କୋର୍ଟରେ ଛାଡ଼ପତ୍ର ମାମଲା ଅଟକି ରହିଥିଲେ ମଧ୍ୟ ପାର୍ଟନର କରିପାରିବେ ଦ୍ୱିତୀୟ ବିବାହ : ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

126

ଛାଡ଼ପତ୍ର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଛାଡ଼ପତ୍ରକୁ ନେଇ ଯଦି ଉଭୟ ପକ୍ଷ ଆପୋସ ବୁଝାମଣା କରି ମାମଲା ପ୍ରତ୍ୟାହାର ପାଇଁ ସହମତ ହୁଅନ୍ତି, ତେବେ କୋର୍ଟରେ ମାମଲା ଅଟକିଥିଲେ ବି ଦ୍ୱିତୀୟ ବିବାହ କରାଯାଇ ପାରିବ। ଏହି ବିବାହକୁ ବୈଧ ବିବେଚନା କରାଯିବ। ଏକ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏସ୍ ଏ ବୋବଡେ ଏବଂ ଏଲ୍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଛାଡ଼ପତ୍ର ବିରୋଧରେ ହେଉଥିବା ଆବେଦନର ଶୁଣାଣି ପୂର୍ବରୁ ଯଦି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୁଏ, ତା’ହେଲେ ଦ୍ୱିତୀୟ ବିବାହ ଉପରେ ରୋକ ଲଗାଯାଇ ପାରିବ ନାହିଁ। ହିନ୍ଦୁ ବିବାହ ଆଇନର ଧାରା ୧୫ ଅନୁସାରେ ଛାଡ଼ପତ୍ର ବିରୋଧରେ ଆବେଦନ କୋର୍ଟରେ ପଡ଼ିରହିବା କ୍ଷେତ୍ରରେ ଦମ୍ପତିଙ୍କ ମଧ୍ୟରୁ କେହି ବି ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଆବେଦନର ରାୟ ପ୍ରକାଶ ପାଇବା ପନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ସୁପ୍ରିମ୍କୋର୍ଟ ନିଜର ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ବଳରେ ଏହି ଆଇନକୁ ଅଚଳ ପ୍ରାୟ କରିଦେଇଛନ୍ତି। ଅନ୍ୟପକ୍ଷରେ ହିନ୍ଦୁ ବିବାହ ଆଇନ ଆଧାରରେ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇପାରିଲେ କୌଣସି ଅସୁବିଧା ନାହିଁ ଏବଂ ଦ୍ୱିତୀୟ ବିବାହ ପାଇଁ ସମସ୍ୟା ରହିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ରମେଶ କୁମାର ନାମକ ଜଣେ ବ୍ୟକ୍ତି (ଛଦ୍ମନାମ)ଙ୍କ ପତ୍ନୀ ଛାଡ଼ପତ୍ର ପାଇଁ ତିସ୍ ହଜାରୀ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ୨୦୦୯ ଅଗଷ୍ଟ ୩୧ରେ ପତ୍ନୀଙ୍କ ସପକ୍ଷରେ ରାୟ ଦେଇଥିଲେ। ମାମଲା କୋର୍ଟରେ ଥିବା ବେଳେ ରମେଶ ୨୦୧୧ ଡିସେମ୍ବର ୬ରେ ଦ୍ୱିତୀୟ ବିବାହ କରିଥିଲେ। ପରେ କିନ୍ତୁ ପତ୍ନୀ ଜଣକ ନିମ ସ୍ତରୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦ୍ୱିତୀୟ ବିବାହକୁ ରଦ୍ଦ ଘୋଷଣା କରିବାକୁ ଅନୁରୋଧ କରିଥିଲେ। କୋର୍ଟରେ ମାମଲା ଅଟକିଥିଲେ ହେଁ ରମେଶ ଦ୍ୱିତୀୟ ବିବାହ କରିଥିବା ସେ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ରମେଶଙ୍କ ଦ୍ୱିତୀୟ ବିବାହକୁ ବେଆଇନ ଘୋଷଣା କରିଥିଲେ। ଏହାପରେ ରମେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।