ଧୂର୍ତ ସଂଜୟ , ଧୃତରାଷ୍ଟ୍ର ସରକାର ! ଦେଖନ୍ତୁ ଆଉ ଜଣେ ମୋତିଲାଲ . . କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ

69

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଏ ହେଉଛି ଏଭଳି ଜଣେ କରିତକର୍ମା ଅଧିକାରୀଙ୍କ କାହାଣୀ, ଯାହାଙ୍କ ଜାଲିଆତିକୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ସେ ହେଉଛନ୍ତି ଆଉ ଜଣେ ମୋତିଲାଲ । ଆଉ ସେ ଏମିତି ଜଣେ ଅଫିସର ଯାହାଙ୍କ ସବୁ ବେଆଇନ କାମକୁ ରାଜ୍ୟ ସରକାର, ନାଲିଫିତା ତଳେ ଚାପିଦେଇଥିଲେ । ବ୍ୟାପକ ଜାଲିଆତି ସତ୍ୱେ ବି ଅଧିକାରୀ ଜଣଙ୍କୁ ପଦୋନ୍ନତି ଦେଇ ସରକାର କରିଛନ୍ତି ଗେହ୍ଲାପୁଅ । ଭୁବନେଶ୍ୱର ଆରଟିଓ-୨ର କରିତକର୍ମା ସଂଜୟ ବେହେରା । ବସ୍ତୁତ୍ୱ ନଥିବା ଗାଡି ଅର୍ଥାତ ଭୁତଗାଡିର ଫେକ ରେଜିଷ୍ଟ୍ରେସନ କରିଥିଲେ ଏହି ବାବୁ ଜଣକ । ଗଂଜାମର ଏମଭିଆଇ ଥିବା ବେଳେ କରିଥିଲେ ଘୋଟାଲା । ଆଉ ଏବେ ଏହି ପୁରା ଘଟଣାକ୍ରମର ହୋଇଛି ପର୍ଦ୍ଦାଫାଶ । କିଭଳି ନିଜ କ୍ଷମତାର ଅପ ବ୍ୟବହାର କରି ଅଧିକାରୀ ଜଣଙ୍କ ଟଙ୍କା ଆତ୍ମସାତ କରିଛନ୍ତି ଆଉ ସାଧାରଣ ଲୋକଙ୍କ ଭାଗ୍ୟ ସହ ଖେଳିଛନ୍ତି ତାର ସମସ୍ତ ଦସ୍ତାବିଜ ଲାଗିଛି କନକ ନ୍ୟୁଜ୍ ହାତରେ ।

ପ୍ରଥମେ ଦେଖନ୍ତୁ ଏହି କରିତକର୍ମା ଅଫିସରଙ୍କ କାରନାମା : –

ଛତ୍ରପୁରରେ ଏମଭିଆଇ ଥିବା ଟ୍ରାକ୍ଟର ଆଉ ଟ୍ରେଲର ରେଜିଷ୍ଟ୍ରେସନରେ କରିଥିଲେ ଘୋଟାଲା । ଯେଉଁ ଟ୍ରାକ୍ଟରର ଅସ୍ତିତ୍ୱ ନଥିଲା ତାକୁ କାଳ୍ପନିକ ଢଙ୍ଗରେ ରେଜିଷ୍ଟ୍ରି କରିଥିଲେ ଏହି ଅଧିକାରୀ ଜଣକ । ବଡ କଥା ହେଉଛି ଯେଉଁ ଚେସିସ ଆଉ ଇଂଜିନ ନମ୍ବର ବ୍ୟବହାର କରି ଏମଭିଆଇ ଜଣକ ଗାଡି ରେଜିଷ୍ଟ୍ରି କରିଥିଲେ ସେହି ଟ୍ରାକ୍ଟର ବ୍ରହ୍ମପୁରର ଡିଲରକୁ ମିଳିନଥିଲା । ଏହି କରିତକର୍ମା ବାବୁ ଜଣକ ଗାଡି ଫ୍ରାଂଚାଇଜି ନିକଟକୁ ଆସିବା ଆଗରୁ ଜାଲ କାଗଜପତ୍ର ଦେଇ ରେଜିଷ୍ଟ୍ରେସନ କରିଦେଇଥିଲେ । ଯାହାର ତଥ୍ୟ ମଧ୍ୟ ଲାଗିଛି କନକ ନ୍ୟୁଜ୍ ହାତରେ ।

vlcsnap-2016-07-07-19h23m16s639ଷଡଯନ୍ତ୍ରର ଗନ୍ଧ ମିଳିବା ପରେ ମାମଲା ଯାଇଥିଲା ହାଇକୋର୍ଟକୁ । ଆଉ କୋର୍ଟଙ୍କ ନିର୍ଦେଶ କ୍ରମେ କ୍ରାଇମବ୍ରାଂଚ ସିଆଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ବ୍ରହ୍ମପୁରର ବାସି ମୋଟର୍ସ, ଗଂଜାମର ତତ୍କାଳୀନ ଆରଟିଓ, ଏମଭିଆଇଙ୍କ ସହ ମିଲିଭଗତରେ ଭୁତ ଗାଡି ରେଜିଷ୍ଟ୍ରେସନ କରିଥିଲେ । ପୁରା ପ୍ରକ୍ରିୟାରେ ବ୍ୟବହୃତ ହୋଇଥିଲା ଜାଲ କାଗଜପତ୍ର । ଯାହାର ପ୍ରମାଣ ମଧ୍ୟ ଲାଗିଥିଲା ତଦନ୍ତକାରୀ ସଂସ୍ଥା ହାତରେ ।

