ମୋଦି ସରକାରଙ୍କ ୩ଟି ମହତ୍ୱାକାଂକ୍ଷୀ ଯୋଜନା ! ବୟସ୍କଙ୍କ ପାଇଁ ପେନସନ, ଗର୍ଭବତୀଙ୍କୁ ଆର୍ଥିକ ସହାୟତା ଓ ମୋଦି କେୟାର ଉପରେ ଗୁରୁତ୍ୱ ।

39

କନକ ବୁରୋ : ବିଭିନ୍ନ ଉପନିର୍ବାଚନରେ ବିଜେପିର ପରାଜୟ ମୋଦିଙ୍କ ଲୋକପ୍ରିୟତା ଉପରେ ସନ୍ଦେହ ସୃଷ୍ଟି କରୁଥିବା ବେଳେ ସମସ୍ତଙ୍କୁ ଚମକାଇବା ଭଳି ଏକ ବଡ ଯୋଜନା ମୋଦି ଆଣୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି, ମାଷ୍ଟରଷ୍ଟ୍ରୋକ ମାରିବାକୁ ଯାଉଛନ୍ତି ମୋଦି । ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ଆଖିରେ ରଖି ଏକ ବଡ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ତିନିଟି ବଡ ଜନକଲ୍ୟାଣକାରୀ ଯୋଜନାକୁ ଏକକାଳୀନ କାର୍ଯ୍ୟକାରୀ କରି ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିପାରନ୍ତି ମୋଦି ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ପ୍ରଭାବିତ କଲା ଭଳି ତିନିଟି ବଡ ଯୋଜନା ଲାଗୁ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ଲୁମବର୍ଗ ନ୍ୟୁଜକୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଦେଇଥିବା ସୂଚନା ଅନୁସାରେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଭାରତର ଇତିହାସରେ ଏତେ ସଂଖ୍ୟାରେ ଲୋକଙ୍କୁ ପ୍ରଭାବିତ କଲାଭଳି ସବୁଠାରୁ ବଡ ଯୋଜନା ହାତକୁ ନେବାକୁ ଯାଉଛନ୍ତି ମୋଦି । ପ୍ରମୁଖ ଜାତୀୟ ଗଣମାଧ୍ୟମ ଗୁଡିକରେ ହେଉଥିବା ଚର୍ଚ୍ଚା ଅନୁସାରେ ବୟସ୍କଙ୍କୁ ପେନସନ୍, ଗରିବଙ୍କୁ ସ୍ୱାସ୍ଥ୍ୟ ବୀମା ଓ ଗର୍ଭବତୀ ମହିଳାଙ୍କ ପାଇଁ ଆର୍ଥିକ ସହାୟତା ଭଳି ତିନିଟି ବଡ ଯୋଜନା ଏକକାଳୀନ ଲାଗୁ କରିବା ଉପରେ ଚିନ୍ତା କରୁଛନ୍ତି ମୋଦି ସରକାର ।

୧- ବୟସ୍କଙ୍କ ପାଇଁ ପେନସନ୍

– ଦେଶର ପ୍ରାୟ ୫୦ କୋଟି କର୍ମଜୀବୀଙ୍କ ପାଇଁ ନ୍ୟୁନତମ ପେନସନ ନିଶ୍ଚିତ ହେବ

– ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ ମଧ୍ୟ ଏହାର ପରିସରଭୁକ୍ତ ହେବେ

– ଆକଳନ ଅନୁସାରେ ଦେଶର ଜିଡିପିକୁ ଅଣସଂଗଠିତ କ୍ଷେତ୍ରର ଅବଦାନ ଅଧା ରହିଛି

– ଏମାନଙ୍କ ଜୀବନଧାରଣ ମାନରେ ଉନ୍ନତି ହେଲେ ଉତ୍ପାଦନ କ୍ଷମତା ବଢିବା ଆଶା

୨- ଗରିବଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା

– ଫେବ୍ରୁଆରୀ ୧ ତାରିଖରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା ହୋଇଥିଲା

– ୧୦କୋଟି ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବାକୁ ବଜେଟରେ ଘୋଷଣା ଥିଲା

– ଅର୍ଥାତ ପ୍ରାୟ ୫୦କୋଟି ଲୋକ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପାଇବେ

– ଓବାମା କେୟାର ପରି ଏହାକୁ ମୋଦି କେୟାର ନାଁରେ ବ୍ରାଣ୍ଡିଂ କରିବାକୁ ଯୋଜନା

୩- ଗର୍ଭବତୀଙ୍କ ପାଇଁ ସହାୟତା

– ଗର୍ଭବତୀ ମହିଳାଙ୍କୁ କେନ୍ଦ୍ର ସରକାର ୬ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି

– ପ୍ରସବଠୁ ଆରମ୍ଭ କରି ନବଜାତର ଟୀକାକରଣ ଓ ପୁଷ୍ଟି ସାଧନ ପାଇଁ ଦିଆଯାଉଛି ଟଙ୍କା

– ଦେଶର ୬୫୦ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ ମୋଦି

– ସହାୟତା ରାଶି ବୃଦ୍ଧି କରିବା ସହ ଏହାର ପରିସର ବୃଦ୍ଧି କରିବାକୁ ଯୋଜନା ହେଉଛି

ଏକକାଳୀନ ଏହି ତିନି ଯୋଜନା ଲାଗୁ କରିବାରେ ଏକ ବଡ ଆର୍ଥିକ ବୋଝ ପଡିବ । ହେଲେ ନିର୍ବାଚନୀ ବର୍ଷ ଥିବାରୁ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ କାଂଟଛାଂଟ କରି ସରକାର ଜନକଲ୍ୟାଣକାରୀ ଯୋଜନାରେ ଅଧିକ ବ୍ୟୟ କରିବାକୁ ଚିନ୍ତା କରିପାରନ୍ତି । ଭାରତ ତାର ଜିଡିପିର ପ୍ରାୟ ୨ ପ୍ରତିଶତ ସାମାଜିକ ସୁରକ୍ଷା ଦିଗରେ ବ୍ୟୟ କରୁଛି । ଦେଶର ପ୍ରାୟ ୯୦ ପ୍ରତିଶତ ମାନବ ସମ୍ବଳ ବିନା ସାମାଜିକ ସୁରକ୍ଷାରେ କାମ କରୁଥିବାରୁ ଏହି ତିନି ବଡ ଯୋଜନା ମୋଦି ସରକାରଙ୍କ ପାଇଁ ଗେମ ଚେଞ୍ଜର ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଏଗୁଡିକୁ କାର୍ଯ୍ୟକାରୀ କରିବା ମୋଦି ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇପାରେ ।