସ୍ତାନରେ ରହୁଥିବାରୁ କାନଫୋଡାକୁ ଲୁଚାଇବାକୁ ଅଜିତଙ୍କୁ କହିଥିଲେ ଉକ୍ତ ବ୍ୟକ୍ତି । ନହେଲେ ତାଙ୍କ ଜୀବନ ପ୍ରତି ବିଦଦ ଥିବା ମଧ୍ୟ କହିଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ନିଜ ପରିଚୟ ଦେବାକୁ ଯାଇ କହିଥିଲେ କି ସେ ମଧ୍ୟ ଜଣେ ହିନ୍ଦୁ । କିନ୍ତୁ ପାକିସ୍ତାନରେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରାଯିବା ପରେ ସେ କୌଣସି ମତେ ନିଜ ଜୀବନ ବଞ୍ଚାଇ ଏଠାରେ ମୁସଲିମ ଭାବେ ଜୀବନ ଭାବେ ଅତିବାହିତ କରୁଛନ୍ତି । ଏପରିକି ସେ ନିଜ ଘର ଭିତରେ ଦୁର୍ଗା ଓ ଶିବଙ୍କ ପ୍ରତିମୂର୍ତ୍ତି ପୂଜା କରୁଥିବାର ମଧ୍ୟ କହିଥିଲେ ଉକ୍ତ ବ୍ୟକ୍ତି । ଗୁଇନ୍ଦା ବିଭାଗରେ କାମ କରିବା ଭିତରେ ଏହି ଘଟଣା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ବୋଲି କହିଥିଲେ ଅଜିତ ।

ପାକିସ୍ତାନରେ ରହି ଭାରତ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଡୋଭାଲ ପରବର୍ତ୍ତୀ ସମୟରେ ଭାରତୀୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ କାଯ୍ୟ କରିଥିଲେ । ତାଙ୍କରି ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ମିଶନ ସଫଳତାର ସହ ଶେଷ ହୋଇଛି । ଏପରିକି ଅନେକ ଦୁଃସାହସିକ ପଦକ୍ଷେପ ପାଇଁ ମଧ୍ୟ ଅଜିତ ଡୋଭାଲ ଜଣାଶୁଣା । ୧୯୮୯ ମସିହାରେ ସ୍ୱର୍ଣ୍ଣ ମନ୍ଦିରରୁ ଖଲିସ୍ଥାନ ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ହୋଇଥିବା ଅପରେସନ ବ୍ଲାକ ଥଣ୍ଡରର ନେତୃତ୍ୱ ନେଇଥିଲେ ଅଜିତ । ଏହାଛଡା ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶକାରୀ ଓ ଶାନ୍ତି ଚାହୁଁଥିବା ନେତାଙ୍କ ସହ ଯୋଗସୁତ୍ର ସ୍ଥାପନ କରି ଅନେକ ଆତଙ୍କବାଦୀଙ୍କୁ ଆତ୍ମସର୍ମପଣ କରିବା ପାଇଁ ବାଧ୍ୟ କରିଥିଲେ ।

Surgical-strikes-1ବିବିସି ରିପୋର୍ଟ ଅନୁଯାୟୀ, ୧୯୯୯ ମସିହାରେ ହୋଇଥିବା କାନ୍ଦାହାର ବିମାନ ଅପହରଣ ସମୟରେ ଅପହରକାରୀ ଆତଙ୍କବାଦୀଙ୍କ ସହ ବାର୍ତ୍ତାଳାପ କରୁଥିବା ବ୍ୟକ୍ତି ଜଣକ ହେଲେ ଅଜିତ । ଦୀର୍ଘ ୩୩ ବର୍ଷ ଧରି ଅଜିତ ଉତ୍ତର-ପୂର୍ବ, ଜମ୍ମୁ-କାଶ୍ମୀର ଓ ପଞ୍ଜାବ ଅଞ୍ଚଳରେ ରହି ଭାରତୀୟ ଗୁଇନ୍ଦା ବିଭାଗ ପାଇଁ କାମ କରିଛନ୍ତି । ୨୦୦୫ ମସିହାରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସର ନେବା ପରେ ୨୦୧୪ରେ ଦେଶ ପାଇଁ କାମ କରିବାକୁ ପୁଣିଥରେ ଡକରା ଆସିଥିଲା । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଅଜିତଙ୍କୁ ୫ମ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୂୁକ୍ତି ଦିଆଗଲା । ଏହି ସମୟରେ ପାକିସ୍ତାନ ପ୍ରତି ବେଶ ଆକ୍ରମଣାତ୍ମକ ହୋଇପଡିଥିଲେ ଡୋଭାଲ । ସୀମାରେ ବାରମ୍ବାର ଅନୁପ୍ରବେଶ ଓ ଆତଙ୍କବାଦୀ ଆକ୍ରମଣ କରୁଥିବା ପାକିସ୍ତାନକୁ ପାନେ ଦେବା ପାଇଁ ଡୋଭାଲ ରଚିଥିଲେ ଚକ୍ରବ୍ୟୁହ ।

ଉରୀ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ତା ସୀମା ଭିତରେ ପଶି ମାତ୍ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ସେପ୍ଟେମ୍ବର ୨୮ ଅଧରାତିରେ ଭାରତୀୟ ସେନାର କିଛି ବଛା ବଛା ଯବାନ ହେଲିକପ୍ଟରରେ ଏଲଓସି ସୀମା ଡେଇଁ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ । ସୀମାର ୩ କିଲୋମିଟର ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ହୋଇଥିଲା ଆଖିବୁଜା ଗୁଳିଚାଳନା । ରାତି ପାହିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲେ ଭାରତୀୟ ସେନାର କମାଣ୍ଡୋ । ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ତାନ ରେଞ୍ଜର୍ସଙ୍କୁ ମଧ୍ୟ ଛାଡିନଥିଲେ ଭାରତୀୟ ସେନା । ସକାଳ ହେବା ପୂର୍ବରୁ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କୁ ନିପାତ କରି ପୁଣିଥରେ ଭାରତକୁ ଫେରିଆସିଥିଲେ ସେନା । ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକରେ ଚକିତ ହୋଇଯାଇଥିଲା ପାକିସ୍ତାନ । ତେବେ ଏହି ସର୍ଜିକାଲ ଷ୍ଟ୍ରାଇକର ମୁଖ୍ୟ କାର୍ପେଟଦାର ଥିଲେ ଅଜିତ ଡୋଭାଲ । ସର୍ଜିକାଲ ଷ୍ଟ୍ରାଇକ ହିଁ ଅଜିତ ଡୋଭାଲଙ୍କୁ ଲୋକପ୍ରିୟ କରାଇଥିଲା । ଏହାଛଡା ଡୋକଲାମ ବିବାଦର ସମାଧାନ କ୍ଷେତ୍ରରେ ମଧ୍ୟ ଡୋଭାଲଙ୍କ ପ୍ରମୁଖ ଭୂମିକା ରହିଥିଲା । ଡୋଭାଲ ଏକମାତ୍ର ବ୍ୟକ୍ତି ଯେ କି ସମ୍ମାନଜନକ ସୈନ୍ୟ ସମ୍ମାନ କୀର୍ତ୍ତି ଚଳ୍ରରେ ସମ୍ମାନିତ ହୋଇଛନ୍ତି । ଏହି ଉପାଧି ପାଇବାରେ ଡୋଭାଲ ହେଉଛନ୍ତି ପ୍ରଥମ ପୋଲିସ ଅଫିସର ।