vlcsnap-2016-07-07-19h23m37s714ମାମଲା ଆଗକୁ ବଢିବା ପରେ ଷଡଯନ୍ତ୍ର ଉପରୁ ହଟୁଥିଲା ପର୍ଦ୍ଦା । ଆଉ ଏହି କରିତକର୍ମା ବାବୁଙ୍କର ବଦଳି ହୋଇସାରିଥିଲା ଜଗତସିଂହପୁର । ହେଲେ ବିପଦ ମାଡି ଆସୁଥିବା ଦେଖି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ ଏହି ଅଫିସର ଜଣକ । ହେଲେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ସରେଣ୍ଡର କରି ଜାମିନ ନେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଫଳରେ ୨୩ ଡିସେମ୍ବର ୨୦୧୦ରେ କୋର୍ଟରେ ସରେଣ୍ଡର କରି ଜାମିନ ପାଇଥିଲେ ଏହି ଅଫିସର ଜଣକ । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ସମାନ ଦିନ ଛୁଟିରେ ଥାଇ ବି ପରିବହନ ବିଭାଗର ଏହି ବାବୁ ଜଣକ ୧୭ଟି ଗାଡିର ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

କ୍ରାଇମବ୍ରାଂଚ ଏହି ଷଡଯନ୍ତ୍ରର ନକ୍ସା ଉପରୁ ପର୍ଦ୍ଦା ହଟାଇବା ସହ ସଂଜୟ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲା । ଅପରାଧିକ କେସରେ ଲିପ୍ତ ହେବା ଆଉ ଛୁଟିରେ ଥାଇ ବେଆଇନ ଭାବେ ୧୭ଟି ଗାଡିକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ତାଙ୍କ ବିରୋଧରେ ପଦକ୍ଷେପ ନେବା ସହ ଫାଇନ ପକାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲା ।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଅଧିକାରୀ ଜଣକ ଏତେ ସବୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ ଆଉ ଯାହାଙ୍କ ବିରୋଧରେ ମାମଲା ଚାଲିବା ସହ ତାଙ୍କୁ କୋର୍ଟ ବେଲ ଦେଇଥିଲେ, ସେହି ବାବୁ ଜଣଙ୍କୁ କିନ୍ତୁ ଜଣେ ଭଲ ଅଫିସରର ସାର୍ଟିଫିକେଟ ଦେଇଥିଲା ପରିବହନ ବିଭାଗ । ତାଙ୍କୁ ପ୍ରମୋସନ ଦେଇ ଭୁବନେଶ୍ୱର ଆରଟିଓକୁ ଆଣିବା ବେଳେ ସେହି ଅଧିକାରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ତତ୍କାଳୀନ ପରିବହନ ବିଭାଗ ସଚିବ । ଏପରିକି ତାଙ୍କ କାର୍ଯ୍ୟଦକ୍ଷତା ବଳରେ ସେ ନେବାକୁ ଥିବା ପଦକ୍ଷେପକୁ ପରବର୍ତି ସମୟରେ ଅନ୍ୟ ଆରଟିଓରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ମତ ରଖାଯାଇଥିଲେ ।

ଗତ କିଛି ଦିନ ଧରି କରିତକର୍ମା ବାବୁଙ୍କ ୪୨୦ର କାରନାମା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ପ୍ରଥମେ ମୋତିଲାଲ ଗୌଡ ଆଉ ଏବେ ସଂଜୟ ବେହେରା । ଏହି ଅଧିକାରୀ ଜଣକ ଏତେ କ୍ଷମତାଶାଳୀ ଯେ, ଅପରାଧିକ କେସ ଥାଇ ବି ବଡ ବାବୁଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି । ଆଉ ଭଲ କାମର ସାର୍ଟିଫିକେଟ ପାଇ ଭୁବନେଶ୍ୱର ଆରଟିଓ-୨ରେ କାର୍ଯ୍ୟରତ ଅଛନ୍ତି । ପଦକ୍ଷେପ ନେବା ପାଇଁ ସିଆଇଡିର ସୁପାରିଶ ସତ୍ୱେ ଅଧିକାରୀଙ୍କ ବିରୋଧରେ ପଦକ୍ଷେପର ଘର ଶୁନ । ଆଉ ଏହି କରିତକର୍ମା ବାବୁଙ୍କ କାରନାମାକୁ ନେଇ ଆରମ୍ଭ ହୋଇଛି ତର୍ଜମା ।