ବାଣଫୁଟା ବେଳେ ସାବଧାନ ରୁହନ୍ତୁ, ସୁରକ୍ଷିତ ଦୀପାବଳି ପାଳନ୍ତୁ

273

ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି । ଅନ୍ଧକାର ଉପରେ ଆଲୋକର ବିଜୟ ଦୀପାବଳି । ଆଜିକା ଦିନରେ ଦୀପାବଳି  କହିଲେ ଦୀପ ଜାଳିବା, ରଙ୍ଗବେରଙ୍ଗ ଆଲୋକରେ ଘରକୁ ସଜାଇବା, ଏବଂ ବାଣ ଫୁଟାଇବା ଏହାକୁ ହିଁ ଆମେ ଦୀପାବଳି ଭାବେ ଜାଣୁ । ହେଲେ ଏହି ଦୀପାବଳି ସହ ଜଡିତ ଅଛି ଅନେକ ଇତିହାସ । ପୁରାଣ ପୃଷ୍ଠା ଉଲ୍ଲେଖ ଅଛି ପ୍ରଭୁ ଶ୍ରୀରାମ, ଦେବୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ୧୪ ବର୍ଷ ବନବାସ କାଟି ଯେଉଁଦିନ ଅଯୋଧ୍ୟା ଫେରିଲେ, ସେହିଦିନ ମହାନନ୍ଦରେ ଅଯୋଧ୍ୟାବାସୀ ବିଭିନ୍ନ ପ୍ରକାରର ଦୀପାଲୋକରେ ନଗରୀକୁ ସଜାଇ ଥିଲେ ।

Diwaliଆଉ ସେହି ଦିନକୁ ମନେ ରଖିବା ପାଇଁ ଏହି ଉତ୍ସବର ଆରମ୍ଭ ହୋଇଥିବା ମତ ରହିଛି । ମା’ ଲକ୍ଷ୍ମିଙ୍କ ପୂଜାର୍ଚ୍ଚନା କରି ସୁଖକାମନା କରିବା ସହିତ ବାଣ ଫୁଟାଇ ଖୁବ୍ ମଜା କରିଥାନ୍ତି । ଅବଶ୍ୟ ବାଣ ଫୁଟାଇବା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ କିନ୍ତୁ ଆନନ୍ଦ ପାଇଁ ଏହି ପର୍ବକୁ ଭଲ ଭାବେ ପାଳନ କରନ୍ତି । ତେବେ ବାଣ ଫୁଟାଇବା ବେଳେ କିଛି ସାବଧାନତା ଅବଲମ୍ବନ କଲେ ଆପଣ ସୁରକ୍ଷିତ ରହିବେ । ବାଣ ଫୁଟାଇବା ବେଳେ କିପରି ସତର୍କ ରହିବା ଆସନ୍ତୁ ଜାଣିବା । ଘର ବାହାରେ, ଛାତ ଉପରେ, ବାଲକୋନିରେ ଦୀପ ସଜାଇ ଦିଅନ୍ତୁ। ଦେଖିବେ ଦୀପର ଆଲୋକରେ ଆପଣଙ୍କ ଘର କେତେ ସୁନ୍ଦର ଦେଖାଯାଉଛି ।

ଦୀପ ବ୍ୟତୀତ କ୍ୟାଣ୍ଡେଲକୁ ଧାଡି ଧାଡି କରି ସଜାଇ ଲଗାନ୍ତୁ । ଆଜିକାଲ ବିଭିନ୍ନ କଲରଯୁକ୍ତ କ୍ୟାଣ୍ଡେଲ ବଜାରରେ ମିଳୁଛି । ହେଲେ ତାହାକୁ କିପରି ସଜାଇବେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ । ଘରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏବେ ବିଭିନ୍ନ କଲର୍ର ଏଲଇଡି ଲାଇଟ୍ ମାଳ ମିଳୁଛି । ସନ୍ଧ୍ୟା ଆସିବା ମାତ୍ରେ ବାଣଫୁଟା ଆସର ଆରମ୍ଭ ହୋଇଯାଏ । ସମୟ ଗଡିଚାଲିବା ସହ ଏହାର ମାହୋଲ ବେଶ୍ ସୁନ୍ଦର ଦେଖାଯାଏ । ହେଲେ ବାଣ ଫୁଟିବା ଦ୍ୱାରା ପରିବେଶ ହୋଇଉଠେ ଧୂଆଁମୟ । ଏପରି କି ଏଭଳି ପରିବେଶରେ ଅଧିକ ସମୟ ରହିଲେ ଅଣନିଃଶ୍ୱାସୀ ଲାଗେ । ତେଣୁ ଯଦି ପରିବେଶ ଅଧିକ ପ୍ରଦୂଷିତ ହୋଇଯାଇଛି ତେବେ ସେଠାରୁ ନିଜକୁ ଏବଂ ନିଜ ପିଲାମାନଙ୍କୁ ଦୂରେଇ ରଖନ୍ତୁ । ଘରର ଝରକା, କବାଟ ବନ୍ଦ କରିଦିଅନ୍ତୁ। କାରଣ ଏଭଳି ଧୂଆଁ ସଂସ୍ପର୍ଶରେ ଆସିଲେ ବିଭିନ୍ନ ରୋଗ ସୃଷ୍ଟିହେବାର ଆଶଙ୍କା ରହିଛି। ତେବେ ବାଣ ଫୁଟାଇବା ବେଳେ କିଛି ସତର୍କତା ଅବଲମ୍ବନ କରନ୍ତୁ . . . . . .

