ପରଲୋକରେ ପାକିସ୍ତାନର ମହାନ୍ କ୍ରିକେଟର ଅବଦୁଲ୍ କାଦିର । ୬୭ ବର୍ଷ ବୟସରେ ହୃଦଘାତରେ ବୁଜିଲେ ଆଖି

193

କନକ ବ୍ୟୁରୋ : ପରଲୋକରେ ପାକିସ୍ତାନର ମହାନ ସ୍ପିନର ଅବଦୁଲ କାଦିର । ହୃଦଘାତରେ ଏହି ମହାନ କ୍ରିକେଟରଙ୍କ ପରଲୋକ ଘଟିଛି । ଲାହୋର ସ୍ଥିତ ସେବା ହସ୍ପିଟାଲରେ କାଦିରଙ୍କ ନିଧନ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ୮୦-୯୦ ଦଶକରେ ତାଙ୍କ ସ୍ପିନ ବୋଲିଂ ବ୍ୟାଟ୍ସମ୍ୟାନଙ୍କୁ ଚିନ୍ତାରେ ପକାଉଥିଲା । ଅଶୀ ଦଶକରେ ବିଶ୍ୱର ବଡ ବଡ ବ୍ୟାଟସ୍ ମ୍ୟାନ୍ ତାଙ୍କୁ ଖେଳିବାକୁ ଭୟ କରୁଥିଲେ । ନିଜ କ୍ୟାରିୟରେ ସେ ୬୭ ଟି ଟେଷ୍ଟ ମ୍ୟାଚ ଖେଳି ୨୩୬ ଟି ୱିକେଟ ଏବଂ ଦିନିକିଆରେ ୧୦୪ଟି ମ୍ୟାଚରେ ୧୩୪ଟି ୱିକେଟ ହାସଲ କରିଥିଲେ । ସେ ମଧ୍ୟ ପିସିବି ର ମୁଖ୍ୟ ଚୟନକର୍ତା ରହିସାରିଥିଲେ ।

ଅବଦୁଲ୍ କାଦିରଙ୍କ କଥା ଚର୍ଚାକୁ ଆସିଲେ ଗୋଟିଏ କଥା ସବୁବେଳେ ମନେ ପକାନ୍ତି ଭାରତୀୟ କ୍ରିକେଟ ପ୍ରେମୀ । ୧୯୮୯ ମସିହାର କଥା । ପାକିସ୍ତାନ ବିପକ୍ଷ ଟେଷ୍ଟରେ କାଦିରଙ୍କ ବଲକୁ ଭାରତୀୟ ଟପ୍ ଅର୍ଡର ଖେଳି ପାରିନଥିଲେ । ହେଲେ ବିଶ୍ୱର ଏହି ମହାନ୍ ସ୍ପିନରଙ୍କୁ ସଚିନ୍ ଖେଳିଥିଲେ ନିର୍ଭୟରେ । ମାତ୍ର ୧୭ ବର୍ଷ ବୟସରେ ସଚିନ ଅବଦୁଲ୍ କାଦିରଙ୍କ ଗୋଟିଏ ଓଭରର ୪ ଟି ବଲକୁ ମାରି ବାଉଣ୍ଡାରୀ ବାହାରକୁ ପଠାଇ ଦେଇଥିଲେ । କାଦିରଙ୍କ ପରି ମହାନ୍ ସ୍ପିନରଙ୍କୁ ସଚିନଙ୍କ ୪ ଛକା ମାରିବା ଘଟଣା ପରେ , ସେ ସେତେବେଳେ କହିଥିଲେ ଏହି ପିଲାଦିନେ ବିଶ୍ୱ କ୍ରିକେଟରେ ଚମକ ଦେଖାଇବ ।

ଭବିଷ୍ୟତରେ କ୍ରିକେଟର ମାଷ୍ଟରବ୍ଲାଷ୍ଟର ବନିଥିଲେ ସଚିନ୍ । ପାକିସ୍ତାନର ଏହି ମହାନ୍ ସ୍ପିନରଙ୍କ ପରଲୋକ ଖବର ବିଶ୍ୱ କ୍ରିକେଟରେ ଶୋକ ଖେଳାଇ ଦେଇଛି । ତାଙ୍କ ମୃତ୍ୟୁରେ ଭାରତୀୟ ଖେଳାଳି ହରଭଜନ ସିଂହ ଟ୍ୱିଟ କରିଲେଖିଛନ୍ତି ଯେ , ଆପଣ ସବୁବେଳେ ମନେ ରହିବେ । ସେହିପରି କାଦିରଙ୍କ ନିଧନରେ ପିସିବି ମଧ୍ୟ ଟୁଇଟ୍ କରି ଶୋକ ପ୍ରକାଶ କରିଛି ।