ମହାରାଷ୍ଟ୍ରରେ ପିଆଜର ଅଭାବୀ ବିକ୍ରି ! କିଲୋଗ୍ରାମ ପିଛା ଟଙ୍କାରୁ ଦେଢଟଙ୍କାରେ ବିକ୍ରି

204

କନକ ବ୍ୟୁରୋ : ମହାରାଷ୍ଟ୍ରର ନାଶିକ ଜିଲ୍ଳାରେ ଏବର୍ଷ ଭଲ ପିଆଜ ଅମଳ ହୋଇଛି । ୪ମାସ ଝାଳ ବୁହାଇ ଅମଳ ଫସଲକୁ ବିକ୍ରି କରି ଭଲ ଦିପଇସା କମାଇବା ଲକ୍ଷ୍ୟରେ ଥିଲେ ଚାଷୀ । ହେଲେ ଅଭାବୀ ବିକ୍ରି ଏବେ ଚାଷୀଙ୍କ ଅଂଟାକୁ ଭାଙ୍ଗିଦେଇଛି  । ହୋଲସେଲ ବଜାରରେ କିଲୋ ପିଛା ମାତ୍ର ୧ଟଙ୍କାରୁ ଦେଢ଼ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି  । ଏହାକୁ ନେଇ ଚିନ୍ତାରେ ପଡିଛି ଧାର ଉଦ୍ଧାର କରି ପିଆଜ ଚାଷ କରିଥିବା ଚାଷୀ  । ଅଭାବି ବିକ୍ରିର ପ୍ରତିବାଦ କରି ଚାଷୀମାନେ ରାସ୍ତା ଉପରେ ପିଆଜ ଫୋପାଡିବା ସହ ଧାରଣା ଦେଇଥିଲେ  ।

ସରକାର ଚାଷୀଙ୍କ ଠାରୁ ପିଆଜକୁ ସର୍ବନିମ୍ନ ମୂଲ୍ୟରେ କିଣିବା ପାଇଁ ଦାବି କରି ବିକ୍ଷୋଭ କରିଛନ୍ତି । ଅନ୍ୟପଟେ ସଞ୍ଜୟ ସାଠେ ନାମକ ଜଣେ ଚାଷୀ ୭୫୦ ପିଆଜ ମାତ୍ର ୧୦୬୪ଟଙ୍କାରେ ବିକ୍ରି କରିବା ପରେ ସେ ଅର୍ଥରାଶିକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଦେଇଛନ୍ତି  । ଏହି ରାଶିକୁ ସାଠେ ମନି ଅର୍ଡର କରି ପଠାଇଥିବା କହିଛନ୍ତି  । ଏଥିପାଇଁ ଅଲଗା ଭାବେ ତାଙ୍କୁ ୫୪ ଟଙ୍କା ଦେବାକୁ ପଡିଛି  । ସମୁଦାୟ ଦେଶରେ ଯେତିକି ପିଆଜ ଉତ୍ପାଦନ ହୋଇଥାଏ କେବଳ ନାଶିକ୍ ଜିଲ୍ଲାରେ ତାହାର ଅଧା ଉତ୍ପାଦନ ହୋଇଥାଏ  । କିନ୍ତୁ ପିଆଜ ଦର ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି  ।