ଖୋଲିବ ଅସଦାଚରଣ ଓ ବିଦେଶୀ ଲିଙ୍କର ଗୁମର ! ଆଜି ଗୁଡ ନ୍ୟୁଜ ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନଙ୍କୁ ରିମାଣ୍ଡରେ ନେବ ପୋଲିସ

ଶୋଷଣ ଅଭିଯୋଗ ପରେ ଜୋରଦାର ହେଲା ଚଢାଉ

101

କନକ ବ୍ୟୁରୋ : ଢେଙ୍କାନାଳ ବ୍ଲକ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ଅନୁଷ୍ଠାନର ଅଧ୍ୟକ୍ଷ ଫୟାଜ ରେହମାନଙ୍କୁ ଆଜି ଦୁଇଦିନିଆ ରିମାଣ୍ଡରେ ଆଣିବ ପୋଲିସ । ରବିବାର ଦିନ ରେହମାନଙ୍କୁ ଗିରଫ କରିଥିଲା ପୋଲିସ । ରିମାଣ୍ଡ କାଳରେ ଅସଦାଚରଣ ଘଟଣା ସମ୍ପର୍କରେ ପଚରାଉଚରା କରିବ । ଏହାଛଡା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ତାଙ୍କ ସେଲଟର ହୋମ ଗୁଡିକର ପରିଚାଳନା ତଥା ବିଦେଶୀ ଲିଙ୍କ ସମ୍ପର୍କରେ ବି ଖୋଳତାଡ଼ କରିବ । ଆବଶ୍ୟକ ପଡିଲେ ଏହି ଘଟଣାରେ ଜେଲରେ ଅଟକ ଥିବା ସଂସ୍ଥାର ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଂଚଳ ନାଏକ ଓ ସହରକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଜେରା କରିପାରେ ।

ସୂଚନାଯୋଗ୍ୟ ସେଲଟର ହୋମରେ ଚାଲିଥିବା କେଳେଙ୍କରୀ ନେଇ ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ଖବର । ସଂସ୍ଥାର ମୁଖ୍ୟ ଫୟାଜ ରହେମାନ କିପରି ବଢିଲା ଝିଅଙ୍କୁ ହଗ୍ କିସ୍ କରୁଥିଲେ, ଏ ନେଇ ଆଶ୍ରମର ଛାତ୍ରଛାତ୍ରୀ ଓ ରୋଷେୟା କରିଥିବା ଅଭିଯୋଗର ଭିଡିଓ ଦେଖାଇଥିଲା କନକ ନ୍ୟୁଜ୍ । ଏହା ପରେ ଆଶ୍ରମ ସ୍କୁଲ ନାଁରେ କ’ଣ ଚାଲିଛି, କିପରି ଦିଆଯାଉଛି ନିର‌୍ୟାତନା, ଆସିଥିଲା ଲୋକଲୋଚନକୁ । ସେହିପରି କନକ ନ୍ୟୁଜ ହାତରେ ଲାଗିଥିଲା ଏପରି ଏକ ସଂଗୀନ ଭିଡିଓ, ଯେଉଥିରେ କିଛି ନାବାଳିକା ଓ ନାବାଳକଙ୍କୁ ନିଜେ ଡୁବନ୍ ଦେଉଥିଲେ ଫୟାଜ ରହେମାନ୍ । ଅଭିଯୋଗ ହୋଇଥିଲା, ସେଲଟର୍ ହୋମର ଛାତ୍ରଛାତ୍ରୀଙ୍କୁ ଏପରି ପାଣିରେ ଡୁବାଇ ଧର୍ମାନ୍ତକରଣ କରୁଥିଲେ ଫୟାଜ ରହେମାନ୍ । ଏହା ପରେ ସରକାରଙ୍କର ଚେତା ପଶିଥିଲା । ଫୟାଜ ରହେମାନଙ୍କୁ ଗିରଫ କରାଯିବା ସହ ସବୁ ସେଲଟର୍ ହୋମରେ ଆରମ୍ଭ ହୋଇଛି ଚଢ଼ାଉ ।