ଚେନ୍ନାଇରେ ସାଂଘାତିକ ଜଳ ସଙ୍କଟ ।ପାଣି ଠାରୁ ଶସ୍ତା ହେଲାଣି ସୁନା, ପାଣି ବିନା ବନ୍ଦ ହୋଇଗଲାଣି ବଡ ବଡ ରେଷ୍ଟୁରାଣ୍ଟ । 

1,520

ସୁନା ଠାରୁ ମହଙ୍ଗା ପାଣି । ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଭାରତର ତାମିଲନାଡୁରେ ଏବେ ଏଭଳି ସ୍ଥିତି ଦେଖାଦେଲାଣି । ତାମିଲନାଡୁରେ ଏବେ ଭୟଙ୍କର ଜଳ ସଙ୍କଟ ଦେଖାଦେଇଛି । ଦେଶରେ ଦେଖା ଦେଇଥିବା ଉତ୍କଟ ଜଳ ସମସ୍ୟାକୁ ନେଇ ରାଜ୍ୟସଭାରେ ଆଲୋଚନା ଚାଲୁଥିବା ବେଳେ ତାମିଲନାଡୁର ରାଜ୍ୟସଭା ସାଂସଦ ଏକ ସାଂଘାତିକ ସତ ସାମ୍ନାକୁ ଆଣିଛନ୍ତି । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏବେ ସୁନାର ଦର ମଧ୍ୟ ପାଣି ଠାରୁ ଶସ୍ତା ବୋଲି ରାଜ୍ୟସଭାରେ କହିଛନ୍ତି ସିପିଆଇଏମ ସାଂସଦ ଟି କେ ରଙ୍ଗରାଜନ ।

ରାଜ୍ୟସଭାରେ ଜଳସଙ୍କଟକୁ ନେଇ ଆଲୋଚନା ବେଳେ ରଙ୍ଗରାଜନ କହିଛନ୍ତି, ଚେନ୍ନାଇ ଦେଶର ପ୍ରଥମ ସହର ଭାବେ ଶୁଖି ସାରିଲାଣି । ଚେନ୍ନାଇରେ ବର୍ତ୍ତମାନ ସୁଦ୍ଧା ୪୧ ପ୍ରତିଶତ କମ ବର୍ଷା ହୋଇଥିବା ମଧ୍ୟ ସ୍ପଷ୍ଟ କରିଛି କେନ୍ଦ୍ରୀୟ ଜଳ ଆୟୋଗ । ଏବେ ଚେନ୍ନାଇର ଅଧିକାଂଶ ଲୋକେ ପାଣି ପାଇଁ ଟ୍ୟାଙ୍କର, ବେସରକାରୀ ସଂସ୍ଥା ଯେଉଁମାନେ ଜଳ ଯୋଗାଣ କରୁଛନ୍ତି ସେମାନଙ୍କ ଉପରେ ନିର୍ଭର କରୁଛନ୍ତି । ଏପରିକି ଗୋଟିଏ ଟ୍ୟାଙ୍କ ପାଣିର ଦାମ ଗୋଟିଏ ଗ୍ରାମ ସୁନାର ଦାମ ଠାରୁ ମଧ୍ୟ ଅଧିକରେ ବିକ୍ରି ହେଉଛି ।

ଏହାସହ ରଙ୍ଗରାଜନ କହିଛନ୍ତି ଚେନ୍ନାଇରେ ସ୍ଥିତି ଏମିତି ହେଲାଣି ଯେ, ଆଇଟି ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଉଛି । ଏପରିକି ଜଳସଙ୍କଟ ପାଇଁ ଚେନ୍ନାଇର ଅଧିକାଂଶ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ହୋଇଗଲାଣି । ଏବେ କେବଳ ଅନ୍ୟ ରାଜ୍ୟ ହିଁ ଚେନ୍ନାଇକୁ ଏହି ସଙ୍କଟରୁ ରକ୍ଷା କରିପାରିବ ।

ସେହିଭଳି ସିପିଆଇର ଡି ରାଜା କହିଛନ୍ତି, ତାମିଲନାଡୁରେ ଯେଉଁ ଜଳସଙ୍କଟ ଦେଖାଦେଇଛି ତାହା ବେଶ ଉଦବେଗଜନକ । ତେଣୁ କେନ୍ଦ୍ର ସରକାର ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ବାହାର କରିବା ଉଚିତ । ଏପରିକି ବିଭିନ୍ନ ରାଜ୍ୟର ନଦୀକୁ ଅନ୍ୟ ନଦୀ ସହ ଯୋଡିବାର ସମୟ ଆସିଯାଇଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିବା ଆବଶ୍ୟକ ।

କେବଳ ତାମିଲନାଡୁ ନୁହେଁ ଦେଶର ୨୧ଟି ସହରରେ ଏବେ ସାଂଘାତିକ ଜଳ ସଙ୍କଟ ଦେଖାଦେଇଛି । ଆଉ ଏଭଳି ସମସ୍ୟାର ସମାଧାନ ପାଇଁ ଏବେ ସବୁଦଳ ଏକାଠି ହୋଇଛନ୍ତି । କାରଣ ଅଧିକାଂଶ ରାଜ୍ୟର ମୁଖ୍ୟ ସହରରେ ଜଳସଙ୍କଟ ଦେଖାଦେଲାଣି । ସବୁଠୁ ବଡ କଥା ହେଉଛି ପୂରା ବିଶ୍ୱରେ ଯେଉଁଭଳି ଜଳସଙ୍କଟ ଦେଖାଦେଲାଣି ସେଥିରୁ ସ୍ପଷ୍ଟ ଯେ, ଆଗକୁ ଜଳ ପାଇଁ ହିଁ ଦେଶ ଓ ଦେଶ ମଧ୍ୟରେ ଯୁଦ୍ଧ ହେବ । ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଏବେ ସମସ୍ତେ ଏକ ହୋଇ ପ୍ରୟାସ ଆରମ୍ଭ କରିବା ଆବଶ୍ୟକ ।