ବିଜେପି ଟିକେଟ୍ ନଦେବାରୁ କାନ୍ଦିପକାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ : କଂଗ୍ରେସରେ ସାମିଲ ହେବାର ତୁରନ୍ତ ପରେ ମିଳିଲା ଟିକେଟ୍

320

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଧରି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କିନ୍ତୁ ନିର୍ବାଚନର ଠିକ୍ ପୂର୍ବରୁ ବିଜେପିକୁ ଲାଗିଛି ଝଟକା । ଜଣେ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସରତାଜ ସିଂଙ୍କୁ ଟିକେଟ୍ ନମିଳିବାରୁ ନିର୍ବାଚନର କିଛି ଦିନ ପୂର୍ବରୁ ସେ ଦଳ ଛାଡ଼ିଛନ୍ତି ।

ସୂଚନା ଅନୁସାରେ ସରତାଜ୍ ସିଂଙ୍କୁ ବିଜେପି ଟିକେଟ୍ ଦେଇନଥିଲା । ୭୭ ବର୍ଷିୟ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସରତାଜ ସିଂଙ୍କୁ ଟିକେଟ୍ ନମିଳିବାରୁ ସେ ଭୋ ଭୋ ହୋଇ କାନ୍ଦିପକାଇଥିଲେ । ଆଉ ବିଜେପି ସହ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗି ତୁରନ୍ତ କଂଗ୍ରେସରେ ସାମିଲ ହୋଇଯାଇଥିଲେ । କଂଗ୍ରେସରେ ସାମିଲ ହେବାର ତୁରନ୍ତ ପରେ ପରେ ହୋସଙ୍ଗାବାଦ ବିଧାନସଭା କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହାସହ ଗୁରୁବାର ଦିନ କଂଗ୍ରେସ ୨୩୦ ସିଟ୍ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ଗୁରୁବାର ଦିନ ପ୍ରାର୍ଥୀଙ୍କ ଷଷ୍ଠ ଓ ଶେଷ ସୂଚୀ ଜାରି କରିଥିଲା ।

ତେବେ କଂଗ୍ରେସ ତରଫରୁ ଟିକେଟ ମିିଳିବା ପରେ ସରତାଜ ସିଂ କହିଛନ୍ତି ମୁଁ କଂଗ୍ରେସ ନିକଟରେ କୃତଜ୍ଞ  । ମୋତେ ହୋସଙ୍ଗାବାଦ ଟିକେଟ୍ ଦେଇ ଦଳ ଋଣୀ କରିଦେଇଛି । ୫୮ ବର୍ଷ ପର୍ଯ୍ୟନ୍ତ ବିଜେପିରେ ଥିଲେ ମଧ୍ୟ ଦଳ ଏଥର ମୋତେ ନିର୍ବାଚନ ଲଢ଼ିବାରୁ ବଂଚିତା କଲା । ଟିକେଟ୍ ଦେଲାନି । ମୁଁ ଜନତାଙ୍କ ମଧ୍ୟରେ ରହି ତାଙ୍କ ସେବା କରିବା ପାଇଁ ଚାହେଁ । ସରତାଜ ସିଂ ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲ୍ଲାର ସିବନୀ-ମାଲୱାରୁ ଦୁଇ ଦୁଇଥର ବିଜେପି ତରଫରୁ ବିଧାୟକ ହୋଇସାରିଛନ୍ତି । ଆଉ ଚଳିତ ନିର୍ବାଚନ ପାଇଁ ମଧ୍ୟ ସେ ଉକ୍ତ ସିଟରୁ ହିଁ ଟିକେଟ୍ ଦାବି କରିଥିଲେ । ତେବେ ଅଧିକ ବୟସ ହେତୁ ହେତୁ ତାଙ୍କୁ ଟିକେଟ୍ ମିଳିନଥିଲା ।  ଉକ୍ତ ସିଟ୍ ପାଇଁ ବିଜେପି ପ୍ରାର୍ଥୀ ଚୟନ କାରିସାରିଥିଲା । ସୂଚନାଯୋଗ୍ୟ ବିଜେପି ମଧ୍ୟ ଗୁରୁବାର ଦିନ ନିଜ ପ୍ରାର୍ତୀ ତାଲିକା ଜାରି କରିଥିଲା  । ତେବେ ବିଜେପି ଟିକେଟ୍ ନଦେବାରୁ ସରତାଜ ସିଂ ନାରାଜ ହେବାସହ ଭୋ ଭୋ ହୋଇ କାନ୍ଦୁଥିଲେ ।

ତେବେ ଏନେଇ ରାଜ୍ୟ ବିଜେପି ପ୍ରବକ୍ତା ଅନୀଲ ସୌମିତ୍ର କହିଛନ୍ତି ସରତାଜ ସିଂ ଏପରି କରିବା ଶୋଭନୀୟ ନୁହେଁ । ଦଳ ତାଙ୍କୁ ଅନେକ କିଛି ଦେଇଛି । ସରତାଜ୍ ସିଂ ଥରେ କେନ୍ଦ୍ରମନ୍ତ୍ରୀ ହେବା ସହ ଦୁଇଥର ମଧ୍ୟପ୍ରଦେଶର ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏଥିରୁୁ ଅଧିକ ସେ ଆଉ କ’ଣ ଚାହାନ୍ତି । ଏବେ ତାଙ୍କର ଅବସର ନେବାର ସମୟ ଆସିଛି । ସୂଚନାଯୋଗ୍ୟ ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ସିଟ୍ ପାଇଁ ୨୮ ନଭେମ୍ବର ଦିନ ମତଦାନ ହେବ ଏବଂ ୧୧ ରେ ଫଳାଫଳ ଘୋଷଣା ହେବ ।