ପ୍ରମିଳାଙ୍କ ତଦନ୍ତ ରିପୋର୍ଟ କରିପାରେ ବୈଜୟନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ! କାଲି ଆସିପାରେ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ

33

କନକ ବ୍ୟୁରୋ : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ପହଂଚିବ, ବିଜେଡି ଓ ବୈଜୟନ୍ତ ବିବାଦର ତଦନ୍ତ ରିପୋର୍ଟ । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀ ଆଣିଥିବା ଅଭିଯୋଗର ତଦନ୍ତ କରୁଥିବା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ଏହାରି ଭିତରେ ପୁଣି ତୃତୀୟ ମହଲା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିଜେଡି ସାଂସଦ । ନିଷ୍ପତି ଏବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ।

baijayantବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଚାଲିଥିବା ବିବାଦ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । ଏବେ ବଲ୍ ଖୋଦ୍ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୋର୍ଟରେ । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବଂ ଏହାକୁ ନେଇ ହୋଇଥିବା ତଦନ୍ତ ଉପରେ ନିର୍ଦ୍ଧାରିତ ହେବ କାର୍ଯ୍ୟାନୁଷ୍ଠାନ । ଦଳୀୟ କର୍ମୀ, ନେତା ଏବଂ ଖୋଦ୍ ସାଂସଦଙ୍କ ସହ ଆଲୋଚନା କରିଥିବା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଆସନ୍ତାକାଲି ଦଳୀୟ ସୁପ୍ରିମୋଙ୍କୁ ଦେବେ ତଦନ୍ତ ରିପୋର୍ଟ । ଯାହା ନିର୍ଦ୍ଧାରଣ କରିବ ବୈଜୟନ୍ତଙ୍କ ଭାଗ୍ୟ ।

ସାଂସଦ ବୈଜୟନ୍ତ ପଣ୍ଡା, ଯାହାଙ୍କ ନାଁରେ ଦଳୀୟ ନେତା ଓ କର୍ମୀଙ୍କ ବିନା ପରାମର୍ଶରେ ମନମୁଖୀ କାର୍ଯ୍ୟ କରିବାର ଅଭିଯୋଗ । ପ୍ରମିଳା ମଲ୍ଲିକ, ଯାହାଙ୍କ ଉପରେ ଏହି ଅଭିଯୋଗର ତଦନ୍ତ ଦାୟିତ୍ୱ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ଶୁକ୍ରବାର ଦିନ ସାଂସଦ ଧରାଛୁଆ ଦେଇନଥିବା ବେଳେ ବାଧ୍ୟ ହୋଇ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗରେ, ବୈଜୟନ୍ତଙ୍କ ପଣ୍ଡାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଅନ୍ୟପଟେ ଟ୍ୱିଟ୍ କରି ବୈଜୟନ୍ତ ପଣ୍ଡା ଲେଖିଛନ୍ତି-ଦଳୀୟ କର୍ମକର୍ତାଙ୍କୁ ଅଣଦେଖା ଏବଂ ସାଂସଦ ପାଣ୍ଠି ସଂକ୍ରାନ୍ତରେ ସେ ଫୋନରେ ଆଲୋଚନା କରିଛନ୍ତି ।

baijayantaବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବଢ଼ୁଥିବା ଦୂରତ୍ୱ ସାଂଘାତିକ୍ ମୋଡ଼ ନେଇଥିଲା, ଯେତେବେଳେ ନିଶ୍ଚିତ କୋଇଲିରେ ଏକ ପାଣିଟାଙ୍କି ଉଦଘାଟନ ବେଳେ ତୃତୀୟ ମହଲାକୁ ଟାର୍ଗେଟ୍ କରିଥିଲେ ସାଂସଦ । ଯାହାକୁ ସହଜରେ ହଜମ୍ କରିନଥିଲେ ଖୋଦ୍ ଦଳୀୟ ସୁପ୍ରିମୋ । ଯାହା ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନଥାଏ ସେ ତୃତୀୟ ମହଲାକୁ ଟାର୍ଗେଟ କରିଥାଏ ବୋଲି କହିଥିଲେ ନବୀନ । ଏପରିକି ଏହାର ଜବାବ ମଧ୍ୟ ରଖିଥିଲେ ବୈଜୟନ୍ତ ।

ଦଳୀୟ ନେତା ଓ କର୍ମୀଙ୍କ ବିନା ପରାମର୍ଶରେ ସାଂସଦ ବୈଜୟନ୍ତ ପଣ୍ଡା ମନମୁଖୀ କାର୍ଯ୍ୟ ଚଳାଇଥିବା ନେଇ ହେଉଥିବା ଅଭିଯୋଗ ଜୋରଦାର ହୋଇଥିଲା, ଯେତେବେଳେ ଦଳୀୟ ସୁପ୍ରିମୋଙ୍କ ପାଖରେ ଅଭିଯୋଗର ଫର୍ଦ ଲମ୍ବା ହେବାରେ ଲାଗିଲା । ମହାକାଳପଡ଼ା, ମହାଙ୍ଗା, ନିଶ୍ଚିତକୋଇଲି ଏବଂ ସାଲେପୁରର ତୃଣମୂଳସ୍ତରର ନେତା ଓ କର୍ମୀ ସିଧାସଳଖ ଆସି ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ଏମିତିକି ଯାହା କହିବାର ଅଛି ପାର୍ଟି ଫୋରମରେ ମୁଖ୍ୟମନ୍ତ୍ରୀଙ୍କୁ କୁହନ୍ତୁ ବୋଲି ଶୁଣାଇ ଦେଇଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ବିଜେଡି ସଭାପତି ।
ଏବେ ନିଷ୍ପତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ । ଦେଖିବାର କଥା ମୁଖ୍ୟମନ୍ତ୍ରୀ ସବୁ ଦିନ ପାଇଁ ବିଜେଡି ଓ ବୈଜୟନ୍ତ ବିବାଦର ଅନ୍ତ ଘଟାଉଛନ୍ତି ନା’ କେବଳ ସତର୍କଘଂଟି ବଜାଇ ଛାଡ଼ି ଦେଉଛନ୍ତି ।