• ପିଲାମାନେ ବାଣ ଫୁଟାଇବା ନେଇ ବିଶେଷ ଉତ୍ସାହିତ ହୋଇପଡିଥାନ୍ତି । ତେଣୁ ସେମାନଙ୍କୁ ବାଣ କିପରି ଫୁଟାନ୍ତି ଏବଂ ବାଣର କ୍ଷତି ବିଷୟରେ ବୁଝାଇ ସତର୍କ କରିଦିଅନ୍ତୁ ।

• ନିଜ ଘରେ ହେଉ କିମ୍ବା ଆଖପାଖରେ ରହୁଥିବା ବୟସ୍କମାନଙ୍କ ପ୍ରତି ସତର୍କ ହୋଇ ବାଣ ଫୁଟାଇବା ଉଚିତ । କାରଣ ବାଣର ପ୍ରଚଣ୍ଡ ଶବ୍ଦ ଏବଂ ଧୂଆଁର ପ୍ରଭାବ ବୟସ୍କମାନଙ୍କ ଉପରେ ପଡିଥାଏ, ଯେପରିକି ହୃଦରୋଗୀ, ଶ୍ୱାସରୋଗୀ ତଥା ଉଚ୍ଚରକ୍ତ ଚାପ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ କଷ୍ଟ ଦେଇଥାଏ । ତେଣୁ ବୟସ୍କ ବ୍ୟକ୍ତିଙ୍କ ପ୍ରତି ବିଶେଷ ଦୃଷ୍ଚି ଦେବା ଉଚିତ୍ ।

• ବାଣ ଫୁଟାଇବା ବେଳେ ସିନ୍ଥେଟିକ ପୋଷାକ ପିନ୍ଧିବା ଆଦୌ ଉଚିତ୍ ନୁହେଁ । ପିଲା ହୁଅନ୍ତୁ କିମ୍ବା ବଡ଼, ସମସ୍ତେ ସୁତା ପୋଷାକ ପିନ୍ଧିବା ଉଚିତ୍ ।

• ବାଣ ଫୁଟାଇବା ପାଇଁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଇଛି ସ୍ଥାନ ବାଛିବା । କାରଣ ପିଲାମାନେ ପ୍ରୟତଃ ଜଳନ୍ତା ବାଣ ଧରି ଘରେ ଚାଲିଆସନ୍ତି ଏବଂ ଯାହାଫଳରେ ଦୁର୍ଘଟଣା ଘଟିବାର ଆସଙ୍କା ଥାଏ । ତେଣୁ ସେମାନଙ୍କୁ ଜଗିବା ସହିତ ବାଣ ଫୁଟାଇବା ଲାଗି ଖୋଲାସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଅନ୍ତୁ ।

• ବେଳେବେଳେ କେତେକ ବାଣ ନିଆଁ ଲାଗିଥିଲେ ମଧ୍ୟ ବାଣଟି ଫୁଟେ ନାହିଁ କିମ୍ବା ଅଧା ଫୁଟା ହୋଇ ରହିଯାଏ । ଏହାକୁ ସେମିତି ଛାଡି ନଦେଇ ତୁରନ୍ତ ନଷ୍ଟ କରିଦେବା ଉଚିତ । ଅଧା ଫୁଟା ବାଣ ପାଖରେ ପାଣି ରଖିବା ଉଚିତ୍ କିମ୍ବା ଅଧାଫୁଟା ବାଣକୁ ପାଣି ବାଲଟିରେ ପକାଇ ନଷ୍ଟ କରିଦେବା ଉଚିତ୍ ।

• ଦୀପାବଳିରେ ଘର ସଜାଇବା ପାଇଁ ମହମବତି ଏବଂ ଦୀପ ନିହାତି ଆବଶ୍ୟକ । କିନ୍ତୁ ଗୋଟିଏ କଥା ଧ୍ୟାନ ରଖିବା ଉଚିତ ଏହାକୁ ଯିବା ଆସିବା ବାଟରେ କିମ୍ବା କୌଣସି ପରଦା ପାଖରେ ରଖିବା ଆଦୌ ଉଚିତ ନୁହଁ ।

• ଦୀପାବଳିରେ ଘରେ ଥିବା ସମସ୍ତ ପୋଷା ଜନ୍ତୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ । ବାଣର ପ୍ରଚଣ୍ଡ ଶବ୍ଦ ଏବଂ ଧୁଆଁ ସେମାନଙ୍କୁ କଷ୍ଟ ଦିଏ ।