ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା : ଆଜି ସକାଳ ୯ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

54

କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ବିଶ୍ୱବିଦ୍ୟାଳୟ ସିଣ୍ଡିକେଟର ଜରୁରୀ ବୈଠକରେ ଏହି ନିଷ୍ପତି ହୋଇଛି । ଆଜି ସକାଳ ୯ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ସୋମବାରଠାରୁ ବିଶ୍ୱବିଦ୍ୟାଳୟ ନିର୍ବାଚନ ବାତିଲ ହେବା ପରଠାରୁ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିଲା । ଏବିଭିପି ଓ ବିଜୁ ଜନତା ଦଳ ପକ୍ଷରୁ ଏହାର ବିରୋଧ କରାଯାଇ ଆନ୍ଦୋଳନ ଜାରି ରହିଥିଲା । ବିଭିନ୍ନ କାରଣରୁ ଚାପା ଉତେଜନା ଥିବାରୁ କ୍ୟାମ୍ପସରେ ଆଇନ ଶୃଙ୍ଖଳା ବିଗିଡିବା ଆଶଙ୍କା ରହିଥିଲା । ଗତକାଲି ସିଣ୍ଡିକେଟ ବୈଠକରେ ପରୋକ୍ଷ ନିର୍ବାଚନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ କିନ୍ତୁ ଛାତ୍ରଗୋଷ୍ଠୀ ଗ୍ରହଣ କରିନଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦୟାଳୟକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।

ସେପଟେ ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ଦାଖଲ କରିଛନ୍ତି ।

ଛାତ୍ର ଅଶାନ୍ତି ଯୋଗୁଁ ଏବେ ସୁଦ୍ଧା ୨୦ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହୋଇଛି । ବାକି ୨୭୩ଟି କଲେଜ ଓ ୫ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେଉଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ନାମାଙ୍କନ ଦାଖଲ ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇଛି । ଅକ୍ଟୋବର ୪(ଆଜି) ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।