ଚନ୍ଦ୍ରାବତରଣ ଅଭିଯାନ ବିଫଳ : ଭାବୁକ ହେଲେ ଇସ୍ରୋମୁଖ୍ୟ, ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ

1,215

କନକ ବ୍ୟୁରୋ : ବିଫଳ ହେଲା ଚନ୍ଦ୍ରାବତରଣ ସ୍ୱପ୍ନ । ରୁଦ୍ଧଶ୍ୱାସର ସମସ୍ତଙ୍କ ଅପେକ୍ଷା ଅପେକ୍ଷାରେ ରହିଗଲା । ଭାଙ୍ଗିଗଲା ସାରା ଦେଶବାସୀ ତଥା ଇସ୍ରୋ ମୁଖ୍ୟଙ୍କ ମନ । ଚନ୍ଦ୍ରଯାତ୍ରା ବିଫଳ ହେବା ପରେ ଭାବୁକ ହେଲେ ଇସ୍ରୋ ମୁଖ୍ୟ କେ.ଶିବନ । ଶେଷମୁହୂର୍ତ୍ତରେ ତଥା ଚନ୍ଦ୍ରପୃଷ୍ଠରେ ଅବବତରଣ କରିବା ପୂର୍ବରୁ ଲାଣ୍ଡର ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ଚନ୍ଦ୍ରଯାନର ବିଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବାକୁ ଦେଶବସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ସମ୍ବୋଧନ ପରେ କାନ୍ଦିପକାଇଲେ ଇସ୍ରୋମୁଖ୍ୟ କେ.ଶିବନ୍ । 

ଇସ୍ରୋ ମୁଖ୍ୟଙ୍କ ଆଖିରେ ଲୁହ । କିଛି ମିନିଟରେ ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଥାଆନ୍ତା ହେଲେ, ଅଧାରେ ରହିଗଲା ସ୍ୱପ୍ନ ।  ଖୁସିର ମୁହ୍ୱର୍ତ୍ତ ଆସିବା ପୂର୍ବରୁ ସବୁ ପାଣିରେ ମିଳାଇଗଲା । କୋହ ସମ୍ଭୋରଣ କରିପାରିଲେନି ଇସ୍ରୋ ମୁଖ୍ୟ କେ ଶିବନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ଖୁବ କାନ୍ଦିଛନ୍ତି । କେ ଶିବନଙ୍କୁ ଆଲିଙ୍ଗନ କରି ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେପଟେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅଭିଯାନ ବିଫଳ ହୋଇଛି ହେଲେ ଆମେ ହାରିବା ନାହିଁ ଆଗକୁ ବଢ଼ିବା । ବିଫଳତା ହିଁ ସଫଳତାର ପାହାଚ । ଆଗକୁ ସଫଳତା ନିଶ୍ଚୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ । ବୈଜ୍ଞାନିକମାନଙ୍କୁ ପ୍ରେରଣା ଦେଇ ସେ ଆହୁରି କହିଲେ, ମୁଁ ବୁଝିପାରୁଛୁ ଗତରାତିରେ ଆପଣମାନେ କି ଭଳି ମାନସିକ ସ୍ଥିତ ଦେଇ ଗତି କରିଛନ୍ତି । ଆପଣମାନେ ଭାରତ ପାଇଁ ହିଁ ବଞ୍ଚିଛନ୍ତି। ଭାରତର ଗୌରବ ପାଇଁ କାର୍ୟ୍ୟ କରୁଛନ୍ତି । ମୁଁ ଆପଣଙ୍କ ହତାଶା ବୁଝି ପାରୁଛି । ଏହି ପ୍ରକଳ୍ପ ନିମନ୍ତେ ଆପଣମାନେ ଅନେକ ବିନିଦ୍ର ରଜନୀ ବିତାଇଛନ୍ତି । ଆମ ବୈଜ୍ଞାନିକମାନଙ୍କୁ ସମର୍ଥନ ଦେବାକୁ ଆମେ ଜାଗ୍ରତ ରହିଛୁ । ଚନ୍ଦ୍ରରେ ପହଞ୍ଚିବା ନିମନ୍ତେ ଆମର ପଣ ଦୃଢ଼ତର ହୋଇଛି।  ମହାକାଶ କ୍ଷେତ୍ରରେ ଆମର ପୂର୍ଣ୍ଣ ଭରସା ରହିଛି। ସର୍ବୋତ୍ତମ ସମୟ ଆସୁଛି । ନୂଆ ସୀମାନ୍ତ ଆବିଷ୍କାର କରିବାକୁ ଓ ନୂଆ ସ୍ଥାନକୁ ଯିବାର ଅଛି। ବିଶେଷ ପରିସ୍ଥିତିରେ ଆମେ ସ୍ୱାଭାବିକ ଠାରୁ ଅଧିକ ସକ୍ରିୟ ହେବା ଏବଂ ସଫଳତାର ନୂତନ ଶିଖର ଆରୋହଣ କରିବା । ନୂତନ ପ୍ରତ୍ୟୁଷ ଓ ଉଜ୍ଜ୍ୱଳ ଭବିଷ୍ୟତ ଆସିବ। ଆପଣଙ୍କମାନଙ୍କ ଉଦ୍ୟମ ପାଇଁ ମୁଁ ଗର୍ବିତ । ପ୍ରତ୍ୟେକ ଅସୁବିଧା ଆମକୁ ନୂଆ କିଛି ଶିକ୍ଷାଦେଇ ଭବିଷ୍ୟତର ସଫଳତା ନିର୍ଦ୍ଧାରଣ କରେ । ସଫଳତାର ଭାଷାକୋଷ ରଖିଥିବା ଇସ୍ରୋର ଉଡ଼ାଣ ପଥରେ ବାଧା ନାହିଁ।